ଭୁବନେଶ୍ବର: ଜାନୁଆରି ୨ରୁ ୧୫ ମଧ୍ୟରେ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା। ଗୋଟିଏ ସମୟରେ ବିଜ୍ଞାନ, କଳା, ବାଣିଜ୍ୟ ସମେତ ଧନ୍ଦାମୂଳକ ବିଭାଗର ପରୀକ୍ଷା କରାଯିବ। ୬୦, ୫୦ ଓ ୩୦ ମାର୍କ ବିଷୟ ପରୀକ୍ଷା ପାଇଁ ୩ ଘଣ୍ଟା ଧାର୍ଯ୍ୟ ହୋଇଥିବା ବେଳେ ୧୫ ମାର୍କ ପରୀକ୍ଷା ପାଇଁ ୨ ଘଣ୍ଟା ସମୟ ଦିଆଯିବ। ପ୍ରାକ୍ଟିକାଲ ପରୀକ୍ଷା ପୂର୍ବରୁ ଡିସେମ୍ବର ୨୨ରୁ ୩୧ ମଧ୍ୟରେ ଇଣ୍ଟରନାଲ ଆସେସ୍ମେଣ୍ଟ ଅନୁଷ୍ଠିତ ହେବ। ବିଜ୍ଞାନ, କଳା, ବାଣିଜ୍ୟ, କରେସ୍ପଣ୍ଡେଣ୍ଟ୍ ପାଠ୍ୟକ୍ରମ ସହ ଧନ୍ଦାମୂଳକ ପାଠ୍ୟକ୍ରମର ପ୍ରାକ୍ଟିକାଲ ନ ଥିବା ବିଷୟଗୁଡ଼ିକ ପାଇଁ ୪୫ ମିନିଟ୍ର ପରୀକ୍ଷା କରାଯିବ, ଯାହାର ସମ୍ପୂର୍ଣ୍ଣ ମାର୍କ ୧୦ କିମ୍ବା ୨୦ ରହିବ। ୨୦ ମାର୍କ ବିଶିଷ୍ଟ ପ୍ରୋଜେକ୍ଟଗୁଡ଼ିକର ଅବଧି ୨ ଘଣ୍ଟା ଧାର୍ଯ୍ୟ ହୋଇଛି।
ପରୀକ୍ଷା ପୂର୍ବରୁ ସିଏଚ୍ଏସ୍ଇ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ନିୟମିତ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନାଲ ଓ ପ୍ରୋଜେକ୍ଟ ବିଷୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ପାଇଁ କଡ଼ା ନିୟମ ହୋଇଛି। ଇଣ୍ଟରନାଲ ପରୀକ୍ଷାରେ ପାସ୍ କରିବାକୁ ହେଲେ ପରୀକ୍ଷାର୍ଥୀଙ୍କୁ ୨୦ରୁ ୬ ଓ ୧୦ରୁ ୩ ମାର୍କ ରଖିବା ବାଧ୍ୟତାମୂଳକ। ନ ହେଲେ ସେ ଫେଲ୍ ହେବେ। ଯଦି କୌଣସି କାରଣ ପାଇଁ ଡିସେମ୍ବର ୨୨ରୁ ୩୧ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଇଣ୍ଟରନାଲ୍ ଆସେସ୍ମେଣ୍ଟରେ ଛାତ୍ରଛାତ୍ରୀ ଭାଗ ନେଇପାରନ୍ତି ନାହିଁ ତେବେ ସେମାନେ ଆଉ ଜାନୁଆରି ୧୦ରୁ ୧୫ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟରେ ହେବାକୁ ଥିବା ପରୀକ୍ଷାରେ ଭାଗ ନେଇପାରିବେ। ଧାର୍ଯ୍ୟ ତାରିଖ ସମ୍ପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସ୍ଥିର କରିବେ।
୨୦ରୁ ୬ ମାର୍କ ରଖିଲେ ପାସ୍
ଜାନୁଆରି ୨ରୁ ୧୫ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା
ଇଣ୍ଟରନାଲ୍ ଆସେସ୍ମେଣ୍ଟ ପାଇଁ ଦୁଇଥର ସୁଯୋଗ ମିଳିବ
ସବୁ ପରୀକ୍ଷାକେନ୍ଦ୍ରରେ ସିସିଟିଭି ବାଧ୍ୟତାମୂଳକ
ପରୀକ୍ଷାର ୩୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବେ ଏବଂ ୧୫ ମିନିଟ୍ ପୂର୍ବରୁ ପରୀକ୍ଷା ହଲ୍ରେ ସିଟ୍ରେ ବସିବେ। ସମ୍ପୂର୍ଣ୍ଣ ପରୀକ୍ଷା କେନ୍ଦ୍ର ଯେପରି ସିସିଟିଭି ଅଧୀନରେ ରହିଥିବ ପରୀକ୍ଷା କେନ୍ଦ୍ର ସୁପରିନ୍ଟେଣ୍ଡେଣ୍ଟ ସୁନିଶ୍ଚିତ କରାଇବେ। ବାଣିଜ୍ୟ ବିଭାଗର ପ୍ରୋଜେକ୍ଟ ମୂଲ୍ୟାୟନ ପାଇଁ ଗୋଟିଏ ଗ୍ରୁପ୍ରେ ସର୍ବାଧିକ ୨୪ ଜଣ ପରୀକ୍ଷାର୍ଥୀଙ୍କୁ ନିଆଯାଇପାରେ। ଶିକ୍ଷାନୁଷ୍ଠାନର ବିଷୟ ଭିତ୍ତିକ ଶିକ୍ଷକ ପ୍ରୋଜେକ୍ଟ ମୂଲ୍ୟାୟନ ଓ ଭାୟବସ୍ ପରିଚାଳନା କରିବେ। ଏଥିପାଇଁ କୌଣସି ଏକ୍ସର୍ଟରନାଲର ଆବଶ୍ୟକତା ନାହିଁ। ଯଦି କାର୍ଯ୍ୟକ୍ରମରେ କୌଣସି ପ୍ରକାର ଅଦଳବଦଳ କରାଯାଏ ତେବେ ତୁରନ୍ତ ପରୀକ୍ଷା ନିୟନ୍ତ୍ରକଙ୍କ ନଜରକୁ ଆଣିବାକୁ ପରାମର୍ଶ ଦିଆଯାଇଛି। ଇଣ୍ଟରନାଲ ଆସେସ୍ମେଣ୍ଟ ପାଇଁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ବିଷୟଭିତ୍ତିକ ଶିକ୍ଷକ ନିୟମ ଅନୁଯାୟୀ ପ୍ରଶ୍ନପତ୍ର ପ୍ରସ୍ତୁତ କରିବେ। ପ୍ରୋଜେକ୍ଟ ୱାର୍କ ଅତିବେଶିରେ ୬ ପୃଷ୍ଠା ବିଶିଷ୍ଟ ହେବ। ପରୀକ୍ଷା ସମେତ ମୂଲ୍ୟାୟନ, ମାର୍କ ଫୁଏଲ୍ରେ ମାର୍କ ଚଢ଼ାଇବା, ଉତ୍ତର ଖାତା ସଂଗ୍ରହ, ପରୀକ୍ଷକଙ୍କ ରିପୋର୍ଟ, ଉତ୍ତର ଖାତା ପ୍ୟାକେଟ୍ ସିଲ୍ ପରି ବିଭିନ୍ନ କାର୍ଯ୍ୟକ୍ରମ ସିସିଟିଭି ନଜରରେ ଅନୁଷ୍ଠିତ ହେବ ବୋଲି କୁହାଯାଇଛି।