ବିଦେଶୀ ବନ୍ଧୁଙ୍କ ସ୍ମୃତିଚାରଣ ପାଇଁ ଗାଁକୁ ଫେରିଲେ ଆନ୍ତର୍ଜାତିକ ଚିତ୍ରଶିଳ୍ପୀ

ଚଣ୍ତିଖୋଲ : ଜଣେ ବିଦେଶୀ ବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ ପାଳନ ପାଇଁ ସୁଦୂର ଲଣ୍ତନରୁ ନିଜ ଗାଁକୁ ଫେରିଛନ୍ତି ଆନ୍ତର୍ଜାତିକ ଚିତ୍ରଶିଳ୍ପୀ ତଥା ସାହିତ୍ୟିକ ପ୍ରଫୁଲ୍ଲ କୁମାର ମହାନ୍ତି। ପ୍ରକାଶ ଯେ, ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ନାନପୁର ଗ୍ରାମର ଚିତ୍ରଶିଳ୍ପୀ ଶ୍ରୀ ମହାନ୍ତି ୧୯୬୦ ମସିହାରୁ ଲଣ୍ତନରେ ରହି ଆସୁଛନ୍ତି। ସେ ଲଣ୍ତନରେ ରହିବା ପରେ ବରିଷ୍ଠ ଓକିଲ ଡେରିକ୍ ‌ମୋରଙ୍କ ସହିତ ତାଙ୍କର ବନ୍ଧୁତା ସ୍ଥାପନ ହୋଇଥିଲା। ସେତେବେଳେ ପ୍ରାୟ ପ୍ରତିବର୍ଷ ଶ୍ରୀ ମହାନ୍ତିଙ୍କ ସହିତ ଡେରିକ୍ ‌ମୋର ତାଙ୍କ ନାନପୁର ଗ୍ରାମକୁ ଆସି ଦୁଇତିନି ମାସ ଧରି ରହିଥାନ୍ତି। ଏହି ରହଣି ସମୟରେ ଡେରିକ୍ ‌ମୋରଙ୍କୁ ନାନପୁର ଗାଁ ପରିବେଶ ଆକୃଷ୍ଟ କରିଥାଏ। ଘରଘର ବୁଲି ସେ ଓଡ଼ିଆ ସ˚ସ୍କୃତି ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରନ୍ତି।

ତେବେ ୨୦୧୧ ମସିହାରେ ଏଠାକୁ ଆସିଥିବା ବେଳେ ହଠାତ ତାଙ୍କ ଦେହ ଅସୁସ୍ଥ ହୋଇ ପଡ଼ିଥିଲା। ଚିତ୍ରଶିଳ୍ପୀ ଶ୍ରୀ ମହାନ୍ତି ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ବିଦେଶୀ ବନ୍ଧୁ ଡେରିକ୍ ‌ମୋରଙ୍କ ଆକସ୍ମିକ ମୃତ୍ୟୁରେ ଶ୍ରୀ ମହାନ୍ତି ଭାଙ୍ଗି ପଡ଼ିଥିଲେ। ବନ୍ଧୁଙ୍କ ମରଶରୀରକୁ ଶ୍ରୀ ମହାନ୍ତି ନାନପୁରସ୍ଥିତ ବାସଭବନ ପରିସରରେ ଶେଷକୃତ୍ୟ କରିଥିଲେ। ପରେ ତାଙ୍କ ସ୍ମୃତି ରକ୍ଷାପାଇଁ ଶ୍ରୀ ମହାନ୍ତି ଡେରିକ୍ ‌ମୋରଙ୍କ ଏକ ସମାଧି ପ୍ରତିଷ୍ଠା କରିଥିଲେ। ପ୍ରତିବର୍ଷ ଫେବ୍ରୁଆରି ୧୫ ତାରିଖରେ ଶ୍ରୀ ମହାନ୍ତି ଲଣ୍ତନରୁ ଆସି ଡେରିକ୍ ‌ମୋରଙ୍କ ଶ୍ରାଦ୍ଧୋତ୍ସବ ପାଳନ କରିବା ସହ ତାଙ୍କ ସ୍ମୃତିଚାରଣ କରିଥାନ୍ତି। ଗତ ୧୫ ତାରିଖରେ ଶ୍ରୀ ମହାନ୍ତି ଲଣ୍ତନରୁ ଆସି ନାନପୁରସ୍ଥିତ ଡେରିକ୍ ‌ମୋରଙ୍କ ସମାଧିରେ ଶ୍ରଦ୍ଧାସୁମନ ଅର୍ପଣ କରି ସ୍ମୃତିଚାରଣ କରିଥିଲେ। ପ୍ରକାଶ ଯେ, ଶ୍ରୀ ମହାନ୍ତି ତାଙ୍କ ଦିବଂଗତ ବନ୍ଧୁ ଡେରିକ୍ ‌ମୋରଙ୍କ ନାମରେ ୧୦ ବର୍ଷ ତଳୁ ନାନପୁର ଠାରେ ଏକ ସ୍କୁଲ୍‌ ଓ ସଙ୍ଗୀତ ବିଦ୍ୟାଳୟ ଖୋଲିଛନ୍ତି।

ସମ୍ବନ୍ଧିତ ଖବର