‘ଅନ୍ତର୍ଜାତୀୟ ଶିଶୁ ଶାନ୍ତି ପୁରସ୍କାର’ ଦୌଡରେ ଓଡ଼ିଆ ଝିଅ ଶୁଭସ୍ମିତା

ରାଜନଗର: ଅନ୍ତର୍ଜାତୀୟ ପୁରସ୍କାର ଦୌଡ଼ରେ ଓଡ଼ିଆ ଝିଅ ଶୁଭସ୍ମିତା ତ୍ରିପାଠୀ ସାମିଲ ହୋଇପାରିଛନ୍ତି। କେନ୍ଦ୍ରାପଡା ଜିଲ୍ଲାର ରାଜନଗରର ଅଷ୍ଟମ ଶ୍ରେଣୀ ଛାତ୍ରୀ ସୁନାଝିଅ ଶୁଭସ୍ମିତା ତ୍ରିପାଠୀ ‘ଅନ୍ତର୍ଜାତୀୟ ଶିଶୁଶାନ୍ତି ପୁରସ୍କାର’ ପାଇଁ ସମଗ୍ର ବିଶ୍ୱରେ ୧୧୯ ଜଣ ଶିଶୁ ସାମିଲ ହୋଇଛନ୍ତି। ଏମାନଙ୍କ ଭିତରୁ ଭାରତବର୍ଷରୁ ୧୦ ଜଣ ଶିଶୁ ଏହି ପୁରସ୍କାର ପାଇଁ ଦୌଡରେ ଥିବାବେଳେ ଓଡିଶାରୁ ଶୁଭସ୍ମିତା ଅଛନ୍ତି।

ଏହି ଶୁଭଖବର ମିଳିବା ପରେ ସମଗ୍ର ରାଜନଗର ଅଂଚଳରେ ଖୁସିର ଲହରି ଖେଳି ଯାଇଥିବା ବେଳେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶୁଭସ୍ମିତା ପାଇଁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ବଂଗୋପସାଗର ତଟବର୍ତ୍ତୀ ପେଣ୍ଠ ଗ୍ରାମରେ ଥିବା ପ୍ରୋଜେକ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମେଧାବୀ ଛାତ୍ରୀ ଭାବେ ପିଲାଟି ବେଳୁ ନିଜର ପାରଦର୍ଶୀତା କ୍ରୀଡା, ବିଜ୍ଞାନ, ଶିକ୍ଷା, ପରିବେଶ ପ୍ରଭୃତି ଦିଗରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିଜ ଗାଁର ୮ଜଣ ସହପାଠୀ ଅଭାବ ଅନାଟନ ଯୋଗୁଁ ଏକପ୍ରକାର ପାଠପଢାରେ ଡୋରି ବାନ୍ଧିଥିଲେ। ଘରର ପାଇଟି କରିବା ସହିତ ମେଣ୍ଢା ଓ ଛେଳିକୁ ସେମାନେ ଚରାଉଥିଲେ। ନିଜ ସହପାଠୀମାନେ ପାଠ ପଢୁନଥିବାରୁ ଶୁଭସ୍ମିତା ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା।

କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ନେଚର୍ସକ୍ଲବ ଓ ସେଭ ଦି ଚିଲଡ୍ରେନ ସଂସ୍ଥା’ ପକ୍ଷରୁ ଶିକ୍ଷାକ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହିତ ଶିଶୁମାନଙ୍କୁ ବିଦ୍ୟାଳୟକୁ ଆଣିବା ଏବଂ ସେମାନଙ୍କ ବୌଦ୍ଧିକ ବିକାଶ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ସହଯୋଗର ହାତ ବଢାଇଥିଲେ। ଏହି ସଂସ୍ଥା ପକ୍ଷରୁ ଶୁଭସ୍ମିତାଙ୍କୁ ସାହସ ଏବଂ ସହଯୋଗ ଯୋଗାଇ ଦେଇଆସୁଥିଲେ। ଶୁଭସ୍ମିତା ୮ଜଣ ସହପାଠୀଙ୍କୁ ଛେଳି ଓ ମେଣ୍ଢାଚରାରୁ ନିବୃତ୍ତ କରାଇ ପାଠ ପଢାଇବା କ୍ଷେତ୍ରରେ ବିଭିନ୍ନ ସମୟରେ ସେମାନଙ୍କ ମାନସିକ ଭାବଧାରାକୁ ପରିବର୍ତ୍ତନ କରିବାରେ ସଫଳ ହୋଇଥିଲେ। ଯାହାଫଳରେ ୮ଜଣ ସହପାଠୀ ଏବେ ପେଣ୍ଠ ପ୍ରୋଜେକ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ, ସପ୍ତମ ଶ୍ରେଣୀ ଓ ୩ୟ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ପାଠଛାଡି ମେଣ୍ଢା ଚରାଉଥିବା ଏହି କୋମଳମତି ଶିଶୁମାନଙ୍କୁ ନୂଆ ସ୍ୱପ୍ନ ଦେଖାଇବାରେ ଶୁଭସ୍ମିତାର କର୍ତ୍ତବ୍ୟନିଷ୍ଠାକୁ ବିଶ୍ୱସ୍ତରରେ ପ୍ରଶଂସା କରାଯାଇଛି।

‘ଅର୍ନ୍ତଜାତୀୟ ଶିଶୁ ଶାନ୍ତି ପୁରସ୍କାର’ ପାଇଁ ଚଳିତବର୍ଷ ସମଗ୍ର ବିଶ୍ୱରୁ ପ୍ରାୟ ୩ହଜାର କୋମଳମତି ଛାତ୍ରଛାତ୍ରୀ ଆବେଦନ କରିଥିଲେ। ଶୁଭସ୍ମିତା ପକ୍ଷରୁ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଦୁର୍ଗମ ଅଂଚଳରେ ଅଭାବ ଅନାଟନ ମଧ୍ୟରେ ପେଶି ହୋଇପଡୁଥିବା ଶିଶୁମାନେ ଶିକ୍ଷାପ୍ରତି ବିମୁଖ ହେଉଥିବା ବେଳେ ତାଙ୍କର ପ୍ରକଳ୍ପଟି ଅନ୍ତର୍ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛି।

ଶୁଭସ୍ମିତାର ଜେଜେବାପା ବନମାଳି ତ୍ରିପାଠୀ ଏବଂ ଆଇମା ସଚ୍ଚିଲତା ତ୍ରିପାଠୀ ଏହି ଖବର ଶୁଣିବା ପରେ ଆନନ୍ଦିତ ହେବା ସହିତ ଆମ ଅଂଚଳ ପାଇଁ ଶୁଭସ୍ମିତା ନିଶ୍ଚିତ ଭାବରେ ଅନ୍ୟ ପିଲାମାନଙ୍କ ପାଇଁ ଆଦର୍ଶ ପାଲଟିବେ ବୋଲି କହିଛନ୍ତି। ବିଦ୍ୟାଳୟର ପ୍ରଧାନଶିକ୍ଷକ ବିରଂଚି ନାରାୟଣ ତ୍ରିପାଠୀ ଏବଂ ପରିଚାଳନା କମିଟିର ସଭାନେତ୍ରୀ ପ୍ରଭାବତୀ ପଣ୍ଡା, ଉପସଭାପତି ଅଭୟ କୁମାର ଦାଶ ଆମ ବିଦ୍ୟାଳୟ ପାଇଁ ଶୁଭସ୍ମିତା ଗୌରବ ଆଣିଥିବାରୁ ଆମେ ଗର୍ବିତ ବୋଲି କହିଛନ୍ତି। ବ୍ଲକ ଶିକ୍ଷାଧିକାରୀ ରାଜ କିଶୋର ସ୍ୱାଇଁ କହିଛନ୍ତି, ଶୁଭସ୍ମିତା ପାଇଁ ଆମେ ଗର୍ବିତ । ଚଳିତ ମାସ ୩୦ ତାରିଖରେ ଏହି ଫଳାଫଳ ପ୍ରକାଶ ପାଇବ ।

ସମ୍ବନ୍ଧିତ ଖବର