‘ଓଡ଼ିଶା-୨୦୩୬’ ପରିକଳ୍ପନାରେ ଅଦିବାସୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଉ

ଇତିହାସ ବିଭାଗର ୨ ଦିନିଆ ଅନ୍ତର୍ଜାତୀୟ କର୍ମଶାଳା ଉଦ୍‌ଯାପିତ

କଟକ : ଭାରତ କିମ୍ବା ଓଡ଼ିଶାର ବିକାଶ କଥା ଯେତେବେଳେ ଉଠେ ସେତେବେଳେ ପ୍ରଥମେ ଆଦିବାସୀଙ୍କ ବସତି, ଜୀବିକା, ସଂସ୍କୃତି, ଚାଲିଚଳନ ତଥା ସେମାନଙ୍କ ସ୍ୱାର୍ଥକୁ ପ୍ରତିହତ କରାଯାଇଥାଏ। ‘ଓଡ଼ିଶା-୨୦୩୬’ର ପରିକଳ୍ପନା କରିବା ସମୟରେ ସରକାର ଆଦିବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରନ୍ତୁ। ଆଦିବାସୀଙ୍କ ଜୀବନ ଜୀବିକାକୁ ଓଡ଼ିଶାର ବିକାଶ ଯୋଜନାରେ ପ୍ରାଥମିକତା ଦେଲେ ଯାଇ ଓଡ଼ିଶାର ବିକାଶ ହୋଇପାରିବ ବୋଲି ରେଭେନ୍ସା ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଅନ୍ତର୍ଜାତୀୟ କର୍ମଶାଳାର ଅନ୍ତିମ ଦିବସରେ ଆଜି ଯୋଗଦେଇ ‘ସମ୍ବାଦ’ର ସଂପାଦକ (ସଂପାଦକୀୟ ପୃଷ୍ଠା) ରଣଜିତ ଗୁରୁ ପ୍ରକାଶ କରିିଛନ୍ତି।

ବିଧାୟକ ତାରାପ୍ରସାଦ ବାହିନୀପତି, ପୁଲିସ ଅଧିକାରୀ ଦେବାଶିଷ ପାଣିଗ୍ରାହୀ, ‘ସମ୍ବାଦ’ ସଂପାଦକ (ଫିଚର) ଡକ୍ଟର ଗୌରହରି ଦାସ, ସ୍ତମ୍ଭକାର ଡକ୍ଟର ଶୈଳେନ୍ଦ୍ର ଦ୍ୱିବେଦୀ, ଉତ୍କଳ ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ଏଲ.ଏନ୍‌. ମିଶ୍ର, ପ୍ରଫେସର ନିବେଦିତା ମହାନ୍ତି, ସମାଜସେବୀ ଆଲେକ୍‌ଜାଣ୍ଡର ଦାସ, ତ୍ରୈଲୋକ୍ୟନାଥ ପାଣ୍ଡେ, ଅଭିରାମ ବିଶ୍ୱାଳ, ଡକ୍ଟର ପ୍ରତ୍ୟୁଷ କୁମାର ମଣ୍ଡଳ, ପ୍ରଫେସର ଯତୀନ୍ଦ୍ର କୁମାର ନାୟକ, ପ୍ରଫେସର ଅଶ୍ୱିନୀ କୁମାର ମହାପାତ୍ର, ପ୍ରୋଜିତ କୁମାର ପାଲିତ୍‌ ପ୍ରମୁଖ କର୍ମଶାଳାରେ ଯୋଗଦେଇଥିଲେ। କର୍ମଶାଳାର ଉଦ୍‌ଯାପନୀ ଅଧିବେଶନରେ କୁଳପତି ପ୍ରଫେସର ପ୍ରକାଶ ଚନ୍ଦ୍ର ଷଡଙ୍ଗୀ ସଭାପତିତ୍ୱ କରିଥିଲେ। ଏହି ଅବସରରେ ପ୍ରଫେସର ଶ୍ରୀନିବାସଉଲ୍ଲା ଏନ୍‌.ଏସ୍‌, ବାର୍‌ କାଉସିଲ୍‌ ଅଫ୍‌ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ତଥା ହାଇକୋର୍ଟ ବାର୍‌ ଆସୋସିଏସନର ସଭାପତି ଆଇନଜୀବୀ ଅଶୋକ କୁମାର ପରିଜା, ପ୍ରଫେସର କିଶୋର କୁମାର ବାସା, ପ୍ରଫେସର ଅନ୍ନପୂର୍ଣ୍ଣା ପାଣ୍ଡେଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲ। ବିଭାଗୀୟ ମୁଖ୍ୟ ପ୍ରଫେସର ଡକ୍ଟର ଚଣ୍ଡି ପ୍ରସାଦ ନନ୍ଦ ଶେଷ ବିବରଣୀ ପାଠ କରିଥିବା ବେଳେ ବିଶ୍ୱବିଦ୍ୟାଳୟ ସିସିଡି ପ୍ରଫେସର ଡକ୍ଟର ଗୌରାଙ୍ଗ ଚରଣ ନନ୍ଦ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର