ଭୁବନେଶ୍ବର : ଆନ୍ତର୍ଜାତିକ ସମବାୟ ଦିବସ ଅବସରରେ ଅନ୍ଲାଇନ୍ ମାଧ୍ୟମରେ ଏକ ଜାତୀୟ ସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗ ଦେଇ କହିଲେ, ଏବେ କୋଭିଡ୍ ପାଇଁ ଜୀବନଜୀବିକା ଅତି ମାତ୍ରାରେ ପ୍ରଭାବିତ ହୋଇଛି। କୋଭିଡ୍ ବାଦ୍ ଆଉ କିଛି ପ୍ରାକୃତିକ ବିପର୍ଯ୍ୟୟ ମାନବ ସମାଜ ପାଇଁ ପ୍ରଶ୍ନ ଠିଆ କରିଛି। ଏହି ସବୁ ଘଟଣା ଗତ କିଛି ବର୍ଷ ଧରି ହେଉଥିବା ଜଳବାୟୁ ପରିବର୍ତ୍ତନର ସିଧାସଳଖ ପରିଣାମ। ଚଳିତ ବର୍ଷ ସମବାୟ ଦିବସର ଥିମ୍ ରହିଛି ‘ଜଳବାୟୁ ପରିବର୍ତ୍ତନେର ସମବାୟର ଭୂମିକା’। ଜଳବାୟୁ ପରିବର୍ତ୍ତନକୁ ରୋକିବାରେ ଆମ ସମସ୍ତଙ୍କ ଗୁରୁ ଦାୟିତ୍ବ ରହିଛି। ଏଥି ପାଇଁ ସମବାୟିକ ଭାବର ଆବଶ୍ୟକତା ରହିଛି, ଯେଉଁଥିରେ ସାଧାରଣ ଜନତା ଏକ ସଙ୍ଗେ ପରିବେଶ ସୁରକ୍ଷା ପାଇଁ ନିଜର ଯୋଗଦାନ ଦେବେ।
ଆଲୋଚନାରେ ଅଂଶଗ୍ରହଣ କରି କୃଷି ମନ୍ତ୍ରୀ ଅରୁଣ ସାହୁ କହିଲେ ଯେ କୃଷି ଓ ସମବାୟ ପରସ୍ପରର ପରିପୂରକ। ଚାଷୀମାନଙ୍କୁ ଫସଲ ଋଣ ଯୋଗାଇ ଦେବା କ୍ଷେତ୍ରରେ ସମବାୟ ବିଭାଗ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ପରିବେଶ ସୁରକ୍ଷା ମଣିଷର ପ୍ରଧାନ କର୍ତ୍ତବ୍ୟ ହେବା ଉଚିତ ବୋଲି କହିଥିଲେ। ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଞ୍ଜୀବ ପାଣିଗ୍ରାହୀ କହିଲେ େଯ ଭବିଷ୍ୟତ ପିଢ଼ିକୁ ଦୃଷ୍ଟିରେ ରଖି ଆମକୁ ପରିବେଶ ସନ୍ତୁଳନ ସହ ଅର୍ଥନୈତିକ ପ୍ରଗତି ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କହିଲେ ଯେ ସମବାୟ ମାନବ ଜୀବନର ଆଦର୍ଶ ହୋଇପାରିଲେ ଜଳବାୟୁ ପରିବର୍ତ୍ତନ ପରି ଅନେକ ସମସ୍ୟାର ସମାଧାନ ହୋଇପାରିବ। ପ୍ରଫେସର ହରେକୃଷ୍ଣ ମିଶ୍ର, ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ଶାସନ ସଚିବ ଦେବେନ୍ଦ୍ର କୁମାର ଜେନା ଓ ଆଇନ ପରାମର୍ଶଦାତା କମଳଲୋଚନ ବାରିକ ପ୍ରମୁଖ ଆଲୋଚନାରେ ସାମିଲ ହୋଇଥିଲେ। ଆନ୍ତର୍ଜାତିକ ସମବାୟ ଦିବସ ପାଳନ ଅବସରରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ରାଜ୍ୟ ସମବାୟ ୟୁନିଅନ୍ କାର୍ଯ୍ୟାଳୟ ପରିସରରେ ସମବାୟ ପତାକା ଉତ୍ତୋଳନ କରିଥିଲେ। ୟୁନିଅନ୍ର ସଭାପତି ହେମନ୍ତ ନାୟକ ଉପସ୍ଥିତ ଥିଲେ।