ବ୍ରହ୍ମପୁର: ବ୍ରହ୍ମପୁର ଖଲ୍ଲିକୋଟ କଲେଜ ପଡ଼ିଆରେ ଅନୁଷ୍ଠିତ ହେଉଥିବା କ୍ରିକେଟ୍ ପ୍ରତିଯୋଗିତାର ଉଦ୍ଯାପନୀ ସନ୍ଧ୍ୟାରେ ଆଜି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳାଳି ସୌରଭ ତିୱାରୀ। ତାଙ୍କୁ ଦେଖିବା ସହ ଓ ସେଲ୍ପି ନେବାପାଇଁ ଯୁବ ପିଢ଼ିଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା। ବ୍ରହ୍ମପୁର ଆସିବା ପୂର୍ବରୁ ଅନ୍ୟତମ ଶକ୍ତିପୀଠ ତାରାତାରିଣୀ ମନ୍ଦିର ପରିଦର୍ଶନ କରିବା ତାଙ୍କ ପାଇଁ ବଡ଼ ଉପଲବ୍ଧି ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ। ଓଡ଼ିଶାରେ କ୍ରିକେଟ୍ ପ୍ରତିଭା ଭରପୁର୍ ରହିଥିବା ବେଳେ ଏଭଳି ପ୍ରତିଯୋଗିତା ଆୟୋଜନ ସେମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ।
ସମସ୍ତ ଖେଳାଳିଙ୍କ ଭାରତ ପାଇଁ ଖେଲିବା ସ୍ବପ୍ନ ଥାଏ। ତେବେ କେହି ସଟ୍କଟ୍ (ଗଳାବାଟ) ନଖୋଜି କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ। ଫଳରେ ଯେତେବେଳେ ସୁଯୋଗ ମିଳିବ, ତା’ର ସଠିକ୍ ଉପଯୋଗ କରିପାରିବ ବୋଲି କହିଥିଲେ। ଭାରତ ଦଳରେ ସ୍ଥାନ ପାଇ, ଦେଶ ପାଇଁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଥିବାରୁ ନିଜକୁ ସେ ଧନ୍ୟ ମନେ କରୁଥିବା ବେଳେ, ସଚିନ୍ ତେନ୍ଦୁଲକର୍ଙ୍କ ସହ ବ୍ୟାଟିଂ କରିବା ତାଙ୍କ ଜୀବନର ସବୁଠୁ ବଡ଼ ଉପଲବ୍ଧ ବୋଲି ପ୍ରକାଶ କରିଥିଲେ।