ଏଫଏମ୍ ବିଶ୍ବବିଦ୍ୟାଳୟରେ ଅନ୍ତର୍ଜାତୀୟ ସାଂସ୍କୃତିକ ଉତ୍ସବ ‘ଉନୁରୁମ’ ଉଦ୍‌ଯାପିତ

ବାଲେଶ୍ବର: ଫକୀରମୋହନ ବିଶ୍ବବିଦ୍ୟାଳୟ ଆନୁକୂଲ୍ୟରେ ୨୪ ତାରିଖରୁ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ସାଂସ୍କୃତିକ ସମାରୋହ ‘ଉନୁରୁମ’ ଆଜି ଉଦ୍‌ଯାପିତ ହୋଇଯାଇଛି। ଏହି ଉଦଯାପନୀ ସମାରୋହରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଇଲିଆନା ସିତାରିଷ୍ଟ, ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, କବି ଶୈଳଜ୍ ରବି ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ପଦ୍ମଶ୍ରୀ ଇଲିଆନା କହିଥିଲେ, ମୁଁ ବର୍ଷେ ଦୁଇବର୍ଷ ଭିତରେ ଓଡ଼ିଶୀ ନୃତ୍ୟ ଶିକ୍ଷା କରି ଇଟାଲି ପ୍ରତ୍ୟାବର୍ତ୍ତନ କରିଯିବାର ବିଚାର କରି ଆସିଥିଲି। କିନ୍ତୁ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ମୋତେ ଦୀର୍ଘ ୨୦ ବର୍ଷ ଧରି ବାନ୍ଧି ରଖିଛି।

ମୁଁ ଓଡ଼ିଶୀ ନୃତ୍ୟର ପ୍ରତିନିଧିତ୍ବ କରି ନିଜକୁ ଧନ୍ୟ ମନେ କରୁଛି। ଲୋକସଂସ୍କୃତି ନିକଟରେ ଥିବା ଭୂମିସଂଲଗ୍ନ ବାସ୍ତବତାକୁ ଚିହ୍ନି ଚିହ୍ନାଇ ଦେବାର ପ୍ରୟାସ କରି ଫକୀରମୋହନ ବିଶ୍ବବିଦ୍ୟାଳୟ ଏକ ଉଦାହରଣ ପ୍ରସ୍ତୁତ କରିଛି ବୋଲି ସେ କହିଥିଲେ। ସାଂସଦ ଶ୍ରୀ ଷଡ଼ଙ୍ଗୀ କହିଥିଲେ, ଗୋଟିଏ ଗତାନୁଗତିକ ଧାରାରେ ପାଠପଢ଼ି ବର୍ତ୍ତମାନର ଯୁଗୀୟ ବୈଶିଷ୍ଟ୍ୟ ଭିତରେ ବହୁମୁଖୀ ପ୍ରତିଭାର ଅଧିକାରୀ ହୋଇପାରିବ ନାହିଁ। ତେଣୁ ନୂଆ ନୂଆ ବିଷୟ ପ୍ରତି ଆଗ୍ରହ ଓ ନିରନ୍ତରତା ରଖି ବିଦ୍ୟାର୍ଥୀ ଶିକ୍ଷାଗ୍ରହଣରେ ପ୍ରବୃତ୍ତି ରହିଲେ ସିଦ୍ଧି ଅବଶ୍ୟ ପ୍ରାପ୍ତ ହେବ। ସେହିପରି ଜୀବନରେ ଶୃଙ୍ଖଳା ଓ ପ୍ରତିଶ୍ରୁତିବଦ୍ଧତା ନରହିଲେ ତାହା ମୂଲ୍ୟହୀନ ହୋଇଯାଏ, ଲୋକସଂସ୍କୃତି ଓ ଲୋକସାହିତ୍ୟ ସଭ୍ୟତାକୁ ଗୋଟିଏ ସଂରଚନାତ୍ମକ ମାର୍ଗ ପ୍ରଦର୍ଶନ କରିଥାଏ, ଫକୀରମୋହନ ବିଶ୍ବବିଦ୍ୟାଳୟ ସେହି କେନ୍ଦ୍ରୀୟ ଭାବଧାରାକୁ ବ୍ୟାବହାରିକ ସ୍ତରକୁ ଆଣିବାର ପ୍ରୟାସ କରିଛି ବୋଲି କବି ରବି ପ୍ରକାଶ କହିଥିଲେ। ଅନ୍ୟତମ ଅତିଥି ଭାବେ ଓଡ଼ିଶାର ଲୋକପ୍ରିୟ କଳାକାର ଅଶ୍ରୁମୋଚନ ମହାନ୍ତି ଯୋଗ ଦେଇ କଳା ଭିତରେ ବଞ୍ଚିବାର ସ୍ରୋତ ପ୍ରବାହିତ, ଯାହା ଜୀବନକୁ ମାର୍ଜିତ ଓ ସୁନ୍ଦର କରେ ବୋଲି କହିଥିଲେ।

କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଶ୍ରେଣୀଗୃହରେ ବିଧିବଦ୍ଧ ପାଠପଢା ସହିତ ପ୍ରଦର୍ଶନଶୀଳ କଳା ଓ ସଂସ୍କୃତି ପ୍ରତି ବିଦ୍ୟାର୍ଥୀଙ୍କୁ ଅନୁରାଗୀ କରାଇ ସେ ଦିଗରେ ପ୍ରଶିକ୍ଷଣ ଦେବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ପ୍ରକାଶ କରିଥିଲେ। ଆଗାମୀ ଦିନରେ ‘ସେଣ୍ଟର ଫର୍ କନ୍ଟେମ୍ପୋରାରି ଆର୍ଟ’ କେନ୍ଦ୍ର ବିଶ୍ବବିଦ୍ୟାଳୟ ଆନୁକୂଲ୍ୟରେ କର୍ଯ୍ୟକାରୀ କରିବା ପାଇଁ ପ୍ରଫେସର ତ୍ରିପାଠୀ ଘୋଷଣା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ, କୁଳସଚିବ କୁକୁମିନା ଦାସ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଇଲିଆନା ସିତାରିଷ୍ଟ, ଶୈଳଜ ରବି, ନାନ୍ସି ପପ୍, ସଦାଶିବ ପ୍ରଧାନଙ୍କୁ ଡ. ଦୀନାନାଥ ପାଠୀ ସମ୍ମାନରେ ଏବଂ କଳାକାର ଅଶ୍ରୁମୋଚନ ମହାନ୍ତିଙ୍କୁ ‘ଉନୁରୁମ’ ପ୍ରମାଣପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା।

‘ଉନୁରୁମ’ ଅବସରରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା କୃତୀ ବିଦ୍ୟାର୍ଥୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଯୋଗ ଦେଇଥିବା ଶିଳ୍ପୀ ଓ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା। ଅନୁରୂପ ଭାବେ ଜଉ କଣ୍ଢେଇ, ଥିଏଟର୍ ଆର୍ଟ୍, ପାମ୍ ଲିଫ୍ ଆର୍ଟ ଓ ଚିତ୍ରକଳା ଆଦି ଚାରୋଟି ବିଷୟର କର୍ମଶାଳାରେ ଅଂଶଗ୍ରହଣ କରିଥିବା ୧୦୦ ଜଣ ବିଦ୍ୟାର୍ଥୀଙ୍କୁ ମଧ୍ୟ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ‘ଡାକମୁନସି’ ଗଳ୍ପର ନାଟ୍ୟରୂପ ମଞ୍ଚସ୍ଥ ହୋଇଥିଲା। ଉତ୍ସବର ସଂଯୋଜକ ଡ.ଦେବାଶିଷ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଡ.ସ୍ମୃତି ପାଢ଼ୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ। ଶେଷରେ ‘ୟଙ୍ଗ୍ ହାର୍ଟ’ର ସଦସ୍ୟ ବିକର୍ତ୍ତନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର