ରାଉରକେଲା: ସାଇବର ଠକମାନେ ସେବି ଦ୍ବାରା ପଞ୍ଜୀକୃତ ଏକ ସଂସ୍ଥା ଇନ୍ଦିରା ସିକ୍ୟୁରିଟିଜ୍ ନାମକ ଏକ ନକଲି ଟ୍ରେଡିଂ ଆପ୍ ମାଧ୍ୟମରେ ଜଣେ କେନ୍ଦ୍ର ସରକାରୀ କର୍ମଚାରୀଙ୍କଠାରୁ ୬୮ ଲକ୍ଷ ଟଙ୍କା ଠକି ନେଇଥିଲେ। ଏ ସଂକ୍ରାନ୍ତରେ କର୍ମଚାରୀ ଜଣକ ୨୦୨୩ ଡିସେମ୍ବର ୩୦ ତାରିଖରେ ରାଉରକେଲା ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ। ଏହି ଘଟଣାର ତଦନ୍ତ କଲାବେଳେ ରାଉରକେଲା ପୁଲିସ ଏକ ଅନ୍ତର୍ଜାତୀୟ ସାଇବର ରୢାକେଟ୍ ବିଷୟରେ ଜାଣିବାକୁ ପାଇଥିଲା। ଦକ୍ଷିଣ-ପୂର୍ବ ଏସୀୟ ଦେଶଗୁଡ଼ିକରେ ସକ୍ରିୟ ରହିଥିବା ଏହି ଠକ ଗ୍ୟାଙ୍ଗ କାମ୍ବୋଡିଆରୁ ପରିଚାଳିତ ହେଉଥିବାବେଳେ ଏଥିରେ ଶହଶହ ଭାରତୀୟ ଯୁବକ ରହିଛନ୍ତି। ଚଳିତବର୍ଷ ଜାନୁଆରିରୁ ଅଗଷ୍ଟ ମଧ୍ୟରେ ଏହି ଅର୍ନ୍ତଜାତୀୟ ରୢାକେଟ୍ର ମୋଟ ୧୪ ଜଣ ଭାରତର ବିଭିନ୍ନ ସ୍ଥାନରୁ ଗିରଫ ହୋଇଛନ୍ତି। ଅଭିଯୁକ୍ତମାନେ ଷ୍ଟକ୍ ମାର୍କେଟ୍, ଡେଟିଂ ଆପ୍, ଡିଜିଟାଲ କରେନ୍ସିରେ ନିବେଶ କରିବା ନାଁରେ ଠକେଇ କରିବା ସହ ମଣିଷ ଚାଲାଣ କରିବାକୁ ମଧ୍ୟ ପଛାଉନାହାନ୍ତି।
କାମ୍ବୋଡ଼ିଆରୁ ପରିଚାଳିତ ହେଉଛି ରୢାକେଟ୍
ଅଭିଯୁକ୍ତଠାରୁ ଡଲାର ସମେତ ୩ ଦେଶର ମୁଦ୍ରା ଜବତ
ଦେଶର ଅନେକ ଶିକ୍ଷିତ ଯୁବକ, ଯୁବତୀ ଯେଉଁମାନେ ଚାକିରି ପାଇଁ ଡିଜିଟାଲ ଦୁନିଆର ସାହାରା ନେଉଛନ୍ତି, ସେହିମାନଙ୍କୁ ହିଁ ଜାଲରେ ପକାଇ ବଡ଼ବଡ଼ କମ୍ପାନିରେ କାର୍ଯ୍ୟରତ କର୍ମଚାରୀଙ୍କଠାରୁ କୋଟିକୋଟି ଟଙ୍କା ଲୁଟୁଛନ୍ତି ଏହି ଅନ୍ତର୍ଜାତୀୟ ସାଇବର୍ ଲୁଟେରା। ଏହି ଠକମାନଙ୍କ ନାଁରେ ଦେଶର ବିଭିନ୍ନ ରାଜ୍ୟ ଯଥା ବିହାର, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ରାଜସ୍ଥାନ, ତାମିଲନାଡ଼ୁ, ଉତ୍ତରପ୍ରଦେଶ, ଅରୁଣାଞ୍ଚଳପ୍ରଦେଶ, ଦିଲ୍ଲୀ, କେରଳ, ଛତିଶଗଡ଼ ଓ ଝାଡ଼ଖଣ୍ଡରେ ୫୦୦ରୁ ଅଧିକ ଅଭିଯୋଗ ରହିଛି। ଇତିମଧ୍ୟରେ ରାଉରକେଲା ପୁଲିସ ଜଣେ ମୁଖ୍ୟ ଅଭିଯୁକ୍ତକୁ ଉତ୍ତରପ୍ରଦେଶରୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତର ପରିଚୟ ପୁଲିସ ପ୍ରଘଟ କରିନାହିଁ। ସେ କାମ୍ବୋଡିଆ ସହ ଭାରତର ଅନେକ ସଂସ୍ଥାରେ କର୍ମଚାରୀ ଭାବେ କାମ କରି ଶହଶହ ଲୋକଙ୍କୁ ଠକିଛି। ତାକୁ ପୁଲିସ ରିମାଣ୍ଡରେ ଆଣି ତଦନ୍ତ ଜାରି ରଖିଛି।
ଏ ନେଇ ରାଉରକେଲା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଏବଂ ରାଉରକେଲା ଏସ୍ପି ନୀତେଶ ୱାଧୱାନୀ ସୂଚନା ଦେଇଛନ୍ତି। ତଦନ୍ତରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସହ ଆଇବି ରାଉରକେଲା ପୁଲିସକୁ ସମସ୍ତ ସହଯୋଗ କରୁଥିବା ଏସ୍ପି ଶ୍ରୀ ୱାଧୱାନୀ କହିଛନ୍ତି। ଗିରଫ ଅଭିଯୁକ୍ତଠାରୁ ୧୦ଟି ମୋବାଇଲ୍ ଫୋନ୍, ୮ଟି ପେନ୍ ଡ୍ରାଇଭ୍, ୧୪ଟି କ୍ରେଡିଟ୍ ଓ ଡେବିଟ୍ କାର୍ଡ, ଭାରତ, ନେପାଳ, ଆମେରିକା ଓ କାମ୍ବୋଡିଆର ମୁଦ୍ରା, ୧୪ଟି ବ୍ୟାଙ୍କ ପାସ୍ବୁକ୍ ଓ ଚେକ୍ବୁକ୍, ପାସପୋର୍ଟ, ଆଧାର କାର୍ଡ, ଡ୍ରାଇଭିଂ ଲାଇସନ୍ସ, ଏକ ପ୍ରିଣ୍ଟିଂ ମେସିନ୍, ଏକ ୱାଇଫାଇ ରାଉଟର୍ ଓ ୮ଟି ସିମ୍ କାର୍ଡ ଜବତ କରିଛି। ତଦନ୍ତରେ ପାନପୋଷ ଏସ୍ଡିପିଓ ଉପାସନା ପାଢ଼ୀ, ଇନ୍ସପେକ୍ଟର ପଦ୍ମାବତୀ ମିର୍ଦ୍ଧା, ସାଇବର ସେଲ୍ର ଏସ୍ଆଇ ସମ୍ପଦ ମହାନ୍ତି ଏବଂ ଏସ୍ଆଇ ବିକାଶ କଲିତ୍ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/29/BKYGRFmJYKHs8yp1WJs3.jpg)