ଅନ୍ତର୍ଜାତୀୟ ବନ୍ଧ ସୁରକ୍ଷା ସମ୍ମିଳନୀ ଉଦ୍‌ଘାଟିତ : ନୂଆ ବନ୍ଧ ନିର୍ମାଣ ଅସମ୍ଭବ

ଭୁବନେଶ୍ବର : କିଟ୍ ପରିସରରେ ଆଜି ଅନ୍ତର୍ଜାତୀୟ ବନ୍ଧ ସୁରକ୍ଷା ସମ୍ମିଳନୀ ଉଦ୍‌ଘାଟିତ ହୋଇଛି। ରାଜ୍ୟ ଜଳ ସଂପଦ ମନ୍ତ୍ରୀ ନିରଂଜନ ପୂଜାରୀ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ପୂଜାରୀ କହିଲେ, ଜଳ ପରିଚାଳନାରେ ବନ୍ଧର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଜଳସେଚନ, ଖାଦ୍ୟଶସ୍ୟର ଉତ୍ପାଦନ ଓ ପାନୀୟ ଜଳ ପାଇଁ ବନ୍ଧ ନିତାନ୍ତ ଆବଶ୍ୟକ। ରାଜ୍ୟର ୮୦ ପ୍ରତିଶତ ବଡ଼ ବନ୍ଧ ୨୦/୨୫ବର୍ଷ ପୁରୁଣା। ଆଜିର ସମୟରେ ନୂଆ ବନ୍ଧ ନିର୍ମାଣ କରିବା ସମ୍ଭବ ନୁହେଁ। ଏଥିପାଇଁ ଅନେକ ସମସ୍ୟା ରହିଛି। ତେଣୁ ଯେଉଁ ବନ୍ଧ ରହିଛି ତାହାର କିଭଳି ଠିକ୍ ପରିଚାଳନା ହୋଇପାରିବ, ଗୁରୁତ୍ବ ଦିଆଯିବା ଆବଶ୍ୟକ। ବନ୍ଧର ସୁରକ୍ଷା ନେଇ ଯାଞ୍ଚ ଓ ଠିକ୍ ସମୟରେ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବା ଜରୁରୀ। ବନ୍ଧ ପୁନର୍ବିନ୍ୟାସ ଓ ସୁଧାର ପରି‌ଯୋଜନା ବା ଡ୍ରିପ୍ ଏକ ବଳିଷ୍ଠ ପଦକ୍ଷେପ ବୋଲି ଶ୍ରୀ ପୂଜାରୀ କହିଥିଲେ।

କେନ୍ଦ୍ରୀୟ ଜଳ ସଂପଦ ମନ୍ତ୍ରାଳୟର ସଚିବ ୟୁ.ପି ସିଂହ କହିଲେ, ସ୍ବାଧୀନତା ସମୟରେ ଅନେକ ବଡ଼ ବଡ଼ ବନ୍ଧ ନିର୍ମାଣ ହୋଇଥିଲା। ଦେଶରେ ଏବେ ବି ୧୦୦ବର୍ଷ ପୁରୁଣା ବନ୍ଧ ରହିଛି। ୧୯୮୦ ଦଶକରେ ରାଜ୍ୟ ତଥା ଦେଶରେ ଯେଉଁ ସବୁ ବନ୍ଧ ନିର୍ମାଣ ହୋଇଥିଲା, ତାହା ଏବେ ପୁରୁଣା ହୋଇଗଲାଣି। ସେମାନଙ୍କ ମଧ୍ୟରୁ ଅନେକଙ୍କ ପୁନର୍ବିନ୍ୟାସ ଆବଶ୍ୟକ। ଜଳବାୟୁ ପରିବର୍ତନ ଏକ ବିରାଟ ସମସ୍ୟା ସୃଷ୍ଟି କରିଛି। ଜଳବାୟୁ ପରିବର୍ତନକୁ ନଜରରେ ରଖି ବନ୍ଧ ନିର୍ମାଣ କରାଯିବା ଉଚିତ୍। କେନ୍ଦ୍ର ସରକାର ସଂସଦରେ ବନ୍ଧ ସୁରକ୍ଷା ନେଇ ଏକ ବିଲ୍ ଆଣୁଛନ୍ତି। ଯାହା ଏହାର ପରିଚାଳନାକୁ ଆହୁରି ସୁଦୃଢ଼ କରିବ ବୋଲି ଶ୍ରୀ ସିଂହ କହିଥିଲେ।

କେନ୍ଦ୍ର ଜଳ କମିସନ୍‌ର ଅଧ୍ୟକ୍ଷ ମସୁଦ ହୁସେନ୍ କହିଲେ, ବନ୍ଧଗୁଡ଼ିକର ସୁରକ୍ଷା ଦିଗରେ ଏବେ ବିଶେଷ ଗୁରୁତ୍ବ ଦିଆଯାଉଛି। ୧୯୮୦ ମସିହାରେ ଏଥିପାଇଁ ଏକ କମିଟି ଗଠନ କରାଯାଇଥିଲା। ପରେ ୧୯୯୧ ମସିହାରେ ବନ୍ଧ ସୁରକ୍ଷା ନିଶ୍ଚିତ ଓ ପୁନର୍ବିନ୍ୟାସ ପରିଯୋଜନା ଆରମ୍ଭ ହୋଇଥିଲା। ଓଡ଼ିଶା ସମେତ ଅନ୍ୟ ୩ଟି ରାଜ୍ୟ ଏହାର ସଦସ୍ୟ ରହିଥିଲେ। ଜଳ ପରିଚାଳନା ଦିଗରେ ବନ୍ଧର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା ବେଳେ ଦେଶର ୯ଟି ପ୍ରମୁଖ ଶିକ୍ଷାନୁଷ୍ଠାନଙ୍କୁ ଏଥିରେ ସାମିଲ କରାଯାଇଛି। ବନ୍ଧ ନିର୍ମାଣ ସମୟରେ ଭୂକମ୍ପ ସମ୍ବନ୍ଧୀୟ ତଥ୍ୟକୁ ନଜରରେ ରଖିବା ଆବଶ୍ୟକ। ବନ୍ଧର ସୁପରିଚାଳନା ପାଇଁ ସିଡବ୍ଲ୍ୟୁସି ପକ୍ଷରୁ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରାଯାଉଛି। ଏହା ଭିତରେ ୨୭ଟି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଶ୍ରୀ ହୁସେନ୍ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଶ୍ବ ବ୍ୟାଙ୍କର କଣ୍ଟ୍ରି ଡାଇରେକ୍ଟର ଜୁନୈଦ କମାଲ ଅହମ୍ମଦ, ଅନ୍ତର୍ଜାତୀୟ ବୃହତ ବନ୍ଧ କମିସନର ସଭାପତି ମାଇକେଲ ରୋଜର୍ସ ଓ ରାଜ୍ୟ ଜଳସଂପଦ ବିଭାଗର ପ୍ରମୁଖ ସଚିବ ପି.କେ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବନ୍ଧ ସୁରକ୍ଷା ନେଇ ଏକାଧିକ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଟି. ରା‌ଜେନଶ୍ବରୀ ଧନ୍ୟବାଦ ଦେଇଥିଲେ। ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ୩୦ଟି ଦେଶ ସମେତ ଦେଶର ବନ୍ଧ ସୁରକ୍ଷା ଉପରେ କାର୍ଯ୍ୟ କରୁଥିବା ପ୍ରତିନିଧି ଓ ବନ୍ଧ ନିର୍ମାଣକାରୀ ସଂସ୍ଥା ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର