କଟକ : ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ରେଭେନ୍ସା ବିଶ୍ୱବିଦ୍ୟାଳୟର ସାର୍ଧଶତବାର୍ଷିକୀ ପାଳନ ଅବସରରେ ଇତିହାସ ବିଭାଗ ପକ୍ଷରୁ ଜାନୁଆରି ୯ ଓ ୧୦ ତାରିଖ ଦୁଇ ଦିନ ଧରି ‘ଆଦିବାସୀ କ୍ୱେଶ୍ଚିନ୍ସ ଆଣ୍ଡ୍ ପଲିସି ରୋଡ୍ମ୍ୟାପ୍: ଏନ୍ଭିଜନିଂ ଓଡ଼ିଶା ୨୦୩୬’ ଶୀର୍ଷକ ଅନ୍ତର୍ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହେବ।
ଆଲୋଚନାଚକ୍ରରେ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିବେ ବିଶିଷ୍ଟ ଜର୍ମାନ୍ ଗବେଷକ ପ୍ରଫେସର ହର୍ମାନ୍ କୁଲକେ। ପୂର୍ବରୁ ସେ ଓଡ଼ିଶା ସଂପର୍କିତ ଏକାଧିକ ପ୍ରକଳ୍ପରେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ବିଶେଷକରି, ଓଡ଼ିଶାର ରାଷ୍ଟ୍ରଦେବତା ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଓ ରୀତିନୀତି ସଂପର୍କରେ ତାଙ୍କର ଗବେଷଣା ଅନେକ ନୂଆ ତଥ୍ୟ ସାରା ବିଶ୍ୱକୁ ଦେଇଛି। ସେହିପରି ନିକଟ ଅତୀତରେ ‘ଇମେଜିଂ ଓଡ଼ିଶା’ ଶୀର୍ଷକରେ ଦୁଇଖଣ୍ଡରେ ଏକ ଗବେଷଣା ପୁସ୍ତକର ସେ ମୁଖ୍ୟ ସଂପାଦକ ରହିଛନ୍ତି। ଏହି ଆଲୋଚନାଚକ୍ରରେ ତାଙ୍କ ଭିତ୍ତିପ୍ରବନ୍ଧର ବିଷୟ ରହିଛି, ‘ଆଦିବାସୀ, ରିଲିଜିଅନ୍ ଆଣ୍ଡ୍ କଲ୍ଟ: ମେକିଂ ସେନ୍ସ ଅଫ୍ ଓଡ଼ିଶା ଫ୍ରମ୍ ଓରିସା ରିସର୍ଚ୍ଚ ପ୍ରୋଜେକ୍ଟ-ଓ୍ଵାନ୍ ଆଣ୍ଡ୍ ଟୁ’। ଏହି ଆଲୋଚନାଚକ୍ରରେ ପ୍ରାଚୀନ ଭାରତୀୟ ଇତିହାସ, ପ୍ରତ୍ନତତ୍ତ୍ୱ ଓ ନୃତତ୍ତ୍ୱ କ୍ଷେତ୍ରରେ କାମ କରିଥିବା ବହୁ ବିଶିଷ୍ଟ ଗବେଷକ ଯୋଗ ଦେଉଛନ୍ତି।
ଇତିହାସ ବିଭାଗ ମୁଖ୍ୟ ପ୍ରଫେସର ଚଣ୍ଡୀପ୍ରସାଦ ନନ୍ଦଙ୍କ ସୂଚନାନୁଯାୟୀ ଏହି ଅନ୍ତର୍ଜାତୀୟ ଆଲୋଚନାଚକ୍ରର ବିଷୟବସ୍ତୁ ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାରେ ୬୨ଟି ଜନଜାତି ରହିଛନ୍ତି ଏବଂ ସେମାନଙ୍କ ସଂଖ୍ୟା ରାଜ୍ୟର ମୋଟ ଜନସଂଖ୍ୟାର ୨୨ ପ୍ରତିଶତରୁ ଊର୍ଦ୍ଧ୍ୱ। ଆଜିର ବିଶ୍ୱାୟନ (ଗ୍ଲୋବାଲାଇଜେସନ)ର ସମୟ ଏବଂ ବିକାଶଶୀଳ ଅର୍ଥନୈତିକ ଚାହିଦା ଦୃଷ୍ଟିରୁ ସେମାନଙ୍କର ସ୍ଥିତି ଓ ବିକାଶ କ୍ଷେତ୍ରରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଆଉ ଅଠରବର୍ଷ ପରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଠିତ ହେବାର ଶତବାର୍ଷିକୀ ଉତ୍ସବ ପାଳିତ ହେବ। ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହେଉଥିବା ବେଳେ ଏ ବାବଦରେ ସବୁ ପ୍ରଶ୍ନ ଓ ସଂଶୟର ସମାଧାନ ହୋଇ ବିକାଶର ଏକ ସ୍ପଷ୍ଟ ଚିତ୍ର ମିଳିବା ନିହାତି ଆବଶ୍ୟକ ହୋଇପଡ଼ିଛି। ଏହି ବିଷୟ ଉପରେ ପ୍ରଥମ ପର୍ଯ୍ୟାୟ ଆଲୋଚନାଚକ୍ର ୨୦୧୭ ମସିହା ଅକ୍ଟୋବର ୨୮ ଓ ୨୯ ତାରିଖରେ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ଇତିହାସ ବିଭାଗ ପକ୍ଷରୁ ଏ ଧରଣର ଆଉ ଦୁଇଟି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ୨୦୧୫ ମସିହା ଅଗଷ୍ଟ ମାସ ୧୦ ଓ ୧୧ ତାରିଖରେ ଏ ବାବଦରେ ପ୍ରଥମ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ଏବଂ ତାହାର ବିଷୟ ଥିଲା ‘‘ଡେଭଲପ୍ମେଣ୍ଟ, ଡିସ୍ପ୍ଲେସ୍ମେଣ୍ଟ ଆଣ୍ଡ୍ ରେଜିଷ୍ଟାନ୍ସ ଅନ୍ ସୋସିଆଲ୍ ମୁଭ୍ମେଣ୍ଟ୍ସ’’। ସେହିପରି ୨୦୧୭ ମସିହା ମାର୍ଚ୍ଚ ମାସ ୨୭ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା ଦ୍ୱିତୀୟ ଆଲୋଚନାଚକ୍ର ଏବଂ ତାହାର ବିଷୟ ଥିଲା ‘‘ଅଫ୍ ଲ’, ଷ୍ଟେଟ୍ ଆଣ୍ଡ୍ ସବାଲଟର୍ନ ରେଜିଷ୍ଟାନ୍ସ: ଏକ୍ସପ୍ଲୋରିଂ ନିଉ ସୋସିଆଲ ମୁଭ୍ମେଣ୍ଟସ୍ ଆଣ୍ଡ୍ ଭଏସେସ୍ ଫ୍ରମ୍ ଦ ‘ମାର୍ଜିନ୍ସ’ ଇନ୍ ଓଡ଼ିଶା/ସାଉଥ୍ ଏସିଆ’’।