ଭୁବନେଶ୍ବର: ହାତୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ସ୍ତରରେ ପ୍ରସ୍ତୁତ ହେବ ଆକ୍ସନ୍‌ ପ୍ଲାନ୍‌। କେଉଁ ଅଞ୍ଚଳରେ ହାତୀ-ମଣିଷ ଲଢ଼େଇ ଅଧିକ ହେଉଛି? ପ୍ରତିବର୍ଷ କେତେ ହାତୀ ଓ ମଣିଷଙ୍କ ମୃତ୍ୟ ଘଟୁଛି? କେଉଁ ଜିଲ୍ଲା ଓ ଗାଁ ଅଧିକ ପ୍ରଭାବିତ ହେଉଛି ତାହା ଉପରେ ସମୀକ୍ଷା କରାଯାଇ ରିପୋର୍ଟ ପ୍ରସ୍ତୁତ ହେବ। ସେହି ଆଧାରରେ ହାତୀ-ମଣିଷ ଲଢ଼େଇ ରୋକିବାକୁ ଯୋଜନା ପ୍ରସ୍ତୁତ ହେବ ବୋଲି ‘ମଣିଷ-ହାତୀ ସହବସ୍ଥାନ: ଆହ୍ବାନ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା’ ଶୀର୍ଷକ ଅନ୍ତର୍ଜାତୀୟ କର୍ମଶାଳାକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଆଇୟୁସିଏନ୍‌ ସ୍ପେସିସ୍‌ ସର୍ଭାଇଭାଲ୍‌ କମିସନ, ଭାରତୀୟ ବନ୍ୟପ୍ରାଣୀ ଟ୍ରଷ୍ଟ ଏବଂ କଲମ୍ବସ୍ ଚିଡ଼ିଆଖାନା ଓ ଆକ୍ୱାରିୟମ୍ ସହଯୋଗରେ ଚନ୍ଦକା ବନ୍ୟପ୍ରାଣୀ ଡିଭିଜନ୍‌ର ଗୋଡ଼ିବାରିଠାରେ ବିଶ୍ୱର ପ୍ରଥମ ‘ଏସୀୟ ହାତୀ ପ୍ରଜାତି ବଞ୍ଚାଇବା କେନ୍ଦ୍ର’ ପ୍ରତିଷ୍ଠା ହେବ। ଏହି କେନ୍ଦ୍ର କେବଳ ଓଡ଼ିଶା ନୁହେଁ, ବରଂ ସମଗ୍ର ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଏସିଆ ପାଇଁ ହାତୀଙ୍କ ଗବେଷଣା, ନୀତି ଓ ସର୍ବୋତ୍ତମ ଅଭ୍ୟାସକୁ ପ୍ରବର୍ତ୍ତାଇବ। ଏହି ପଦକ୍ଷେପ ଏସୀୟ ହାତୀ ସଂରକ୍ଷଣରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିବ। ଦକ୍ଷିଣ-ପୂର୍ବ ଏସିଆରେ ହାତୀ ସଂରକ୍ଷଣରେ ବିଜ୍ଞାନକୁ ଆଗକୁ ବଢ଼ାଇବା, ନୀତି ଗଠନ ଓ ସାମୁଦାୟିକ କାର୍ଯ୍ୟ ପରିଚାଳିତ କରିବାକୁ ଏକ ଆଞ୍ଚଳିକ କେନ୍ଦ୍ର ଭାବେ କାର୍ଯ୍ୟ କରିବ।

ଆଞ୍ଚଳିକ ସ୍ତରରେ ହେବ ଆକ୍ସନ୍‌ ପ୍ଲାନ୍‌: ମୁଖ୍ୟମନ୍ତ୍ରୀ

ଚନ୍ଦକାରେ ପ୍ରତିଷ୍ଠା ହେବ ‘ଏସୀୟ ହାତୀ ପ୍ରଜାତି ବଞ୍ଚାଇବା କେନ୍ଦ୍ର’
୨୦୨୪ରେ ହାତୀ ଆକ୍ରମଣରେ ୧୪୩ ଜଣଙ୍କ ଜୀବନ ଯାଇଛି

ଦେଶ ବିଦେଶର ପ୍ରତିନିଧି ଓ ବିଶେଷଜ୍ଞମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଲେ କୃଷିର ପ୍ରସାର, ସହରୀକରଣ ଓ ଭିତ୍ତିଭୂମି ବିକାଶ ହାତୀ ବାସସ୍ଥାନକୁ ହ୍ରାସ କରୁଛି। ମଣିଷ-ହାତୀ ସଂଘର୍ଷ ବୃଦ୍ଧି ପାଉଛି। ହାତୀଙ୍କ ବାସସ୍ଥାନ କ୍ଷତି ଯୋଗୁଁ ବଢ଼ୁଥିବା ସଂଘର୍ଷ ରୋକିବାକୁ ହାତୀ କରିଡର୍‌ ମ୍ୟାପିଂ, ଜଙ୍ଗଲ ପୁନରୁଦ୍ଧାର, ଗଜ ସାଥୀ ଓ ବନ ସୁରକ୍ଷା ସମିତି ମାଧ୍ୟମରେ ସ୍ଥାନୀୟ ଗୋଷ୍ଠୀକୁ ସଶକ୍ତ କରିବା, ଶିକାର ବିରୋଧୀ ସ୍କ୍ୱାଡ୍‌କୁ ସୁଦୃଢ଼ ଏବଂ ହାତୀ ଗତିବିଧି ଟ୍ରାକିଂ କରିବାକୁ ଜିପିଏସ୍‌ କଲାର, ଡ୍ରୋନ୍ ଓ ଏଆଇ କ୍ୟାମେରା ବ୍ୟବହାର ହେଉଛି। ହାତୀଙ୍କ ଖାଦ୍ୟ ଯୋଗାଇବାକୁ ବାଉଁଶ ସହ ଧାନ ଚାଷ କରିବାକୁ ପ୍ରସ୍ତାବ ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଯୋଗଦେଇ କହିଲେ ହାତୀ-ମଣିଷ ଲଢ଼େଇରେ ୨୦୨୪ରେ ୧୪୩ ଜଣ ଲୋକଙ୍କ ଜୀବନ ଯାଇଛି। ୧୦ ବର୍ଷ ମଧ୍ୟରେ ୭୮୨ଟି ହାତୀଙ୍କ ମୃତ୍ୟୁ ହୋଇଛି। ସଂଘର୍ଷ ରୋକିବାକୁ ଜଙ୍ଗଲ ଭିତର ଲୋକଙ୍କୁ ଏକାଠି କରି ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ସେ କହିଥିଲେ। ପ୍ରକଳ୍ପ ହାତୀ ନିର୍ଦ୍ଦେଶକ ରମେଶ କୁମାର ପାଣ୍ଡେ ଯୋଗଦେଇ କହିଲେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡକୁ ନେଇ ଗଠିତ ପୂର୍ବ-କେନ୍ଦ୍ରୀୟ ଲ୍ୟାଣ୍ଡ୍‌ସ୍କେପ୍‌ରେ ପ୍ରାୟ ୪ହଜାର ହାତୀ ରହିଛନ୍ତି। ସେମାନଙ୍କୁ ପରିଚାଳନା କରିବା ଏବେ ଆହ୍ବାନ ପାଲଟିଛି। ଆଞ୍ଚଳିକ ସ୍ତରରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଗଲେ ହାତୀ-ମଣିଷ ସହବସ୍ଥାନ ହୋଇପାରିବ ବୋଲି ମତପ୍ରକାଶ କରିଥି‌ଲେ। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ଯୋଗଦେଇ ରାଜ୍ୟ ସ୍ତରରେ ନୀତିଗତ ପଦକ୍ଷେପଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ। ପିସିସିଏଫ୍‌(ବନ୍ୟପ୍ରାଣୀ) ପ୍ରେମ୍‌ କୁମାର ଝା, ଆଇୟୁସିଏନ୍‌ ସ୍ପେସିସ୍‌ ସର୍ବାଇଭାଲର ଉପାଧ୍ୟକ୍ଷା ହାଇଡି ରିଡଲ, ପିସିସିଏଫ୍‌ ସୁରେଶ ପନ୍ଥ, କଲୋମ୍ବସ୍ ଚିଡ଼ିଆଖାନାର ପ୍ରାଣୀ ଯତ୍ନର ଉପାଧ୍ୟକ୍ଷ ଆଡାମ ଫେଲ୍ଟସ୍ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ହାତୀ ସଂରକ୍ଷଣରେ ଓଡ଼ିଶାର ପ୍ରୟାସ ସମ୍ପର୍କିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ ସହ କଫି ଟେବୁଲ୍ ପୁସ୍ତକ, ଗ୍ରନ୍ଥସୂଚୀ ଓ ବ୍ରୋସ୍‌ର ଉନ୍ମୋଚିତ ହୋଇଥିଲା। ସିସିଏଫ୍‌(ବନ୍ୟପ୍ରାଣୀ) ମନୋଜ ଭି ନାୟାର ଧନ୍ୟବାଦ ଦେଇଥିଲେ।