‘ମାସ୍କ’ ଚଳଚ୍ଚିତ୍ରକୁ ଅନ୍ତର୍ଜାତୀୟ ପୁରସ୍କାର

ଡ. ଶ୍ବେତ କୁମାର ଦାଶଙ୍କୁ ପ୍ରଶଂସାର ସୁଅ

ଭୁବନେଶ୍ବର : ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଡ. ଶ୍ବେତ କୁମାର ଦାଶଙ୍କ ସଚେତନତାଧର୍ମୀ ପ୍ରେରଣାଦାୟୀ ଚଳଚ୍ଚିତ୍ର ‘ମାସ୍କ’ ଅନ୍ତର୍ଜାତୀୟ ପୁରସ୍କାର ଲାଭ କରିଛି। ଆର୍ଜେଣ୍ଟିନାରେ ଅନୁଷ୍ଠିତ କ୍ବାରାଣ୍ଟିନ ଇମେଜ ଫିଲ୍ମ ଫେଷ୍ଟିଭାଲ-୨୦୨୦ରେ ଶ୍ରୀ ଦାଶଙ୍କ ଫିଲ୍ମ ପିପୁଲ୍‌ସ ଚଏସ ପୁରସ୍କାରରେ ସମ୍ମାନିତ ହୋଇଛି। ଏଥିପାଇଁ ଶ୍ରୀ ଦାଶଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ମହାପାତ୍ର ପ୍ରଶଂସାପତ୍ର ମାଧ୍ୟମରେ ଶ୍ରୀ ଦାଶଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି।

ରାଜ୍ୟରେ କରୋନା ମହାମାରୀ ବ୍ୟାପିଥିବା ବେଳେ ଗଂଜାମ ଜିଲ୍ଲାରେ ଏହା ଭୟଙ୍କର ରୂପ ଧାରଣ କରିଥିଲା। ସେହି ସମୟରେ ବ୍ରହ୍ମପୁର ସବ୍‌ ଡିଭିଜନରେ ଅବସ୍ଥାପିତ ଶ୍ରୀ ଦାଶ କରୋନା ମୁକାବିଲାର ପରିଚାଳନା ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ଜିଲ୍ଲାକୁ ହଜାର ହଜାର ପ୍ରବାସୀ ଆସିଥିବା ବେଳେ ସେମାନଙ୍କୁ ସ୍ବାଗତ କରିବା ସହ ସେମାନଙ୍କୁ ଘରକୁ ପଠାଇବା ଠାରୁ ଆରମ୍ଭ କରି କୋଭିଡ୍‌ କେୟାର ସେଣ୍ଟରର ପରିଚାଳନା ଦାୟିତ୍ବ ସୂଚାରୁରୂପେ ତୁଲାଇଥିଲେ। ୧୦ମାସର ରହଣି ସମୟରେ ଶ୍ରୀ ଦାଶ ଅକ୍ଳାନ୍ତ ପରିଶ୍ରମ କରିଥିଲେ। ସେଥିପାଇଁ ଗତ ସ୍ବାଧୀନତା ଦିବସରେ ଦକ୍ଷିଣାଞ୍ଚଳ ଆରଡିସି ତାଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରିଥିଲେ।

ସମ୍ବନ୍ଧିତ ଖବର