ଭୁବନେଶ୍ୱର : କରୋନା ଜନିତ ଲକ୍ଡାଉନ୍ ଭୁବନେଶ୍ବର ବିମାନବନ୍ଦର ପାଇଁ ଆଣିଛି ନୂଆ ଅନୁଭୂତି। ବନ୍ଦେ ଭାରତ ମିସନରେ ବିଭିନ୍ନ ଦେଶରୁ ଲୋକ ଆଣି ଆସୁଥିବା ବିଦେଶୀ ବିମାନ ସଂଖ୍ୟା ଓଡ଼ିଶାରେ ବଢ଼ିଛି। ମେ', ଜୁନ୍ ଓ ଜୁଲାଇ ମାସରେ ୧୬ଟି ଦେଶରୁ ବିଭିନ୍ନ କମ୍ପାନିର ଅନ୍ତର୍ଜାତୀୟ ବିମାନ ଏଠାରେ ଅବତରଣ କରିଥିବା ଜଣାପଡ଼ିଛି।
ତିନି ମାସରେ ଭୁବନେଶ୍ବର ବିମାନବନ୍ଦରରେ ଏୟାର୍ ଆରବିଆ, ଫ୍ଲାଏ ଦୁବାଇ, ସଲାମ ଏୟାର୍, ଜଜିରା ଏୟାର୍ୱେଜ୍, କୁଏତ ଏୟାର୍ୱେଜ୍ ଓ ଏତିହାଦ୍ ଭଳି ୯ଟି ବୃହତ କମ୍ପାନିର ବିମାନ ଅବତରଣ କରିଛି। ଏହି ସବୁ ବିମାନ ଦୁବାଇ, ଆବୁଧାବି, କଲମ୍ବୋ, ସିକାଗୋ, ମସ୍କୋ, ମସ୍କାଟ, କୁଏତ, ସାରଜାହ, ମାଲଦୀପ୍, ଦୋହା, ବାହାରିନ, ରିୟାଦ, ୟୁକ୍ରେନ୍, କାଇରୋ, ଲଣ୍ଡନର ହିଥ୍ରୋ ବିମାନ ବନ୍ଦରରୁ ଆସିଛି। ଏହାବାଦ୍ କ୍ବାଲାଲମ୍ପୁରରୁ ଏୟାର ଏସିଆ ବିମାନରେ ଯାତ୍ରୀ ଆସିଛନ୍ତି।
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ, ଏବେ ନିୟମିତ ବ୍ୟବଧାନରେ ବିଭିନ୍ନ ଦେଶରୁ ଓଡ଼ିଆମାନେ ଓଡ଼ିଶା ଫେରୁଛନ୍ତି। ଏଠାରୁ ବି ଯାତ୍ରୀମାନେ ଉକ୍ତ ଦେଶକୁ ଯାଉଛନ୍ତି। ପୂର୍ବରୁ ଏୟାର ଇଣ୍ଡିଆ ବ୍ୟାଙ୍କକ୍ ଓ ଏୟାର ଏସିଆ ବିମାନ ବ୍ୟାଙ୍କକ୍ ଓ କ୍ବାଲାଲମ୍ପୁରକୁ ବିମାନ ସେବା ଯୋଗାଉଥିଲେ। ଏବେ ୧୬ଟି ଦେଶରୁ ଯାତ୍ରୀ ଆସିଥିବାରୁ ସେମାନଙ୍କର ଯାଞ୍ଚ ଏବଂ ଅନ୍ୟାନ ପ୍ରକାରର ସେବା ଯୋଗାଇବା ପାଇଁ ଆମେ ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲୁ। ବହୁ ଅନ୍ତର୍ଜାତୀୟ ବିମାନ ଆସୁଥିବାରୁ ବିମାନବନ୍ଦରରେ କାମ କରୁଥିବା କର୍ମଚାରୀମାନେ ନୂଆ ଅନୁଭୂତି ପାଇଛନ୍ତି। ଭବିଷ୍ୟତରେ ଅଧିକ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ହେଲେ ଆମେ ଠିକ୍ ଭାବେ ପରିଚାଳନା କରିପାରିବୁ ବୋଲି କର୍ମଚାରୀଙ୍କ ମଧ୍ୟରେ ଆତ୍ମବିଶ୍ବାସ ସୃଷ୍ଟି ହୋଇଛି।