ରାୟଗଡ଼ା: କରୋନାରେ ବାପା ଆରପାରିକୁ ଚାଲିଗଲେ। ମାଆ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିବାରୁ ନାବାଳିକା ଝିଅର ବାହାଘର ସାରିଦେଇ ମୁଣ୍ଡରୁ ବୋଝ ଓହ୍ଲାଇ ଦେବା ପାଇଁ ସ୍ଥିର କଲେ। ବହୁ କଷ୍ଟରେ ପରିବାର ଲୋକଙ୍କ ସହଯୋଗରେ ଟଙ୍କା, ପଇସା ଯୋଗାଡ ହେବା ପରେ ବାହାଘର ପାଇଁ ତାରିଖ ମଧ୍ୟ ବାହାରିଗଲା। ହେଲେ ପରିବାର ଲୋକଙ୍କ ନିଷ୍ପତ୍ତି ବିରୋଧରେ ସ୍ବର ଉଠାଇଲେ ଶ୍ବେତା (ଛଦ୍ମନାମ)। ରୋକଠୋକ୍ ମନା କରିଦେଲେ ବୟସ ନ ହେବା ପର୍ଯ୍ୟନ୍ତ ବିବାହ କରିବେ ନାହିଁ।

Advertisment

ବାଲ୍ୟ ବିବାହ ବିରୋଧରେ ସ୍ବର ଉଠାଇ ଉଦାହରଣ ସାଜିଥିବା ଶ୍ବେତାଙ୍କ ଘର ପଦ୍ମପୁର ବ୍ଲକର ଜଗମୁଣ୍ଡାରେ। ଦଶମ ଶ୍ରେଣୀ ପଢ଼ୁଥିବା ସମୟରେ ପରିବାର ଲୋକ ବିବାହ ସ୍ଥିର କରିଥିଲେ। ପ୍ରଶାସନର ସହଯୋଗରେ ଶ୍ବେତା ବିବାହ ବନ୍ଦ କରିବା ପରେ ଦଶମ ଶ୍ରେଣୀ ପରୀକ୍ଷାରେ ୭୯ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ଉଚ୍ଚ ଶିକ୍ଷିତା ହେବାର ଆଶା ନେଇ ଶ୍ବେତା ଏବେ ପଦ୍ମପୁର କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମ ଲେଖାଇଛନ୍ତି। ଆଶା ରଖିଛନ୍ତି ଭଲ ପାଠ ପଢ଼ି ସ୍ବାବଲମ୍ବୀ ହେବେ। ଗରିବ ପରିବାରର ଦୁଃଖ ଦୂର କରିବେ। ଶ୍ବେତାଙ୍କ ଭଳି ଅନ୍ୟ ‌ଜଣେ କିଶୋରୀ ବାଳିକା ସ୍ବପ୍ନା (ଛଦ୍ମନାମ) ମଧ୍ୟ ବାଲ୍ୟ ବିବାହ ବିରୋଧରେ ସ୍ବର ଉତ୍ତୋଳନ କରି ଏବେ ଯୁକ୍ତ ତିନି ପ୍ରଥମ ବର୍ଷରେ ନାମ ଲେଖାଇଛନ୍ତି। ଆଗକୁ ନର୍ସିଂ କରି ରୋଗୀଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ଲକ୍ଷ୍ୟ ରଖିଛନ୍ତି ସ୍ବପ୍ନା।

ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ଶ୍ବେତା, ସ୍ବପ୍ନାଙ୍କ ଭଳି ଅନେକ ସାହାସୀ କିଶୋରୀ ବାଳିକା ବାଲ୍ୟ ବିବାହ ବିରୋଧରେ ସ୍ବର ଉଠାଇବାରେ ଲାଗିଲେଣି। ଯେଉଁଥି ପାଇଁ ଗତ ୩ ବର୍ଷରେ ୨୪୬ ବାଲ୍ୟ ବିବାହ ରୋକା ଯାଇ ପାରିଛି। ୨୦୨୦ ରେ ଜିଲ୍ଲାର ୧୧ ବ୍ଲକରେ ସର୍ବାଧିକ ୯୭ ବାଲ୍ୟ ବିବାହ ରୋକାଯାଇଥିଲା। ସେହିପରି ୨୦୨୧ ରେ ୮୯, ୨୦୨୨ ସେପ୍ଟେମ୍ବର ସୁଦ୍ଧା ୬୦ ବାଲ୍ୟ ବିବାହ ରୋକିବାରେ ପ୍ରଶାସନ ସକ୍ଷମ ହୋଇଛି। ଜିଲ୍ଲା ପ୍ରଶାସନ, ଆକ୍ସନ୍ ଏଡର ମିଳିତ ସହଯୋଗରେ ଚାଲିଥିବା ବାଲ୍ୟ ବିବାହ ମୁକ୍ତ ଅଭିଯାନ ଦ୍ବାରା ଜିଲ୍ଲାର ୧୩୪୫ ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷିତ ହୋଇଛି।

ତେବେ ଏବେ ବି କାଶୀପୁର, କଲ୍ୟାଣସିଂହପୁର, ଚନ୍ଦ୍ରପୁର, ମୁନିଗୁଡ଼ା, ବିଷମକଟକ ଅଞ୍ଚଳରେ ବାଲ୍ୟ ବିବାହ ପ୍ରଥା ଥମି ପାରିନି। ଡଙ୍ଗରିଆ, ଲାଞ୍ଜିଆ ସଉରା ସଂପ୍ରଦାୟ ମଧ୍ୟରେ ଶୀଘ୍ର ବାହାଘର ପ୍ରଥା ରହିଥିବାରୁ ସଚେତନତା ମାଧ୍ୟମରେ ଏହାକୁ ରୋକିବାକୁ ପ୍ରଶାସନ ପ୍ରୟାସ ଜାରି ରଖିଛି। ପଦକ୍ଷେପ ସ୍ବରୂପ ୧୮ ବର୍ଷ ପରେ ବିବାହ କରିଥିବା ଏହି ସଂପ୍ରଦାୟର କିଶୋରୀଙ୍କୁ ସରକାର ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି। ଗତ ୩ ବର୍ଷରେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା (ଡିକେଡିଏ) ୩୩ ଡଙ୍ଗରିଆଙ୍କୁ ଏହି ସହାୟତା ରାଶି ପ୍ରଦାନ କରିଛି। ପୂର୍ବରୁ ସରକାର ପ୍ରୋତ୍ସାହନ ରାଶି ୨ ହଜାର ଟଙ୍କା ଦେଉଥିଲେ। ଏବେ ତାହା ବୃଦ୍ଧି ପାଇ ୨୦ ହଜାରରେ ପହଞ୍ଚିଲାଣି। ଶିକ୍ଷା, ସଚେତନତାର ଅଭାବରୁ ଜିଲ୍ଲାରେ ବାଲ୍ୟ ବିବାହ ସଂଖ୍ୟା ବଢ଼ୁଥିବା ସର୍ଭେରୁ ସ୍ପଷ୍ଟ ହୋଇଛି। ୧୧ରୁ ୧୪ ବର୍ଷ ମଧ୍ୟରେ ପାଠ ଛାଡୁଥିବା କିଶୋର, କିଶୋରୀ ବାଲ୍ୟ ବିବାହ କରି ଶୀଘ୍ର ସନ୍ତାନ ଜନ୍ମ ଦେଉଥିବା ଜଣା ପଡିଛି। ନିକଟରେ ଶେଷ ହୋଇଥିବା ସର୍ଭେ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ୧୧ରୁ ୧୪ ବର୍ଷ ବୟସ ମଧ୍ୟରେ ୧୨୩୧ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଛନ୍ତି। ୨୦୨୧ରେ ଏହି ସଂଖ୍ୟା ୨୨୫୬ ଥିଲା। ପ୍ରଶାସନ ସ୍କୁଲ୍ ଚାଲ ଅଭିଯାନ ସହ ସଚେତନତା ରଥ ଗାଁକୁ ଗାଁ ବୁଲାଇବା ପରେ ଅଧାରୁ ପାଠ ଛାଡ଼ିଥିବା ୮୩୨ ପିଲା ସ୍କୁଲ୍ ମୁହାଁ ହୋଇଥିଲେ।