ଅନ୍ତର୍ଜାତୀୟ ବାଳିକା ଦିବସ : କିଶୋରୀମାନଙ୍କ ପାଇଁ ‘ଅଦ୍ୱିକା’ ଲୋକାର୍ପିତ

ଭୁବନେଶ୍ୱର : ଅନ୍ତର୍ଜାତୀୟ ବାଳିକା ଦିବସରେ ରାଜ୍ୟର କିଶୋରୀମାନଙ୍କ ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ସ୍ବତନ୍ତ୍ର ପ୍ୟାକେଜ ‘ଅଦ୍ବିକା’ ଲୋକାର୍ପିତ କରିଛନ୍ତି। ଏହି କାର୍ଯ୍ୟକ୍ରମ ରାଜ୍ୟର ୧୦ରୁ ୧୯ ବର୍ଷ ବୟସର କିଶୋରୀମାନଙ୍କ ସାମଗ୍ରୀକ ବିକାଶ ଓ ସଶକ୍ତୀକରଣ ପାଇଁ ଉଦ୍ଦିଷ୍ଟ। ଏହା ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ କାର୍ଯ୍ୟକାରୀ କରାଯିବ। ଚଳିତ ବର୍ଷ ଏହି ଦିବସର ଥିମ୍‌ ରହିଛି, ‘ମୋ ସ୍ବର, ଆମର ସମାନ ଭବିଷ୍ୟତ’। ଏହି ଅବସରରେ ବିଭାଗ ଦ୍ବାରା ଆୟୋଜିତ ସ୍ବତନ୍ତ୍ର ୱେବିନାର୍‌ କାର୍ଯ୍ୟକ୍ରମ ଜରିଆରେ କିଶୋରୀମାନଙ୍କ ବିକାଶ ପାଇଁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି।

ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ, ‘ଅଦ୍ବିକା’ର ଅର୍ଥ ହେଉଛି ଅଦ୍ବିତୀୟ। ଝିଅମାନଙ୍କ ମଧ୍ୟରେ ପ୍ରତିଭା ଓ ସାମର୍ଥ୍ୟ ଭରି ରହିଛି। ନିଜ ଅଧିକାର ସମ୍ପର୍କରେ ଝିଅମାନଙ୍କୁ ସଚେତନ କରିବା ହେଉଛି ଏପରି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ୍‌ କହିଥିଲେ, ଦୈନଦିନ ଜୀବନରେ କିଶୋରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ବାନର ସାମ୍ନା କରିବା ପାଇଁ ସେମାନଙ୍କୁ ସଶକ୍ତ କରାଯିବ। ବିଦ୍ୟାଳୟ ଛାଡ଼ିଥିବା କିଶୋରୀ ଯେଉଁମାନେ ନିୟମିତ ପୁଷ୍ଟିସାଧନ କାର୍ଯ୍ୟକ୍ରମ ପାଇଁ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସିଥାନ୍ତି ସେମାନଙ୍କ ପାଇଁ ‘ଅଦ୍ବିକା’ ଆତ୍ମବିଶ୍ବାସ ଆଣିଦେବ। ବାଳିକାମାନେ ସାମ୍ନା କରୁଥିବା ବିଭିନ୍ନ ଯୌନ ଓ ପ୍ରଜନନ ସମ୍ବନ୍ଧିତ ସମସ୍ୟା, ପୁଷ୍ଟିସାଧନ, ସୁବିଧା ପାଇବା ପାଇଁ ଯୋଗ୍ୟତା, ଲିଙ୍ଗଭିତ୍ତିକ ହିଂସା, ଆର୍ଥିକ ସାକ୍ଷରତା, ବିବାହ ଆଦି ପ୍ରସଙ୍ଗକୁ ନେଇ ୧୨ ମାସର କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି। ଏହାସହିତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ, ପୁଷ୍ଟିସାଧନ, ସୁରକ୍ଷା ବ୍ୟବସ୍ଥାକୁ ନିରୀକ୍ଷଣ କରିବା ନିମନ୍ତେ କିଶୋରୀ କାର୍ଡ଼ ପ୍ରଦାନ କରାଯିବ ବୋଲି ଶ୍ରୀମତୀ ଗର୍ଗ ସୂଚନା ଦେଇଥିଲେ।

ମିସନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ୍‌ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ, ରାଜ୍ୟରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ କିଶୋରୀମାନଙ୍କ ପୂର୍ଣ୍ଣାଙ୍ଗ ବିକାଶ ପାଇଁ ଏକ ଅନୁକୂଳ ବାତାବରଣ ନିର୍ମାଣ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ। ବାଲ୍ୟବିବାହ ରୋକିବା, ସ୍କୁଲ ଛାଡ଼ିଥିବା ଝିଅମାନଙ୍କ ଆର୍ଥିକ ସଶକ୍ତୀକରଣକୁ ସୁନିଶ୍ଚିତ କରିବା, ସ୍ବଚ୍ଛତା ଓ ସ୍ବାସ୍ଥ୍ୟ ରକ୍ଷା ଏବଂ ସୁରକ୍ଷା ପ୍ରଦାନ ଦିଗରେ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଅର୍ଥପୂର୍ଣ୍ଣ ଭାବେ ନିୟୋଜିତ କରାଯାଇପାରିବ।

ବାଲ୍ୟବିବାହ ନିରୋଧ-୨୦୧୯ ବାର୍ଷିକ ରିପୋର୍ଟ ଓ ଘରୋଇ ହିଂସା ଉପରେ ଏକ କ୍ଷୁଦ୍ରଚିତ୍ର ଲୋକାର୍ପିତ ହେବା ସହ ବିଭାଗ ତରଫରୁ ସାମାଜିକ ଗଣମାଧ୍ୟମରେ ‘ଟିକି ମାଉସୀ’ ଶୀର୍ଷକ ସଚେତନତା କାର୍ଯ୍ୟକ୍ରମ ସପ୍ତାହବ୍ୟାପୀ ଅନୁଷ୍ଠିତ ହେବ। ଓ୍ବେବିନାର୍‌ରେ କୋରାପୁଟ ଜିଲ୍ଲାର ଚଞ୍ଚଳା ପୂଜାରୀ ଓ ଢେଙ୍କାନାଳ ଜିଲ୍ଲାର ଶୁଭଲକ୍ଷ୍ମୀ ସେଠୀ ନିଜର ବାଲ୍ୟବିବାହକୁ ରୋକିବାରେ ସଫଳ ହୋଇଥିବା ଏବଂ ଏ ଦିଗରେ ଅନେକ ସଚେତନତା କାର୍ଯ୍ୟକ୍ରମ କରୁଥିବା ସମ୍ପର୍କରେ ନିଜର ଅଭିଜ୍ଞତା କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇସିଡିଏସ୍‌ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରଓ୍ବାଲ, ୟୁନିସେଫର ଭାରତ ପ୍ରତିନିଧି ଆର୍ଜେଣ୍ଟିନା ମାଟାଭେଲ୍‌ ପିସିନ୍‌, ରାଜ୍ୟ ପ୍ରତିନିଧି ମୋନିକା ନିଲେସନ୍‌ ଓ ଡ. ୟାସ୍‌ମିନ୍‌ ଅଲ୍ଲି ପ୍ରମୁଖ ସାମିଲ ହୋଇଥିଲେ। ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଡିଏସ୍‌ଡବ୍ଲୁଓ, ଡିସିପିଓ, ସିଡିପିଓଙ୍କ ସମେତ ପ୍ରାୟ ୬୬୦ ଜଣ ଅନ୍‌ଲାଇନ୍‌ରେ ଲଗ୍‌ ଇନ୍‌ କରିଥିଲେ। ୱେବିନାର୍‌ରେ ପ୍ରାୟ ୧ ହଜାର ବ୍ୟକ୍ତି ଯୋଗଦେଇଥିବା ମହିଳା ଓ ଶିଶୁ ବିକାଶ ବିଭାଗ ଜଣାଇଛି।

ସମ୍ବନ୍ଧିତ ଖବର