ଭୁବନେଶ୍ବର : ପ୍ରେରଣା ଗ୍ରିନ୍ ଆର୍ମି ପକ୍ଷରୁ ‘ଅନ୍ତର୍ଜାତୀୟ ସବୁଜ ମହୋତ୍ସବ’ ଉଦ୍ଘାଟନ ସହ ‘ବିଶ୍ବ ସବୁଜ ଯୁଦ୍ଧ’ ଅଭିଯାନ ଆରମ୍ଭ ହୋଇଛି। ଆଜି ରାଜଭବନ ସମ୍ମୁଖରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଜାପାନୀ ପ୍ରତିନିଧିଙ୍କ ସଂଗୀତ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଥିଲା। ଜାପାନ, ଥାଇଲାଣ୍ଡ, ଆମେରିକା ଓ ଲଣ୍ଡନ ସମେତ ୨୦ଟି ଦେଶର ପରିବେଶବିତ, ଶିକ୍ଷାବିତ, ସାମ୍ବାଦିକ, ରାଜନେତା, ସାହିତ୍ୟିକ, ସମାଜସେବୀ, ଅଭିନେତା, ନୃତ୍ୟଶିଳ୍ପୀମାନେ ଅଂଶଗ୍ରହଣ କରି ସବୁଜ ବିଶ୍ବ ପାଇଁ ଶପଥ ଗ୍ରହଣ କରିଥିଲେ।
ଉତ୍ସବକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଉଦ୍ଘାଟନ କରି ସବୁଜ ସଂଗ୍ରାମରେ ସାମିଲ୍ ହେବାକୁ ଆହ୍ବାନ ଦେଇଥିଲେ। ଗ୍ରିନ୍ ଆର୍ମିର କାମାଣ୍ଡାଣ୍ଟ୍ ଇନ୍ ଚିଫ୍ ଡ. ଦିଲ୍ଲୀପ ଶ୍ରୀଚନ୍ଦନ ପୌରୋହିତ୍ୟ କରି କହିଲେ, ଆଜିଠୁ ଜାନୁଆରି ୫ ତାରିଖ ପର୍ଯ୍ୟନ୍ତ ସମୟକୁ ‘ସବୁଜ ନୂଆବର୍ଷ’ ଭାବେ ପାଳନ କରାଯିବ। ଦେଶ ବିଦେଶରେ ୧କୋଟି ଗଛ ଲଗାଯିବା ସହ ୧୦୦ ସଚେତନତା ସଭା, ୧ହଜାର ପଥପ୍ରାନ୍ତ ନାଟକ, ୫ଶହ ଶୋଭାଯାତ୍ରା, ୧ କୋଟି ଚାରା ବିନାମୂଲ୍ୟରେ ବଣ୍ଟାଯିବ। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକଙ୍କ ଗୃହ ପରିସରରେ ବୃକ୍ଷରୋପଣ କରାଯିବ। ବିଶ୍ବର ବିଭନ୍ନ ଦେଶରେ ରହୁଥିବା ଓଡ଼ିଆଙ୍କ ସହଯୋଗରେ ଏହି ଅଭିଯାନ ଚାଲୁ ରହିବ।
ଏହି ଅବସରରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଡ. ପ୍ରକାଶ ଶ୍ରୀଚନ୍ଦନ, ଯଜ୍ଞାଶିଷ ମହାପାତ୍ର, ଅଭିନେତା ଦୈତାରୀ ପଣ୍ଡା, ଲକ୍ଷ୍ମୀକାନ୍ତ ପାଲିତ୍, ଧନଦାକାନ୍ତ ମିଶ୍ର, ଜୟଶ୍ରୀ ଧଳ, ସୁମିତ ଦେବୀ, କସ୍ତୁରୀ ଦେବୀ, ଇଂ ଅଜୟ ସ୍ବାଇଁ, ରାଜେଶ୍ବରୀ ସରନ୍, ସରିତା ଆଚାର୍ଯ୍ୟ, ନରେନ୍ଦ୍ର ପୃଷ୍ଟି, ରମାକାନ୍ତ ମହାପାତ୍ର, ଅବନୀ ଜେନା, ଆଶିଷ ବରିସଲ, ମନିଷା ମନୋଷିନୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।