ଆନ୍ତର୍ଜାତୀୟ କବିତା ପ୍ରତିଯୋଗିତାରେ ବାଜି ମାରିଲେ ଜୟପୁର ଝିଅ ଅନିନ୍ଦିତା

ଜୟପୁର : ଇଂଲଣ୍ଡର ପର୍ଯ୍ୟଟନ ବିଭାଗ ପକ୍ଷଣୁ ଆୟୋଜିତ କବିତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ଜୟପୁରର ଅନିନ୍ଦିତା ଜାହ୍ନବୀ ସୁଆର। ଆନ୍ତର୍ଜାତୀୟ ସ୍ତରର ୧ ହଜାରରୁ ଊର୍ଧ୍ୱ କବିଙ୍କୁ ପଛରେ ପକାଇ ସେ ଏହି ସଫଳତା ପାଇଛନ୍ତି।  ଅନିନ୍ଦିତାଙ୍କ ରଚିତ ‘ଭଏସସେ୍‌ ଫର୍ମ ଦି ପାଷ୍ଟ’ କବିତା ତାଙ୍କୁ ଏକ ନୂଆ ପରିଚୟ ଦେଇଛି।  ଏଥିପାଇଁ ଗତ ଅଗଷ୍ଟ ଶେଷ ସପ୍ତାହରେ ଅନଲାଇନ ମାଧ୍ୟମରେ ଦରଖାସ୍ତ ଆହ୍ଵାନ କରାଯାଇଥିଲା। ଶେଷ ପର୍ଯ୍ୟାୟରେ ଫେସବୁକ ଓ ଇଷ୍ଟାଗ୍ରାମ ମାଧ୍ୟମରେ ଏକ ପେଜ ଖୋଲାଯାଇ ଅନଲାଇନରେ ସହଯୋଗ ଲୋଡାଯାଇଥିଲା। ସେ କହିଛନ୍ତି ଯେ ଇଂଲଣ୍ଡ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରଦତ୍ତ ଏକ ଫଟୋକୁ ଦେଖି କବିତା ରଚନା କରିବାକୁ ଦିଆଯାଇଥିଲା। ଏହି ଫଟୋରେ ଦୁଇଜଣ ସୈନିକ ତାଙ୍କ ଦେଶ ପାଇଁ ଲଢୁଥିବାର ଦେଖାଯାଇଥିଲା। ବିଶ୍ୱର ୧୨୯ଟି ଦେଶରୁ ଶ୍ରେଷ୍ଠ କବିମାନଙ୍କ ଠାରୁ କବିତା ଗ୍ରହଣ କରାଯାଇଥିଲା ବୋଲି ସେ କହିଛନ୍ତି। ଏହି ସଫଳତା ପାଇଁ ତାଙ୍କ କବିତା ପଢ଼ି ଭୋଟ ଦେଇଥିବା ବ୍ୟକ୍ତିବିଶେଷଙ୍କୁ ଅନିନ୍ଦିତା ଧନ୍ୟବାଦ ଜଣାଇଛନ୍ତି। ଭବିଷ୍ୟତରେ ସେ ଜଣେ ପ୍ରତିଷ୍ଠିତ କବି ତଥା ଲେଖକ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ବର୍ତ୍ତମାନ ସେ ଜୟପୁର ବିକ୍ରମଦେବ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମବର୍ଷ କଳାରେ ପଢୁଥିବା ବେଳେ ଅଧ୍ୟାପନା ପାଇଁ ମଧ୍ୟ ଇଚ୍ଛା ରଖିଛନ୍ତି। ଅନିନ୍ଦିତା ହେଉଛନ୍ତି ଅଧ୍ୟାପକ ରବିନ୍ଦ୍ର କୁମାର ସୁଆରଙ୍କ ଝିଅ।

ସମ୍ବନ୍ଧିତ ଖବର