କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଶୁକ୍ରବାର ମଧ୍ୟପ୍ରଦେଶର ଭୋପାଳସ୍ଥିତ ରବୀନ୍ଦ୍ର ଭବନଠାରେ ଅନୁଷ୍ଠିତ ଏସିଆର ସର୍ବବୃହତ ଅନ୍ତର୍ଜାତୀୟ ସାହିତ୍ୟ ମହୋତ୍ସବ ଉନ୍ମେଷ ୨୦୨୩ରେ ଯୋଗ ଦେଇ ମହୋତ୍ସବକୁ ସମ୍ବୋଧିତ କରିଥିଲେ। ସେ ତାଙ୍କ ଅଭିଭାଷଣରେ ପ୍ରାଚୀନ ଭାରତୀୟ ଜ୍ଞାନ ପ୍ରଣାଳୀ, ଚିନ୍ତାଧାରା ଓ ଦର୍ଶନର ମୂଲ୍ୟ ଉପରେ ଆଲୋକପାତ କରିଥିଲେ। ଭାରତୀୟ ଜ୍ଞାନ ବ୍ୟବସ୍ଥା, ଭାରତୀୟ ଦର୍ଶନ, ଭାରତୀୟ ସଂସ୍କୃତି ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ପ୍ରେରଣା ଯୋଗାଇଥାଏ। ଆମର ଦର୍ଶନ ବସୁଧୈବ କୁଟୁମ୍ବକମ ଅର୍ଥାତ ଏକ ପୃଥିବୀ ଏବଂ ଏକ ପରିବାରରେ ବିଶ୍ୱାସ କରେ ବୋଲି କହିଥିଲେ। ପ୍ରାଚୀନ ଭାରତୀୟ ସାହିତ୍ୟ ଯଥା ବେଦ, ଉପନିଷଦ ଓ ପୁରାଣରେ ପ୍ରତିଫଳିତ ହୋଇଥିବା ସଂସ୍କୃତି ଭାରତୀୟ ଦର୍ଶନ ଓ ସାଂସ୍କୃତିକ ମୂଲ୍ୟବୋଧକୁ ଗୋଟିଏ ବିଶ୍ୱ ଗୋଟିଏ ପରିବାରର ସାମାଜିକ ମୂଲ୍ୟବୋଧରେ ସମୃଦ୍ଧ କରିଥିଲା। ମୀରା ଏବଂ ଭଗବାନ କୃଷ୍ଣଙ୍କ ମଧ୍ୟରେ ଦିବ୍ୟ ସମ୍ପର୍କ ଦୁନିଆ ପାଇଁ ଦିବ୍ୟ ପ୍ରେମ ଏବଂ ସୃଜନଶୀଳତାର ପ୍ରତୀକ ଅଟେ। ବିଶ୍ୱର ମଙ୍ଗଳ ପାଇଁ ସାହିତ୍ୟରେ ଭାରତର ଜ୍ଞାନ ଓ ଚିନ୍ତାଧାରାକୁ ପ୍ରତିଫଳିତ କରିବାକୁ ସେ ଅନୁରୋଧ କରିଥିଲେ। ଏହି ଅବସରରେ ସେ ଏନଇପି ୨୦୨୦ର ମୁଖ୍ୟ ବୈଶିଷ୍ଟ୍ୟ ଉପରେ ଆଲୋକପାତ କରିଥିଲେ, ଯେଉଁଠାରେ ଭାରତୀୟ ଜ୍ଞାନର ସୃଜନଶୀଳତା ପ୍ରତିଫଳିତ ହୋଇଛି। ସେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ଅନୁବାଦ କାର୍ଯ୍ୟକୁ ଉଦାହରଣ ଦେଇ ବିଦେଶୀ ଭାଷାରେ ଭାରତୀୟ ପୁସ୍ତକ ଏବଂ ବିଦେଶୀ ପୁସ୍ତକକୁ ଭାରତୀୟ ଭାଷାରେ ଅନୁବାଦ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

Advertisment

publive-image

ଏହି ଅବସରରେ ଛତିଶଗଡ଼ର ରାଜ୍ୟପାଳ ମହାମହିମ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ; ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଶାନ୍ତିଶ୍ରୀ ଧୁଲିପୁଡ଼ି ପଣ୍ଡିତ ଓ ସଂସ୍କୃତି ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରଫେସର ଗିରୀଶ୍ୱର ମିଶ୍ର; ମହୋତ୍ସବକୁ ମଧ୍ୟ ସମ୍ବୋଧିତ କରିଥିଲେ। ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ଏହି ମହୋତ୍ସବ ଅଗଷ୍ଟ ୩, ୨୦୨୩ରୁ ଆରମ୍ଭ ହୋଇ ଅଗଷ୍ଟ ୬, ୨୦୨୩ ପର୍ଯ୍ୟନ୍ତ ଚାଲିବ। ଏହା ହେଉଛି 'ଉନ୍ମେଶ'ର ଦ୍ୱିତୀୟ ସଂସ୍କରଣ।

'ଉନ୍ମେଷ' ହେଉଛି ଭାରତର ସବୁଠାରୁ ଅନ୍ତର୍ଭୁକ୍ତ ସାହିତ୍ୟ ମହୋତ୍ସବ ଏବଂ ଭାଷା ସଂଖ୍ୟାର ପ୍ରତିନିଧିତ୍ୱ ଦୃଷ୍ଟିରୁ ଏହା କେବଳ ଏସିଆର ସର୍ବବୃହତ ସାହିତ୍ୟ ମହୋତ୍ସବ ନୁହେଁ, ବରଂ ଖୁବ୍ ଶୀଘ୍ର ଏହା ବିଶ୍ୱର ସର୍ବବୃହତ ସାହିତ୍ୟ ମହୋତ୍ସବରେ ପରିଣତ ହେବାକୁ ଯାଉଛି । ଏହି ମହୋତ୍ସରେ ଆଲୋଚନାଚକ୍ରରେ ଅନେକ ନୂଆ ପୀଢିର ଲେଖକମାନେ ଅଂଶଗ୍ରହଣ କରିକହନ୍ତି ଏବଂ ଏଥିରେ ସେମାନଙ୍କର ସୃଜନଶୀଳତାକୁ ନୂତନ ଦିଗ ମିଳିଥିବାର ଜଣାପଡିଛି । ମହୋତ୍ସବରେ ୧୦୦ଟି ଭାଷାର ୫୭୫ରୁ ଅଧିକ ଲେଖକ ଅଂଶଗ୍ରହଣ କରିଥିଲେ। ଭାରତ ବ୍ୟତୀତ ଅନ୍ୟ ୧୩ଟି ଦେଶର ଲେଖକ ମାନେ ମଧ୍ୟ ଏହି ମହୋତ୍ସବରେ ଅଂଶଗ୍ରହଣ କରିଥିଲେ।

ଆନ୍ତର୍ଜାତିକ ସାହିତ୍ୟ ମହୋତ୍ସବରେ ବହୁଭାଷୀ କାହାଣୀ ଓ କବିତା ପାଠ ବ୍ୟତୀତ ଅନ୍ୟାନ୍ୟ ଅନେକ ବିଷୟ ଉପରେ ପ୍ରଥମ ଥର ପାଇଁ ଆଲୋଚନା ହେଉଥିଲା। ଏହି ବିଷୟଗୁଡ଼ିକ ମଧ୍ୟରେ ଡାକ୍ତରଙ୍କ ସାହିତ୍ୟ, ମହାସାଗର ସାହିତ୍ୟ, ମେସିନର ଉତ୍ଥାନ - ଲେଖକବିହୀନ ସାହିତ୍ୟ, ସୃଜନଶୀଳତା ବୃଦ୍ଧିକାରୀ ଶିକ୍ଷା ଏବଂ ଅନୁବାଦ ଅନ୍ତର୍ଭୁକ୍ତ। ଭାରତୀୟ କବିତା, ଭାରତୀୟ ଭକ୍ତି ସାହିତ୍ୟ, ଭାରତର ସାଂସ୍କୃତିକ ଐତିହ୍ୟ, ବିବିଧତା ମଧ୍ୟରେ ଏକତା, ସିନେମା ଓ ସାହିତ୍ୟ ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଉଛି। ଏହି ଅନ୍ତର୍ଜାତୀୟ ସାହିତ୍ୟ ମହୋତ୍ସବରେ ଦେଶ ବିଦେଶର ଲେଖକ, ପଣ୍ଡିତ, ସାମ୍ବାଦିକ, ଅନୁବାଦକ, ପ୍ରକାଶକ, ସାଂସ୍କୃତିକ କର୍ମୀ, ନାଟ୍ୟକର୍ମୀ ଓ ଚଳଚ୍ଚିତ୍ର ନିର୍ମାତା ଅଂଶଗ୍ରହଣ କରିଛନ୍ତି । ମହୋତ୍ସବରେ ସାହିତ୍ୟ ଏକାଡେମୀ ଓ ଅନ୍ୟାନ୍ୟ ସାହିତ୍ୟ ଅନୁଷ୍ଠାନର ପୁସ୍ତକ ମଧ୍ୟ ଆକର୍ଷଣୀୟ ରିହାତିରେ ଉପଲବ୍ଧ ହେଉଛି।