ନୂଆଦିଲ୍ଲୀସ୍ଥିତ ‘ଓଡ଼ିଆ ସମାଜ’ ପକ୍ଷରୁ ୨୬ ଓ ୨୭ରେ ଆୟୋଜିତ ହେବ ଅନ୍ତର୍ଜାତୀୟ ଓଡ଼ିଶା ପର୍ବ

ଭୁବନେଶ୍ୱର : ନୂଆଦିଲ୍ଲୀସ୍ଥିତ ‘ଓଡ଼ିଆ ସମାଜ’ ପକ୍ଷରୁ ଆସନ୍ତା ୨୬ ଓ ୨୭ ତାରିଖରେ ଭର୍ଚୁଆଲ୍‌ ମାଧ୍ୟମରେ ଆୟୋଜିତ ହେବ ‘ଅନ୍ତର୍ଜାତୀୟ ଓଡ଼ିଶା ପର୍ବ-୨୦୨୨’। ଏହି ଦୁଇଦିନିଆ ସାଂସ୍କୃତିକ ମହାକୁମ୍ଭ ଓଡ଼ିଶାର ଅନନ୍ୟ କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ପ୍ରଦର୍ଶିତ କରିବ। ୨୬ ମାର୍ଚ୍ଚ ଶନିବାର ସନ୍ଧ୍ୟା ସାଢ଼େ ୬ଟାରେ ନୂଆଦିଲ୍ଲୀସ୍ଥିତ କମାନି ଅଡିଟୋରିୟମଠାରେ ଭର୍ଚୁଆଲ ଅନ୍ତର୍ଜାତୀୟ ଓଡ଼ିଶା ପର୍ବ-୨୦୨୨କୁ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିବେ। ପ୍ରଖ୍ୟାତ ଔପନ୍ୟାସିକା ପ୍ରତିଭା ରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ।

‘ଭର୍ଚୁଆଲ ଅନ୍ତର୍ଜାତୀୟ ଓଡ଼ିଶା ପର୍ବ ୨୦୨୨’ରେ ଓଡ଼ିଶାର ଅନନ୍ୟ କଳା, ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ଭାରତ ସମେତ ଆମେରିକା, କାନାଡା, ଅଷ୍ଟ୍ରେଲିଆ, ତାଞ୍ଜାନିଆ, ରୁଷ, ୟୁଏଇ ଭଳି ରାଷ୍ଟ୍ରର ଲୋକଙ୍କ ନିକଟରେ ପହଞ୍ଚାଇବ। ଏ ସମ୍ପର୍କରେ ‘ଓଡ଼ିଆ ସମାଜ’ର ସଭାପତି ସିଦ୍ଧାର୍ଥ ପ୍ରଧାନ କହିଛନ୍ତି, ଚଳିତ ବର୍ଷ ‘ଓଡ଼ିଶା ପର୍ବ’ରେ ଆକର୍ଷଣୀୟ ଓ ମନ ମୁଗ୍ଧକର ସାଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବିଶିଷ୍ଟ ବ୍ୟକ୍ତି, ଉଦ୍ୟୋଗୀ ଓ ଅସାଧାରଣ ପ୍ରତିଭା ସମ୍ପନ୍ନ କଳାକାରଙ୍କ ପ୍ରେରଣାଦାୟୀ ସାକ୍ଷାତକାର ସହିତ ଓଡ଼ିଶାର ଅନନ୍ୟ ଓ ନିଆରା ରୂପକୁ ଉପସ୍ଥାପନ କରାଯିବ। ଏଥିରେ ‘ଓଡ଼ିଆ ସମାଜ’ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଓଡ଼ିଶାର ଅବିସ୍ମରଣୀୟ ପ୍ରାଣସ୍ୱରୂପ ସମୃଦ୍ଧ ଇତିହାସ, ସଂସ୍କୃତି, ପର୍ଯ୍ୟଟନ ସମ୍ପର୍କିତ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।

ଚଳିତ ବର୍ଷ ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀ, ଜୀବବିଜ୍ଞାନୀ ଆଦିତ୍ୟ ପ୍ରସାଦ ଦାସ, ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ, ବାବା ବଳିଆ ଓ ନରସିଂହ ପ୍ରସାଦ ଗୁରୁ ନିଜର ଅନୁଭୂତି ଏହି ଭର୍ଚୁଆଲ ପ୍ଲାଟଫର୍ମରେ ଉପସ୍ଥାପନ କରିବେ। ଉଦ୍ୟୋଗୀ ସୁକୀର୍ତ୍ତି ପଟ୍ଟନାୟକ, ନୃତ୍ୟଶିଳ୍ପୀ ଅରୁନ୍ଧତୀ ଗଡ଼ନାୟକ ଓ ବାଇକ୍ ମୋଡିଫାୟର୍‌ ଗଙ୍ଗା ପଟ୍ଟନାୟକ ଆଦି ଯୁବ ପ୍ରତିଭାଙ୍କର ସଫଳତାର କାହାଣୀ ଯୁବପିଢିଙ୍କୁ ପ୍ରେରଣା ଦେବ। ଆଗ୍ରହୀ ଶ୍ରୋତା ଓ ଦର୍ଶକମାନେ ମାର୍ଚ୍ଚ ୨୬ ଓ ୨୭ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ www.odishaparba.live ମାଧ୍ୟମରେ ଭର୍ଚୁଆଲ୍ ‘ଅନ୍ତର୍ଜାତୀୟ ଓଡ଼ିଶା ପର୍ବ’ର ଏହି ବିଶାଳ ବୈଶ୍ୱିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ।

ସମ୍ବନ୍ଧିତ ଖବର