ବାରିପଦା : ଅନ୍ତର୍ଜାତୀୟ ରଗ୍‌ବି ଖେଳାଳି ଦିବ୍ୟରଞ୍ଜନ ଦାଶ ନିର୍ବାଚନୀ ମଇଦାନରେ ପାଦ ଥାପିଛନ୍ତି। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍‌ ଚମ୍ପାଝର ଗାଁର ଏହି ସଫଳ କ୍ରୀଡ଼ାବିତ୍‌ ଚଳିତ ପଞ୍ଚାୟତ ନିର୍ବାଚନରେ ନିଜ ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି। ଦିବ୍ୟରଞ୍ଜନଙ୍କ ବାପା ଜଣେ ଶିକ୍ଷକ ଓ ମା ଗୃହିଣୀ। ୨୦୧୪ ମସିହାରେ ସର୍ବଭାରତୀୟ କନିଷ୍ଠ ଜାତୀୟ ରଗ୍‌ବି ଚାମ୍ପିଅନ୍‌ସିପ୍‌, ୨୦୧୫ରେ ସାଉଥ ଏସିଆ ରଗ୍‌ବି ଚାମ୍ପିଅନ୍‌ସିପ୍‌, ୨୦୧୭ରେ ସିନିୟର ନ୍ୟାସନାଲ ଫେଡରେସନ୍‌ କପ୍‌, ଏସିଆନ୍‌ ରଗ୍‌ବି ଚାମ୍ପିଅନ୍‌ସିପ୍‌, ସାଉଥ ଏସିଆ ରଗ୍‌ବି ଚାମ୍ପିଅନ୍‌ସିପ୍‌, ଅଲ୍‌ ଇଣ୍ଡିଆ ଆନ୍ତଃବିଶ୍ୱବିଦ୍ୟାଳୟ ରଗ୍‌ବି ଚାମ୍ପିଅନ୍‌ସିପ୍‌, ୨୦୨୧ରେ ସିନିୟର ଜାତୀୟ ରଗ୍‌ବି ଚାମ୍ପିଅନ୍‌ସିପ୍‌ ପ୍ରତିଯୋଗିତାରେ ନିଜର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି ଦିବ୍ୟରଞ୍ଜନ। ଏହାଛଡ଼ା ଅନ୍ତର୍ଜାତୀୟ ରଗ୍‌ବି ମ୍ୟାଚରେ ରେଫ୍ରି ଭାବେ ମଧ୍ୟ ସଫଳତା ସାଉଁଟିଛନ୍ତି।

Advertisment

୨୦୧୮ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଶାରୀରିକ ଶିକ୍ଷାରେ ସ୍ନାତକ ଡିଗ୍ରି ହାସଲ କରିଥିବା ଦିବ୍ୟରଞ୍ଜନ ନିଜ ଅଞ୍ଚଳର କ୍ରୀଡ଼ା ପ୍ରତିଭାଙ୍କ ପାଇଁ ଏକ ତାଲିମ କେନ୍ଦ୍ର ଚଳାଉଛନ୍ତି। ଚମ୍ପାଝର ଗାଁ ଏକ ନିହାତି ପଛୁଆ ଅଞ୍ଚଳ ହୋଇଥିବା ବେଳେ ଏଠାରେ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି ଅଞ୍ଚଳବାସୀ। ତେଣୁ ନିଜ ଅଞ୍ଚଳର ବିକାଶ ପାଇଁ ସେ ରାଜନୀତିରେ ଯୋଗ ଦେଇଥିବା କହିଛନ୍ତି।