କୋଣାର୍କ : କୋଣାର୍କ ମହୋତ୍ସବ ଅବସରରେ ଚନ୍ଦ୍ରଭାଗାର ସ୍ବର୍ଣ୍ଣାଭ ବେଳାଭୂମିରେ ଅନୁଷ୍ଠିତ ହୋଇଛି ପାଞ୍ଚଦିନିଆ ଆନ୍ତର୍ଜାତିକ ବାଲୁକାକଳା ପ୍ରଦର୍ଶନୀ। ଏଥିରେ ଚଳିତ ବର୍ଷ ୧୦୩ ବାଲୁକା ଶିଳ୍ପୀ ଅଂଶଗ୍ରହଣ କରିଛନ୍ତି। ଓଡ଼ିଶାର ବାଲୁକା ଶିଳ୍ପୀମାନଙ୍କ ସହିତ ସ୍ପେନ, ସିଙ୍ଗାପୁର, ରୁଷିଆ, କାନାଡ଼ା ଏବଂ ଜାପାନର ପାଞ୍ଚଜଣ ଶିଳ୍ପୀ ଭାଗ ନେଇଛନ୍ତି। ସେହିପରି ଦେଶର ବିଭିନ୍ନ ଅଞ୍ଚଳ ମହାରାଷ୍ଟ୍ର, ଗୁଜରାଟ, ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ଆସାମ, ତେଲେଙ୍ଗାନା ଏବଂ ତାମିଲନାଡୁରୁ ଖ୍ୟାତନାମା ଶିଳ୍ପୀମାନେ ଅଂଶଗ୍ରହଣ କରିଛନ୍ତି। ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଛି।
ଗୁରୁବାର ଦିନ ବାଲୁକାକଳା ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ମାନଙ୍କ ପାଇଁ ପର୍ଯ୍ୟଟନ ଓ ସଂସ୍କୃତି ସମ୍ବନ୍ଧୀୟ ବିଷୟବସ୍ତୁ ରଖାଯାଇଥିଲା। ପ୍ରତ୍ୟେକ ଷ୍ଟଲ୍ରେ ଭାରତର ଗରିମାମୟ ପର୍ଯ୍ୟଟନ ଓ ସଂସ୍କୃତି ସମ୍ବନ୍ଧୀୟ ବାଲୁକାକଳା ପ୍ରଦର୍ଶିତ ହୋଇଥିଲା। ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର, ନିର୍ଦ୍ଦେଶକ ସଚିନ ଯାଦକ, ସାଂସଦ ରାଜଶ୍ରୀ ମଲ୍ଲିକ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହରା, ପର୍ଯ୍ୟଟନ ନିଗମ ଅଧ୍ୟକ୍ଷ ଲେଲିନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ପର୍ଯ୍ୟଟନ ବିଭାଗର ବରିଷ୍ଟ ଅଧିକାରୀମାନେ ଉପସ୍ଥିତ ରହି ଏହାକୁ ପରିଚାଳନା କରିଥିଲେ।