ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ବାଲୁକା କଳା ନିର୍ମାଣ କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତିପ୍ରାପ୍ତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେ ପୁରୀ ବେଳାଭୂମିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ମୂର୍ତ୍ତି ନିର୍ମାଣ କରିଛନ୍ତି। ୫ ଫୁଟ ଉଚ୍ଚର ଏହି ବାଲୁକା କଳା ନିର୍ମାଣରେ ପ୍ରାୟ ୪ଟନ୍‌ ବାଲି ବ୍ୟବହାର ହୋଇଛି। ସୁଦର୍ଶନ ପଟ୍ଟନାୟକ ନିଜର ସହକର୍ମୀଙ୍କ ସହଯୋଗରେ ଏହାକୁ ନିର୍ମାଣ କରିଛନ୍ତି।

ବାଲୁକା କଳା ନେଇ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଉଛୁ। ଆମେ ଆମର ବାଲୁକା କଳା ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଉଛୁ। ଏଥି ପାଇଁ ଆମେ ୫ ଫୁଟ ଉଚ୍ଚର ବାଲୁକା କଳା  ନିର୍ମାଣ କରିଥିବା ବେଳେ ଏଥିରେ ୪ଟନ୍‌ ବାଲି ବ୍ୟବହାର କରିଛୁ।

ସୂଚନାଯୋଗ୍ୟ, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। କିନ୍ତୁ ଚଳିତ ବର୍ଷ କୋଭିଡ-୧୯ ସଂକ୍ରମଣ ଯୋଗୁଁ ଜନ୍ମଦିନ ପାଳିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଆସନ୍ତାକାଲି ୨୨ଟି ଜିଲ୍ଲାର ୪୪ଟି ସ୍ଥାନରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଓଡ଼ିଶା ମୋ ପରିବାର ତରଫରୁ ଏହି ବିଶାଳ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୂର୍ବରୁ ମୁଖ୍ୟମନ୍ତ୍ରୀ ତାଙ୍କର ଜନ୍ମଦିନକୁ ନିରାଡମ୍ବର ଭାବେ ପାଳନ କରିବାକୁ ଆହ୍ଵାନ କରିଛନ୍ତି।

ସମ୍ବନ୍ଧିତ ଖବର