କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ପ୍ରବାସୀ ଓଡ଼ିଆ ସାହିତ୍ୟ’ ଶୀର୍ଷକ ତିନିଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଯାପିତ

ସୁନାବେଡ଼ା: କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳର ଓଡ଼ିଆ ବିଭାଗ ଆନୁକୁଲ୍ଯରେ ଆୟୋଜିତ ‘ପ୍ରବାସୀ ଓଡିଆ ସାହିତ୍ଯ’ ଶୀର୍ଷକ ତିନି ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଶନିବାର ଉଦଯାପିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମ୍ମିଳନୀରେ ପ୍ରାକ୍ତନ ମନ୍ତ୍ରୀ ତଥା ଜଗନ୍ନାଥ ସଂସ୍କୃତିବିତ ପ୍ରସାଦ ହରିଚନ୍ଦନ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ବିଷୟର ପ୍ରାସଙ୍ଗିଗତା ରହିଥିବା ଦର୍ଶାଇ ପ୍ରବାସୀମାନଙ୍କ ଭାଷା ସାହିତ୍ଯର ଉନ୍ନତିରେ ହିଁ ଜାତିର ଜୀବନ ବିକଶିତ ହୋଇ ପାରିବ ବୋଲି ମତ ବ୍ୟକ୍ତ କରିଥିଲେ। ଏହି ପରିପେକ୍ଷୀରେ ପତ୍ରିକାରେ ପ୍ରବାସୀମାନଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣ, ପୁରସ୍କାର ବ୍ୟବସ୍ଥା, ପାଠ୍ୟପୁସ୍ତକରେ ପ୍ରବାସୀ ସାହିତ୍ଯର ଅନ୍ତର୍ଭୂକ୍ତି, ପ୍ରବାସୀ ଶିଶୁମାନଙ୍କ ପାଇଁ ଇ-ସ୍କୁଲ ସ୍ଥାପନା, ପ୍ରବାସୀ ଓଡିଆ ସଂଗଠନ ଗୁଡିକ ସହ ସହଭାଗିତା, ପ୍ରବାସୀ ଓଡିଆ ସମ୍ମିଳନୀ ଆୟୋଜନ, ପ୍ରତିବେଶୀ ରାଷ୍ଟ୍ରରୁ ପୋଥି ସଂଗ୍ରହ ଇତ୍ୟାଦି ପ୍ରଭୃତି ସାତସୂତ୍ରୀ କାର୍ଯ୍ଯକ୍ରମର ପ୍ରସ୍ତାବ ସେ ଦେଇଥିଲେ। ଉତ୍ସବରେ ଭାଷା ବିଭାଗର ଅଧ୍ୟାପକଗଣଙ୍କ ସମେତ ଅଧ୍ୟକ୍ଷ ପ୍ରଫେସର ଏନ୍‌ସି ପଣ୍ଡା ଓ ବିଷୟ ବିଶାରଦ ଗବେଷକ ଓ ଛାତ୍ର-ଛାତ୍ରୀଗଣ ଯୋଗ ଦେଇଥିଲେ।

ପୂର୍ବାହ୍ନ ଅଧିବେଶନରେ ଓଡ଼ିଆ ସାହିତ୍ଯ ଏକାଡ଼େମୀର ସଭାପତି ତଥା କବି ହୃଷୀକେଶ ମଲ୍ଲିକ, କଥାକାର କୃପାସାଗର ସାହୁ, ପ୍ରଫେସର ସନ୍ତୋଷ ତ୍ରିପାଠୀ, ନାଟ୍ୟକର୍ମୀ ସୁବୋଧ ପଟ୍ଟନାୟକ, ବ୍ୟଙ୍ଗକାର ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଅନୁବାଦକ ବିଜଯ କୁମାର ପ୍ରଧାନ, ଆଲୋଚକ କ୍ଷୀରୋଦ କୁମାର ବେହେରା ପ୍ରମୁଖ ଯୋଗ ଦେଇ ଭାଷା ହିଁ ଗୋଟିଏ ଜାତିକୁ ବାନ୍ଧି ରଖିପାରେ ବୋଲି ମତ ଦେଇଥିଲେ । ଏହି ଅବସରରେ ଇଂଲଣ୍ଡ ରୁ ଜୟଶ୍ରୀ ନନ୍ଦ, କାନଦାରୁ ସୁନନ୍ଦା ମିଶ୍ର, କେନିଆରୁ ଲମ୍ବୋଦାର ହୋତା, ଟରଣ୍ଟୋରୁ ବିଭୂତି ଭୂଷଣ ମହାପାତ୍ର, ଦିଲ୍ଲୀରୁ ମୋନିକା ଦାସ ପ୍ରମୁଖ ଅନଲାଇନରେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର