ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ, ନାଚିଲେ, ଗାଇଲେ ବୁଢ଼‌ା ବୁଢ଼ୀ

ବଲାଙ୍ଗୀର: ପ୍ରାୟତଃ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୁବପିଢ଼ି, ଶିଶୁ କଳାକାରମାନେ ନୃତ୍ୟ ଓ ସଂଗୀତ ପରିବେଷଣ କରୁଥିବା ଦେଖିବାକୁ ମିଳେ। କିନ୍ତୁ ଶନିବାର ସ୍ଥାନୀୟ ଟାଉନ ହଲ୍‌ଠାରେ ଆୟୋଜିତ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସରେ ବୁଢ଼ା ବୁଢ଼ୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରିଥିଲେ। ପରିଣତ ବୟସରେ ବି ନାଚି ଗାଇ ବେଶ୍‌ ଉତ୍ସାହର ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ଦିବସଟିକୁ ପାଳନ କରିଥିଲେ। ଆଞ୍ଚଳିକ ଲୋକ ନୃତ୍ୟ ଓ ସଂଗୀତରେ ସମସ୍ତେ ଝୁମିଥିଲେ। କାର୍ଯ୍ୟକ୍ରମରେ ଅତିଥି ଭାବେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ, ଜିଲ୍ଲାପାଳ ଚଞ୍ଚଳ ରାଣା ଯୋଗଦେଇ ବକ୍ତବ୍ୟ ରଖିଥିଲେ।

ରାଜ୍ୟ ସରକାର ବୁଢ଼ା ବୁଢ଼ୀମାନଙ୍କୁ ଦେଉଥିବା ପେନ୍‌ସନ୍‌ ୫୦୦ ଟଙ୍କା ବଦଳରେ ତାହାର ପରିମାଣ ବଢ଼ାଇବାକୁ ସେ ଦାବି ରଖିଥିଲେ। ସେହିପରି ଜିଲ୍ଲାପାଳ କହିଥିଲେ, ଛୋଟ ଛୁଆ ଓ ବୟସ୍କଙ୍କ ଭିତରେ ବିଶେଷ ଫରକ ନାହିଁ। କିନ୍ତୁ ଏମିତି କିଛି ତାରତମ୍ୟ ଅଛି ଯାହା ଶିକ୍ଷଣୀୟ। ଛୁଆ କଷ୍ଟ ପାଇଲେ କାନ୍ଦେ। କିନ୍ତୁ ବୁଢ଼ା ବୁଢ଼ୀ କଷ୍ଟ ପାଇଲେ ବି ସହିଯାଇଥାନ୍ତି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକ୍‌ ଓ ପୌରାଞ୍ଚଳରୁ ବରିଷ୍ଠ ନାଗରିକମାନେ ଯୋଗଦେଇଥିଲେ। ଏହି ଅବସରରେ ବରିଷ୍ଠ ନାଗରିକମାନେ ନିଜ ନିଜ ଭିତରେ ଥିବା ପ୍ରତିଭା ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର