ଇଶ୍ବରଙ୍କ ନିକଟରେ ସଂପୂର୍ଣ୍ଣ ଆତ୍ମସମର୍ପଣ ହିଁ ସୁଖ,ଶାନ୍ତି ଓ ଆନନ୍ଦ ପ୍ରାପ୍ତିର ମାର୍ଗ

ସତସଂଗ ବିହାର ବୟାଳିଶ ମୌଜା, ଚାନ୍ଦୋଳ ଓ କଟକ ତରଫରୁ ଆନ୍ତର୍ଜାତିକ ଆଭାସି ଆଲୋଚନାଚକ୍ର

ଭୁବନେଶ୍ବର : ସମଗ୍ର ବିଶ୍ୱ ମହାମାରୀ ଓ ଯୁଦ୍ଧର ବିଭୀଷିକା ଦ୍ୱାରା ବିଷାଦ ଗ୍ରସ୍ତ ହୋଇଥିବା ସମୟରେ ‘ସତସଂଗ’ ଏହାର ପାଞ୍ଚ କୋଟି ଭକ୍ତଙ୍କ ପାଇଁ ରକ୍ଷା କବଚ ସାଜି ସେମାନଙ୍କୁ ଭଗବତ ଭାବ ଏବଂ ପୁରୁଷୋତ୍ତମ ପ୍ରେମରେ ଉଦ୍‍ବୁଦ୍ଧ କରିଆସୁଥିବା ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି ।

ଟିମ୍‍ ବୟାଳିଶ ମୌଜା, ଚାନ୍ଦୋଳ, କଟକ (ବି.ସି.ସି) ତରଫରୁ ଆୟୋଜିତ ଆନ୍ତର୍ଜାତିକ ଆଭାସି ଆଲୋଚନା ଚକ୍ରରେ ସାମ୍ପ୍ରତିକ ସଂକଟରୁ ଉଦ୍ଧାର ପାଇବା ପାଇଁ ଜନସାଧାରଣ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ପ୍ରଦର୍ଶିତ ପଥକୁ ଅନୁସରଣ କରିବା ନେଇ ଚର୍ଚ୍ଚା କରାଯାଇଥିଲା । ‘ମହାମାରୀ ଓ ଯୁଦ୍ଧରୁ ମାନବସମାଜକୁ ରକ୍ଷା କରିବା ପାଇଁ ଆଚାର୍ଯ୍ୟ ଦେବଙ୍କର ଉପଦେଶ’ ଶୀର୍ଷକ ଏହି ଭର୍ଚ୍ଚୁଆଲ୍‍ ବିଚାର ଗୋଷ୍ଠୀରେ ସମଗ୍ର ପୃଥିବୀର ବିଭିନ୍ନ ରାଷ୍ଟ୍ରର ସହସ୍ରାଧିକ ସତ୍‍ସଂଗୀ, ୱାର୍ଲଡ ଓଡ଼ିଶା ସୋସାଇଟିର ସଦସ୍ୟ ଏବଂ ଦେ ବିଦେଶରୁ ପ୍ରବାସୀ ଓଡ଼ିଆମାନେ ସାମିଲ ହୋଇଥିବା ଦେଖାଯାଇଥିଲା ।

ଏହି ସତ୍‍ସଂଗରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ସାଧାରଣ ମିଣଷ ଠାକୁରଙ୍କ ନିକଟରେ ନିଷ୍କାମ ଭାବନାର ସହିତ ନିଜର ତନୁ, ମନ, ଧନକୁ ଏକ କରି ସମ୍ପୂର୍ଣ୍ଣ ଭାବରେ ଆତ୍ମ ସମର୍ପଣ କଲେ ଚିରନ୍ତନ ଶାନ୍ତି, ସୁଖ, ଐଶ୍ୱରିକ ଆନନ୍ଦ, ସ୍ରଷ୍ଟାଙ୍କର ସାନ୍ନିଧ୍ୟ ଲାଭ କରେ ଏବଂ ପରିଶେଷରେ ମୋକ୍ଷ ପ୍ରାପ୍ତି କରେ ବୋଲି କହିଥିଲେ। ୨୦୨୦ ମସିହା ମେ ୩ ତାରିଖରୁ ଆରମ୍ଭ ହୋଇ ପ୍ରତ୍ୟହ ଅନୁଷ୍ଠିତ ହେଉଥିବା ଏହି ଗ୍ଲୋବାଲ ୱେବିନାର-ସତ୍‍ସଂଗ ୬୫୭ ଦିବସରେ ପଦାର୍ପଣ କରିଥିବାରୁ ମୁଖ୍ୟଅତିଥି ଶ୍ରୀ ଦ୍ୱିବେଦୀ ମୁଖ୍ୟ ଆୟୋଜକ ସହ ପ୍ରତି ରିତ୍ୱିକ ସଞ୍ଜୀବ କୁମାର ନାୟକ ଏବଂ ତାଙ୍କର ଟିମ୍‍କୁ ସାଧୁବାଦ ଜଣାଇଥିଲେ ।

ଘାନାରେ ଅବସ୍ଥାପିତ ସହ-ପ୍ରତି-ଋତ୍ୱିକ ଦୀପକ କୁମାର ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ଜୀବନ ଦର୍ଶନର ଆଧ୍ୟାତ୍ମିକତା ଏବଂ ଅଲୌକିକତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ନୂଆଦିଲ୍ଲୀ ଏବଂ ମୁମ୍ବାଇସ୍ଥିତ ଓଡ଼ିଶା ଭବନର ପୂର୍ବତନ ସହ ରେସିଡେଣ୍ଟ କମିଶନର ଓ ସହ-ପ୍ରତି-ଋତ୍ୱିକ କୃପାନିଧି ବିଶ୍ୱାଳ ସମ୍ମାନିତ ବକ୍ତା ଭାବେ ଅଂଶଗ୍ରହଣ କରିଥିଲେ। ସେ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ଏବଂ ଆଚାର୍ଯ୍ୟ ଦେବଙ୍କର ଦିଶାନିର୍ଦ୍ଦେଶକୁ ଅନୁକରଣ କରି ପ୍ରତ୍ୟେକ ଘରେ ଇଷ୍ଟଦେବଙ୍କୁ ସ୍ଥାପନା କରିବା ଓ ଅନୁଶାସନକୁ ପାଳନ କରିବା ପାଇଁ ନିବେଦନ ଜଣାଇଥିଲେ ।

ନରସିଂହପୁରସ୍ଥିତ ସତ୍‍ସଂଗ ବିହାରର ମୁଖ୍ୟ ଓ ସହ-ପ୍ରତି-ଋତ୍ୱିକ ପ୍ରଫେସର ବିଜୟ କୁମାର ପରିଡ଼ା, ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତ୍ତରେ ମାନବ ସଭ୍ୟତା ପାଇଁ ଶ୍ରୀଶ୍ରୀ ଠାକୁରଙ୍କର ପ୍ରଦର୍ଶିତ ଦୟା ଓ କରୁଣା ଆଚରଣ ମାର୍ଗର ପ୍ରାସଙ୍ଗିକତା ବହୁଗୁଣରେ ବଢ଼ିଯାଇଥିବା, ତାଙ୍କର ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ସମଗ୍ର ଅଧିବେଶନକୁ ସଞ୍ଜୀବ କୁମାର ନାୟକ ଖୁବ୍‍ ସୁନ୍ଦର, ସୁଚାରୁ ଓ ସାବଲୀଳ ଢଙ୍ଗରେ ଉପସ୍ଥାପନା, ସଂଯୋଜନା ଓ ପରିଚାଳନା କରିଥିଲେ । ଡିଜିଟାଲ କକ୍ଷକୁ ସୌଭାଗ୍ୟ କୁମାର ନାୟକ ଓ ନନ୍ଦନ ଦ୍ୱିବେଦୀ ଦକ୍ଷତାର ସହିତ ନିୟନ୍ତ୍ରଣ କରିଥିଲେ । ଆକାଂକ୍ଷା ମହାନ୍ତି ଓ ଗୀତାଞ୍ଜଳି ବାରିକ ବୈଷୟିକ ସହାୟତା ପ୍ରଦାନ କରିଥିଲେ । ପ୍ରାରମ୍ଭରେ ନୂଆଦିଲ୍ଲୀରୁ ସରୋଜ କୁମାର ମହାନ୍ତି, ସନ୍ଦୀପ ମହାନ୍ତି, ଭୁବନେଶ୍ୱରରୁ ସୁଶ୍ରୀ ମନ୍ଦାକିନୀ ଶ୍ରେୟା ଉଚ୍ଚକୋଟୀର ଭଜନ ଗାନ କରିଥିବା ବେଳେ ମାଲେସିଆରୁ ଜ୍ଞାନଦୂତି ପାତ୍ର, ସିଡ୍‍ନୀରୁ ଶ୍ୟାମସୁନ୍ଦର ବାରିକ ଓ ସିଙ୍ଗାପୁରରୁ ଇଂ.ଗୋଲଖନାଥ ମିଶ୍ରଙ୍କର ଗୁରୁବନ୍ଦନା ପରିବେଷଣ ଏବଂ ସଦ୍‍ଗ୍ରନ୍ଥ ପାଠ ବେଶ୍‍ ମର୍ମସ୍ପର୍ଶୀ ଥିଲା । ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଦକ୍ଷିଣ କୋରିଆରୁ ଡଃ ସୀତାଂଶୁ ଶେଖର ନନ୍ଦ, ମାଙ୍ଗାଲୋରରୁ ପ୍ରଫେସର ବବିତା ପାଣିଗ୍ରାହୀ, ବରିଷ୍ଠ ପ୍ରଶାସକ ଡଃ ସୁରେଶ ଚନ୍ଦ୍ର ଦଳାଇ, ଡଃ ଅଶୋକ କୁମାର ତ୍ରିପାଠୀ, ଡଃ କାହ୍ନୁଚରଣ ଦାସ, ଡଃ ବିଜୟ କେତନ ପଟ୍ଟନାୟକ, ଡଃ ନଗେନ୍ଦ୍ରନାଥ ସ୍ୱାଇଁ, ରବିନାରାୟଣ ମହାପାତ୍ର, କାମଦେବ ଦାସ, ପାରେଶ୍ୱର ଜେନା ଓ ଯୁଧୀଷ୍ଠିର ବିଶ୍ୱାଳ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।

ସମ୍ବନ୍ଧିତ ଖବର