ରୋଟାରି କ୍ଲବ ପକ୍ଷରୁ ‘ଅନ୍ତର୍ଜାତୀୟ ମହିଳା ଦିବସ’: ମହିଳାମାନେ ନେତୃତ୍ୱ ନେବା ଉଚିତ

ସମ୍ବର୍ଦ୍ଧିତ ହେଲେ ୨୧ ମହିଳା

ଭୁବନେଶ୍ବର : ଆଜିକାଲିର ପୁରୁଷ ପ୍ରାଧାନ୍ୟ ସମାଜରେ ମହିଳା ଘରର ଏରୁଣ୍ଡି ବନ୍ଧ ଡେଇଁ ସମାଜର ନେତୃତ୍ବ ନେବା ଉଚିତ। ମହିଳାମାନଙ୍କ ନେତୃତ୍ବରେ ଯେପରି ପରିବାରର ଉନ୍ନତି ସାଧନ ହୋଇଥାଏ ସେହିଭଳି ଭାବେ ମହିଳାମାନେ ସମାଜର ନେତୃତ୍ବ ନେଲେ ସମାଜର ଉନ୍ନତି ସାଧନ ହୋଇପାରିବ। ମହିଳା ଦିବସ ଅବ୍ୟବହିତ ପୂର୍ବରୁ ରୋଟାରି କ୍ଲବ ଅଫ ଭୁବନେଶ୍ବର ହେରିଟେଜ୍‌ ଓ ରୟାଲ କଲେଜ ଅଫ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜିର ମିଳିତ ସହଯୋଗରେ ଆଜି ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହରେ ଏଭଳି ମତବ୍ୟକ୍ତ କରିଛନ୍ତି ବିଶିଷ୍ଟ ଅତିଥି।

ରୟାଲ କଲେଜ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କଲେଜ ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ‌ରେ ଅତିଥି ଭାବେ ଓଡ଼ିଶା ବ୍ରହ୍ମକୁମାରୀ ଶାଖାର ମୁଖ୍ୟ ବି.କେ ଗୀତା, ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସ୍ବପ୍ନନୀତା ହୋତା, ୟୁଏନଡିପି ଓଡ଼ିଶା ମୁଖ୍ୟ ଆଭା ମିଶ୍ର, ଆରପିଏସର ବରିଷ୍ଠ ଅଧିକାରୀ ସ୍ମିତା ସରକାର, ରୟାଲ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର ଅଧ୍ୟକ୍ଷ ବିଷ୍ଣୁ ମୋହନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ମହିଳା ସଶକ୍ତୀକରଣ ଉପରେ ଆଲୋଚନା କରିଥିଲେ। ସେମାନେ କହିଥିଲେ ଯେ ମହିଳାମାନେ କୌଣସି ଗୁଣରେ ପୁରୁଷମାନଙ୍କ ଠାରୁ କମ ନୁହନ୍ତି। ସେମାନଙ୍କୁ ମଧ୍ୟ ପୁରୁଷମାନଙ୍କ ଭଳି ପରିବାରରୁ ସହଯୋଗ ଓ ସ୍ବାଧୀନତା ମିଳିବା ଅ‌ାବଶ୍ୟକ। ଏହି ଅବସରରେ ୨୧ଜଣ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବର୍ଦ୍ଧିତ ମହିଳାମାନେ ହେଲେ ‘ସମ୍ବାଦ’ର ଉପମହାପ୍ରବନ୍ଧକ (ମାନବସମ୍ବଳ) ବୈୖଜୟନ୍ତୀ କର, ମୋନାଲି ସାହୁ, ନମିତା ପଲେଇ, ଅନୁରାଧା ଦାଶ, ବି.କେ ଗୀତା, ସ୍ବପ୍ନନୀତା ହୋତା, ଅଞ୍ଜନା ପଣ୍ଡା, ଲୁସି ମହାପାତ୍ର, ଆଭା ମିଶ୍ର, ମଞ୍ଜୁଶ୍ରୀ ଓଝା, ପୂଜା ମହାପାତ୍ର, ସୌଦାମିନୀ ସାମନ୍ତ, ଦୀପା ଖୁଲବେ, ଦୀପା ସାମନ୍ତ, ବିଜୟା ମିଶ୍ର, ରଶ୍ମିତା ବିଶ୍ବାଳ, ମଧୁସ୍ମିତା ପଣ୍ଡା, କବିତା ବୈରୀଗଞ୍ଜନ, ଜ୍ୟୋତିଶ୍ରୀ ସ୍ବାଇଁ, ସ୍ମିତା ସରକାର ଓ ପ୍ରଜ୍ଞା ପରମିତା ସାହୁ। ମହିଳା ସଶକ୍ତୀକରଣ ଉପରେ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଅପରାଜିତା ପ୍ରିୟଦର୍ଶିନୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ରୋଟାରି କ୍ଲବ ଅଫ ଭୁବନେଶ୍ବର ହେରିଟେଜ୍‌ର ସଭାପତି ପି.ସି ଦାଶ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପି. ଶ୍ରୀନିବାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର