ଜଣେ ନାରୀ ହିଁ ଆଉ ଜଣେ ନାରୀର ସମସ୍ୟା ବୁଝିପାରିବ: ତନୟା ପଟ୍ଟନାୟକ

ପୂର୍ବତଟ ରେଳବାଇ ଶ୍ରମିକ ସଂଘ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଖୋର୍ଦ୍ଧା: ଜଣେ ନାରୀ ଅନ୍ୟ ଜଣେ ନାରୀର ଶତ୍ରୁ, ଏହି କଥାକୁ ସେ ଗ୍ରହଣ କରିପାରୁନାହାନ୍ତି । ସେ ବିଶ୍ୱାସ କରନ୍ତି ଯେ ଜଣେ ନାରୀ ହିଁ ଅନ୍ୟ ଜଣେ ନାରୀର ସମସ୍ୟା ଓ ମନକଥା ବୁଝିପାରିବ । ଜଣେ କର୍ମଜୀବୀ ମହିଳା ଓ ମହିଳା ଉଦ୍ୟୋଗୀ ଭାବେ ସେ ନିଜେ ଏହି କଥାକୁ ଅଙ୍ଗେ ନିଭେଇଛନ୍ତି । ଜଣେ ମହିଳା ଯେତେବେଳେ ସ୍ୱର ଉତ୍ତୋଳନ କରେ ସେତେବେଳେ ସେ ନିଜ ପାଇଁ ନୁହେଁ ସମଗ୍ର ମହିଳା ସମାଜର କଥା କୁହେ। ଏଣୁ ଜଣେ ମହିଳା ଭାବେ ଅନ୍ୟ ଜଣେ ମହିଳାଙ୍କୁ ବିଶେଷତଃ କର୍ମକ୍ଷେତ୍ରରେ ସହାୟତା ଓ ସହଯୋଗ କରିବା ଉଚିତ ବୋଲି ଆଜି ପୂର୍ବତଟ ରେଳବାଇ ଶ୍ରମିକ ସଂଘ ପକ୍ଷରୁ ଜଟଣୀ ଶ୍ରମିକ ସଂଘର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ‘ସମ୍ବାଦ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ କହିଛନ୍ତି ।

ସେ କହିଛନ୍ତି ଯେ, ସମାଜରେ ଓ ପ୍ରତ୍ୟେକ ପରିବାରରେ ବର୍ତ୍ତମାନ ସୁଦ୍ଧା ପୁଅକୁ ଅଧିକ ସୁଯୋଗ ଦେବାର ଋଢ଼ିବାଦୀ ଚିନ୍ତାଧାର ବଳବତ୍ତର ରହିଛି । ଏହା ଧୀରେ ଧୀରେ ହଟୁଛି ଓ ଭବିଷ୍ୟତରେ ଏହା ନିଶ୍ଚିତ ଭାବେ ହଟିବ । ରେଳ ଠାରୁ ବିମାନ ଚଳାଇବା କାମ, ୧୦ମ ଶ୍ରେଣୀର ପରୀକ୍ଷା ଠାରୁ ବିଭିନ୍ନ ପ୍ରବେଶିକା ପରୀକ୍ଷାର ଫଳକୁ ଅନୁଧ୍ୟାନ କଲେ ଜଣାଯାଉଛି ଯେ ଯଦି ଝିଅମାନଙ୍କୁ ସମାନ ସୁଯୋଗ ଦିଆଯାଏ, ସେମାନେ ମଧ୍ୟ ନିଜର ଉତ୍‌କର୍ଷତା ଦେଖାଇପାରିବେ। ପୁରୁଷଙ୍କ ତୁଳନାରେ ସେମାନେ କୌଣସି ଗୁଣରେ କମ୍ ନୁହନ୍ତି ବୋଲି ପ୍ରମାଣିତ କରିଛନ୍ତି । ଏହାସହ ପୁନଶ୍ଚ ପୃଥିବୀ ଅଭିଯାନ ସମ୍ପର୍କରେ ସୂଚନା ଦେଇ ପ୍ରକୃତିର ସୁରକ୍ଷା, ପୃଥିବୀର ସୁରକ୍ଷା ଓ ଭବିଷ୍ୟତ ପିଢ଼ିର ସୁରକ୍ଷା ପାଇଁ ଜଣେ ନାରୀର ଯୋଗଦାନ ଆବଶ୍ୟକ ବୋଲି ଶ୍ରୀମତୀ ପଟ୍ଟନାୟକ ମତ ଦେଇଥିଲେ ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତଟ ରେଳବାଇ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପି କେ ପାଟ୍ଟଶାଣୀ, ପୂର୍ବତଟ ରେଳବାଇ ମହିଳା ସଂଗଠନର ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ଜେନା, ଭୁବନେଶ୍ୱର ଟ୍ରାଫିକ୍ ଡିସିପି ଏସ୍ ସୁଶ୍ରୀ ଅତିଥି ଭାବେ ମଂଚାସୀନ ଥିଲେ । ତପସ୍ୱିନୀ ମହାନନ୍ଦିଆ ଅତିଥି ପରିଚୟ ଓ ମଂଚ ପରିଚାଳନା କରିଥିଲେ । ଜୋନାଲ୍ ମହିଳା ସଂଗଠନର ଅଧ୍ୟକ୍ଷା ଇତିଶ୍ରୀ ନିବେଦିତା ସାହୁ ସ୍ୱାଗତ ଭାଷଣ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରିତୀଲିସା ଦାସଙ୍କ ସଂଯୋଜନାରେ ପୂର୍ବରୁ ଅନୁଷ୍ଠିତ ଝୋଟି, ଗୀତ, ନୃତ୍ୟ ଆଦି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

ସମ୍ବନ୍ଧିତ ଖବର