ରାଇରଙ୍ଗପୁରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବାମନଘାଟି ଉପଖଣ୍ଡ ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ସରୋଜ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାଇରଙ୍ଗପୁରସ୍ଥିତ କଚେରୀ ପଡିଆଠାରେ ଦଶମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା ବିଭାଗର ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଭାବେ  ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ଯୋଗଦାନ କରିଥିଲେ। ନିମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।
ନିମନ୍ତ୍ରିତ ଅତିଥିମାନେ ସାମ୍ପ୍ରତିକ ପରିସ୍ଥିତିରେ ଦୈନନ୍ଦିନ ଜୀବନ ଚର୍ଯ୍ୟାରେ ଯୋଗର ଭୂମିକା ଓ ଉପାଦେୟତା ସମ୍ଭନ୍ଧରେ ଆଲୋକପାତ କରିଥିଲେ। ନିୟମିତ ଯୋଗ ସାଧନା ଦ୍ୱାରା ନିଜ ଶରୀରକୁ ନିରୋଗ ରଖିବା ସହିତ ଏକ ସୁସ୍ଥ ସମାଜ ଗଠନ କରିବା ଦିଗରେ ଏହା ସହାୟକ ହେବ ବୋଲି ଚଳିତ ବର୍ଷ ଯୋଗ ଦିବସର ବିଷୟ ବସ୍ତୁ “ନିଜ ପାଇଁ ଓ ସମାଜ ପାଇଁ ଯୋଗ” ମାଧ୍ୟମ ରେ ମତପୋଷଣ କରିଥିଲେ। ବିଶେଷ କରି ଆଜିକାଲି ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ ସାଙ୍ଗକୁ ଲୋକମାନଙ୍କ ବ୍ୟସ୍ତବହୁଳ ଜୀବନ ଶୈଳୀ ହେତୁ ନିଜ ଶରୀର ପ୍ରତି ଉପଯୁକ୍ତ ଧ୍ୟାନ ନଦେବା ତଥା ଶରୀରକୁ କ୍ଷତି ପହଞ୍ଚାଉଥିବା ବିଭିନ୍ନ ପ୍ରକାର ଖାଦ୍ୟ ଗ୍ରହଣ ଯୋଗୁଁ ଅଧିକାଂଶ ଲୋକ  ରକ୍ତଚାପ, ମଧୁମେହ, ହୃଦଘାତ, ଆଜମା, ବୃକ୍ବକ କାର୍ଯ୍ୟ ନକରିବା, ଆଣ୍ଠୁ ଗଣ୍ଠି ଓ ମେରୁଦଣ୍ଡ ଯନ୍ତ୍ରଣା ତଥା ସ୍ନାୟୁ ଜନିତ ସମସ୍ୟା, ନିଦ୍ରାହୀନତା, ଅର୍ଦ୍ଧକପାଳି ମୁଣ୍ଡ ବ୍ୟଥା ଇତ୍ୟାଦି ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ଦେଖା ଯାଉଛି ଯାହାକି ନିୟମିତ ଯୋଗ ଭ୍ୟାସ ଦ୍ୱାରା କେତେକାଂଶରେ ଭଲ ହୋଇ ଯିବାର ସମ୍ଭାବନା ରହିଛି। ତେଣୁ ଦୈନନ୍ଦିନ ଜୀବନ ଚର୍ଯ୍ୟାରେ ସମସ୍ତେ ଯୋଗକୁ ଏକ ଅଂଶ ଭାବେ ଗ୍ରହଣ କରନ୍ତୁ ଏବଂ ନିଜକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ଦିନ  କିଛି ସମୟ ଯୋଗଭ୍ୟାସ କରିବା ପାଇଁ ପରାମର୍ଶ ଦେଇଥିଲେ। କାରଣ ନିୟମିତ ଯୋଗ କ୍ରିୟା ଯେ କେବଳ ଶାରୀର କୁ ସୁସ୍ଥ ରଖିଥାଏ ତା ନୁହେଁ ବରଂ ମାନସିକ ଶାନ୍ତି ପ୍ରଦାନ କରିଥାଏ ଓ ବୌଦ୍ଧିକ ଜ୍ଞାନର ବିକାଶ ଘଟାଇ ଥାଏ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।
କାର୍ଯ୍ୟସୂଚୀ ଅନୁଯାୟୀ ଶାନ୍ତସ୍ନିଗ୍ଧ ପରିବେଶ ମଧ୍ୟରେ ସାମୁହିକ ଯୋଗ କ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବର୍ଗର ଯଥା ଛାତ୍ର ଛାତ୍ରୀ, ଯୁବକ ଯୁବତୀ, ମହିଳା ପୁରୁଷ, ବରିଷ୍ଠ ନାଗରିକ ସରକାରୀ ପଦାଧିକାରୀ  ଓ କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବିଭିନ୍ନ ଯୋଗ ଅନୁଷ୍ଠାନର ପ୍ରଶିକ୍ଷକ, ପ୍ରଶିକ୍ଷାର୍ଥୀ ଓ  କର୍ମକର୍ତା ଏବଂ ସମାଜରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଙ୍କୁ ମିଶାଇ ପାଖାପାଖି ୬୦୦ ରୁ ଉର୍ଦ୍ଧ ଅଂଶ ଗ୍ରହଣ କରିଥିଲେ ।ସରକାରଙ୍କ ଦ୍ୱାରା ପ୍ରଦତ୍ତ ମାର୍ଗଦର୍ଶିକା ଅନୁସାରେ ବିଭିନ୍ନ ପ୍ରକାର ୨୦ ଟି ଯୋଗ କ୍ରିୟା ସମ୍ପାଦନ କରାଯାଇଥିଲା। ଏହାପରେ ଯୋଗ ଦିବସ ଉପଲକ୍ଷେ ସାମୁହିକ ଶପଥ ପାଠ ସହିତ କାଯ୍ୟକ୍ରକୁ ସମାପନ କରାଯାଇଥିଲା। ଏହି ଅବସରରେ ମନ୍ତ୍ରୀ ଓ  ବିଧାୟକ କଚେରୀ ଛକ ନିକଟରେ ଅବସ୍ଥାପିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମରେ ଉପଖଣ୍ଡ ସ୍ତରୀୟ ବିଭିନ୍ନ ବିଭାଗୀୟ ପଦାଧିକାରୀ, ସହରର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ଏବଂ ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ସମ୍ପାଦନ ହୋଇଥିଲା।
ସମ୍ବନ୍ଧିତ ଖବର