ଆଜି ଅନ୍ତର୍ଜାତୀୟ ଯୋଗ ଦିବସ

ଭୁବନେଶ୍ବର : ଜୁନ୍ ୨୧ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିପାଇଁ ପ୍ରସ୍ତାବ ଦେବା ପରେ ମିଳିତ ଜାତିସଂଘ ପକ୍ଷରୁ ଏହାକୁ ବିଶ୍ବସ୍ତରରେ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଚଳିତବର୍ଷ ଯୋଗ ଦିବସର ବିଷୟବସ୍ତୁ ରହିଛି ‘ହୃଦୟ ପାଇଁ ଯୋଗ’।

ରାଜ୍ୟ ଆୟୁଷ ନିର୍ଦେଶାଳୟ ପକ୍ଷରୁ ଚଳିତବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଛି। ରାଜ୍ୟରେ ଥିବା ୪ଟି ହୋମିଓପ୍ୟାଥିକ ମେଡିକାଲ କଲେଜ ଓ ୩ଟି ଆୟୁର୍ବେଦିକ ମେଡିକାଲ କଲେଜରେ ଯୋଗ ଶିକ୍ଷା ଦିଆଯିବ। ଏହାସହ ରାଜ୍ୟର ୧୩ଟି ସ୍ଥାନରେ ଥିବା ଜିଲ୍ଲା ଆୟୁର୍ବେଦିକ ମେଡିକାଲ ଅଧିକାରୀ ବା ଡିଏଏମ୍‌ଓ କାର୍ଯ୍ୟାଳୟରେ ମଧ୍ୟ ଯୋଗ ଦିବସ ପାଳନ ହେବ। ତେବେ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଯୋଗକୁ ତୃଣମୂଳସ୍ତରକୁ ନେବା ପାଇଁ ନିଷ୍ପତ୍ତି ନେଇଛି। ତେଣୁ ଜିଲ୍ଲାସ୍ତରରେ ଏହାକୁ ପାଳନ କରିବା ପାଇଁ ରାଜ୍ୟ ଆୟୁଷ ନିର୍ଦେଶାଳୟ ଏଥିପାଇଁ ଉଦ୍ୟମ ଆରମ୍ଭ କରିଛି। ନିର୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରାଜଧାନୀ ସମେତ ପୁରୀ, ସମ୍ବଲପୁର, ରାଉରକେଲା ଓ ବାଲେଶ୍ବର ସମେତ ଅନ୍ୟାନ୍ୟ ସ୍ଥାନରେ ଚଳିତବର୍ଷ ଯୋଗ ଦିବସ ପାଳନ କରାଯିବ। ଆୟୁଷ ନିର୍ଦେଶାଳୟ ସହିତ ଭାରତୀୟ ଯୋଗ ସଂସ୍ଥାନ, ଆର୍ଟ ଅଫ ଲିଭିଂ, ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟ ଓ ଯୋଗ ଆସୋସିଏସନ୍‌ ମିଳିତଭାବେ ଯୋଗ ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜଧାନୀର ବୁଦ୍ଧ ପାର୍କ, ଇମ୍ଫା ପାର୍କ, ଫରେଷ୍ଟ ପାର୍କ, ରେଣ୍ଟାଲ କଲୋନି ପାର୍କ ଓ ଜୟଦେବ ବାଟିକାକୁ ମିଶାଇ ୧୦ଟି ପାର୍କରେ ଯୋଗ ଶିକ୍ଷା ଦିଆଯିବ। ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ଯୋଗ ଦିବସ ପାଳନ ହେବ। ଏଥିପାଇଁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ୨୫ ପୃଷ୍ଠା ବିଶିଷ୍ଟ ଯୋଗ ପ୍ରୋଟୋକଲ ଦିଆଯାଇଛି। ପ୍ରୋଟୋକଲର ଅନୁସରଣରେ ହିଁ ଏହାକୁ ପାଳନ କରାଯିବ। ତେବେ ପୂର୍ବରୁ ‌ଯୋଗ ‌ଦିବସରେ ହେଉଥିବା ଯୋଗ ଫେଷ୍ଟିଭାଲ ଅନୁଷ୍ଠିତ ହେବ ନାହିଁ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର