ଭୁବନେଶ୍ବର : ଜୁନ୍ ୨୧ରେ ସାରା ବିଶ୍ବରେ ପାଳିତ ହେବ ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଦିବସକୁ ସଫଳତାର ସହିତ ପାଳନ କରିବା ପାଇଁ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ଏହି ଦିବସ ପାଳନ କରିବା ପାଇଁ ଆୟୁଷ ମନ୍ତ୍ରାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଅନୁରୋଧ କରିଛି। ବିଭିନ୍ନ ସାମାଜିକ ସଙ୍ଗଠନଗୁଡ଼ିକ ଆଗେଇ ଆସିବାକୁ କୁହାଯାଇଛି। ଏହିକ୍ରମରେ ଦେଶରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟରେ ଯୋଗ ଦିବସ ପାଳନ କରିବା ଲାଗି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ନିର୍ଦେଶ ଦିଆଯାଇଛି।
ୟୁଜିସି ପକ୍ଷରୁ କୁଳପତିମାନଙ୍କୁ କୁହାଯାଇଛି ଯେ ଯୋଗ ଦିବସକୁ ସଫଳ ଭାବେ ଆୟୋଜନ କରିବା ଦିଗରେ ପଦକ୍ଷେପ ନିଅନ୍ତୁ। କ୍ୟାମ୍ପସରେ ଶାରୀରିକ ଶିକ୍ଷାକୁ ବ୍ୟାପକ କରିବା, ଯୁବପିଢ଼ିଙ୍କୁ ସାମିଲ କରିବା, ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ନେଇ କ୍ୟାମ୍ପସରେ ଯୋଗ କାର୍ଯ୍ୟକ୍ରମ କରିବାକୁ କୁହାଯାଇଛି। ଏଥିସହ କ୍ୟାମ୍ପସରେ ହୋଇଥିବା କାର୍ଯ୍ୟକଳାପ, ଫଟୋ, ଭିଡିଓ ଆଦିକୁ ୟୁଜିସିର ୟୁନିରଭର୍ସିଟି ଆକ୍ଟିଭିଟି ମନିଟରିଂ ପୋଟାଲ୍ରେ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ଓଡ଼ିଶାରେ ଥିବା ୨୪ରୁ ଅଧିକ ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟରେ ଏହି ଦିବସରେ ପାଳନ କରାଯିବ। ଏଥିସହ ବିଶ୍ବବିଦ୍ୟାଳୟଗୁଡ଼ିକ ଅଧୀନରେ ଥିବା କଲେଜଗୁଡ଼ିକରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/yoga-f.jpg)