କ୍ରାଇମ୍‌ବ୍ରାଞ୍ଚର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : କାଫେରେ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ନିଷେଧ

କଟକ : ସାଇବର୍‌ କାଫେରେ ଅନ୍‌ଲାଇନ୍‌ ଇଣ୍ଟର୍‌ନେଟ୍‌ ବ୍ୟାଙ୍କିଙ୍ଗକୁ ସମ୍ପୂର୍ଣ୍ଣ ନିଷେଧ କରିବା ପାଇଁ ନିଷ୍ପତ୍ତି ନେଇଛି କ୍ରାଇମବ୍ରାଞ୍ଚ୍‌। ଅନ୍‌ଲାଇନ୍‌ ଅର୍ଥ କାରବାର ପାଇଁ କାଫେ ଆଦୌ ସୁରକ୍ଷିତ ନୁହେଁ। କାଫେର ସୁରକ୍ଷିତ ବ୍ରାଉଜର୍‌ କିମ୍ବା ଆଣ୍ଟି ଭାଇରସ ବ୍ୟବସ୍ଥା ଉପଯୁକ୍ତ ନଥିବାରୁ ସାଇବର ଅପରାଧୀମାନେ ଏହାର ସିଧାସଳଖ ଫାଇଦା ଉଠାଉଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ପୁଲିସର କ୍ରାଇମ୍‌ବ୍ରାଞ୍ଚ କାଫେରେ ଅନ୍‌ଲାଇନ୍‌ କାରବାରକୁ ସମ୍ପୂର୍ଣ୍ଣ ନିଷେଧ ପାଇଁ ଘୋଷଣା କରିଛି। ଅନ୍‌ଲାଇନ୍‌ କାରବାର ପାଇଁ ବ୍ୟକ୍ତିଗତ ମୋବାଇଲ୍‌ ଫୋନ୍‌ କିମ୍ବା ନିଜର କମ୍ପ୍ୟୁଟର ବ୍ୟବହାର କରିବାକୁ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ପରାମର୍ଶ ଦେଇଛନ୍ତି।

କ୍ରାଇମ୍‌ବ୍ରାଞ୍ଚର ସାଇବର୍‌ ସେଲ୍‌ ସାଇବର୍‌ ଅପରାଧୀଙ୍କ ଅପରାଧର ନୂଆ ଶୈଳୀ ସମ୍ପର୍କରେ ଏକ ବୈଠକରେ ସମୀକ୍ଷା କରାଯାଇଛି। ମୁଖ୍ୟତଃ କମ୍ପ୍ୟୁଟର୍‌ କିମ୍ବା ମୋବାଇଲ୍‌କୁ ଭାଇରସ୍‌ ଆକ୍ରମଣ, ଅନ୍‌ଲାଇନ୍‌ ବ୍ୟାଙ୍କିଙ୍ଗ ବ୍ୟବସ୍ଥା, ଏଟିଏମ୍‌ରୁ ସ୍କିିମର୍‌ ଓ କ୍ୟାମେରା ଜରିଆରେ ପାସ୍‌ଓ୍ଵାଡ୍‌ ଚୋରି କରିବା ଏବଂ ସୋସିଆଲ୍‌ ମିଡିଆ କିମ୍ବା ଇ-ମେଲ୍‌ରେ ଆସୁଥିବା ଅବାଞ୍ଛିତ େଓ୍ଵବ୍‌ସାଇଟ୍‌ ଲିଙ୍କ୍‌ ମାଧ୍ୟମରେ ସାଇବର ଅପରାଧୀମାନେ ଲକ୍ଷାଧିକ ଟଙ୍କା ଓ ବ୍ୟକ୍ତିଗତ ଲୁଟିବା ପୂର୍ବରୁ ତାହାର କିଭଳି ଦୃଢ଼ ଭାବେ ମୁକାବିଲା କରାଯାଇପାରିବ, ସେ ସମ୍ପର୍କରେ ଆଲୋଚନା କରାଯାଇଛି। ଅଫିସ କିମ୍ବା ଘରେ ବ୍ୟବହାର କରାଯାଉଥିବା ସମସ୍ତ ବ୍ରାଉଜର୍‌ ପ୍ରତ୍ୟେକ ଦିନ ଅପ୍‌ଡେଟ୍‌ କରିବା ନିହାତି ଜରୁରି। ଯେଉଁ ବ୍ରାଉଜର୍‌ରେ ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା ରହିଛି, ସେଗୁଡ଼ିକ ମୁଖ୍ୟତଃ ଭାଇରସ୍‌କୁ ପ୍ରତିରୋଧ କରିବାରେ ସହାୟକ ହୋଇପାରିବ। ଉଚ୍ଚ କ୍ଷମତା ସମ୍ପନ୍ନ ଆଣ୍ଟିଭାଇରସ୍‌ ବ୍ୟବହାର କରିବା ଦ୍ୱାରା ଅନ୍‌ଲାଇନ୍‌ରେ କମ୍ପ୍ୟୁଟର୍‌କୁ ଆସୁଥିବା ଭାଇରସ୍‌କୁ ରୋକାଯାଇ ପାରବ। ଯେଉଁଗୁଡ଼ିକ ପାଇରେଟେଡ୍‌ ସଫ୍ଟଓୟାର, ସେଗୁଡ଼ିକ ଆତ୍ମଘାତୀ ସଦୃଶ। ଇ-ମେଲ୍‌ ମାଧ୍ୟମରେ ଆସୁଥିବା ଫାଇଲ୍‌ଗୁଡ଼ିକ ଡାଉନ୍‌ଲୋଡ୍‌ ପୂର୍ବରୁ ଯାଞ୍ଚ କରିବା ଆବଶ୍ୟକ। ଫାଇଲ୍‌ ମାଧ୍ୟମରେ ମାଲ୍‌ଓୟାର ଭାଇରସ୍‌, ଟ୍ରୋଜନ୍‌ ଏବଂ ସ୍ପାଏଓୟାର ଭଳି ଭାଇରସ୍‌ ଆସିପାରେ।

ଅନ୍‌ଲାଇନ୍‌ରେ ପାସ୍‌ଓ୍ଵାର୍ଡ୍‌ ବ୍ୟବହାର ସମୟରେ ସଂଖ୍ୟା ଏବଂ ଅକ୍ଷରକୁ ମିଶାଇ ପାସ୍‌ଓ୍ଵାର୍ଡ୍‌ ପ୍ରସ୍ତୁତ କରିବା ଜରୁରି। ଅଜଣା ଓ୍ଵବ୍‌ସାଇଟ୍‌ ଲିଙ୍କ୍‌ ପ୍ରତି ସାବଧାନ ନରହିଲେ ଭାଇରସ୍‌ ଏହା ମାଧ୍ୟମରେ ଆସିପାରେ। କମ୍ପ୍ୟୁଟର ବାଦ୍‌ ସୋସିଆଲ୍‌ ମିଡିଆରେ ଅନେକ ସମୟରେ ୟୁଜର୍‌ ବ୍ୟକ୍ତିଗତ ତଥ୍ୟ ଦେଉଛି। ଏଗୁଡ଼ିକ ସାଇବର୍‌ ଅପରାଧୀ ଚୋରି କରି ଅପରାଧିକ କାର୍ଯ୍ୟରେ ବ୍ୟବହାର କରିବାର ଯଥେଷ୍ଟ ଆଶଙ୍କା ରହିଛି। ନୂଆ ବନ୍ଧୁଙ୍କୁ ସୋସିଆଲ୍‌ ମିଡିଆରେ ଗ୍ରହଣ କରିବା ପୂର୍ବରୁ ଆକାଉଣ୍ଟର ସତ୍ୟତା ଜାଣିବା ଆବଶ୍ୟକ। ଅନ୍ୟପଟେ ଯଦି ଏକାଧିକ ଅନ୍‌ଲାଇନ୍‌ ଇଣ୍ଟର୍‌ନେଟ୍‌ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଜଣେ ବ୍ୟାଙ୍କ ଜମାକାରୀ ଗ୍ରହଣ କରିଛି, ତେବେ ପ୍ରତ୍ୟେକ ଆକାଉଣ୍ଟ ପାଇଁ ପୃଥକ ପାସ୍‌ଓ୍ଵାର୍ଡ ଏବଂ ୟୁଜର୍‌ ନେମ୍‌ ବ୍ୟବହାର କରାଯାଇ ଅନ୍‌ଲାଇନ୍‌ ହ୍ୟାକିଂ କିମ୍ବା ଟଙ୍କା ଲୁଟ୍‌ରୁ ଆକାଉଣ୍ଟ ରକ୍ଷା କରାଯାଇ ପାରିବ। ସୋସିଆଲ୍‌ ମିିଡିଆ ଏବଂ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଗୋଟିଏ ପାସ୍‌ଓ୍ଵାର୍ଡ୍‌ ବ୍ୟବହାର ଅନୁଚିତ। ପ୍ରତ୍ୟେକ ମାସରେ ଥରେ ଅନ୍‌ଲାଇନ୍‌ ବ୍ୟାଙ୍କିଙ୍ଗ୍‌ ପାସ୍‌ଓ୍ଵାର୍ଡ ବଦଳାଇବା ଜରୁରି। ଅନ୍ୟପଟେ ଇ-ମେଲ୍‌ କିମ୍ବା ସୋସିଆଲ୍‌ ମିଡିଆରେ ଲଗ୍‌-ଇନ୍‌ ସମୟରେ େଓ୍ଵବ୍‌ ବ୍ରାଉଜର୍‌ରେ ପାସ୍‌ଓ୍ଵାର୍ଡ ସେଭ୍‌ କରିବା ଅନୁଚିତ। ଏସବୁ ନିୟମ ପାଳନ କରିବା ଦ୍ୱାରା ଅନ୍‌ଲାଇନ୍‌ରେ ସାଇବର୍‌ ଅପରାଧକୁ ଅନେକାଂଶରେ ରୋକାଯାଇ ପାରିବ ବୋଲି କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି।

ସମ୍ବନ୍ଧିତ ଖବର