ପଂଚାୟତରେ ଉପଲବ୍ଧ ନାହିଁ ଇଣ୍ଟରନେଟ୍ ସେବା; ଡିଜିଟାଲ୍ ଇଣ୍ଡିଆ ଆଣ୍ଠେଇଛି, ସହଜ କେନ୍ଦ୍ର ଓ ଡଙ୍ଗଲ ଦ୍ୱାରା ହେଉଛି ପଂଚାୟତର କାମ

ଜୟପୁର : ପ୍ରଧାନମନ୍ତ୍ରୀ ଡିଜିଟାଲ ଇଣ୍ଡିଆକୁ ଗୁରୁତ୍ୱ ଦେଇ ଆସୁଥିବା ବେଳେ ଏବେ ରାଜ୍ୟ ସରକାର ୫ଟି ଢ଼ାଂଚାରେ ପ୍ରଶାସନକୁ ତ୍ୱରାନ୍ୱିତ କରିବା ଲାଗି ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି। ପୂର୍ବରୁ ସବୁ ପଂଚାୟତରେ ଡିଜିଟାଲ ଇଣ୍ଡିଆ ସଫଳ ହୋଇ ପାରିନଥିବା ବେଳେ ଏବେ ଏହା ଅପ୍ଟିକାଲ ଫାଇବର କେବୁଲ ବିଛାଇ ଏହାକୁ ସଫଳ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ପ୍ରତି ପଂଚାୟତର ମୁଖ୍ୟ କାରବାର କେନ୍ଦ୍ରରେ ୱାଇଫାଇ ସଂଯୋଗ ରହିବ। ପଂଚାୟତସ୍ତରରେ ଥିବା ସବୁ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ମେଡିକାଲ ଆଦି ଏହି ସେବା ବି ପାଇପାରିବେ। ପ୍ରତି ପଂଚାୟତରେ ୫ଟି ଇଣ୍ଟରନେଟ୍ ପଏଣ୍ଟ ଦେବାକୁ ଯୋଜନା କରାଯାଇଛି। ଏହି ଯୋଜନାକୁ ଆସନ୍ତା ଏପ୍ରିଲ ମାସ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରହିଛି।

ପ୍ରକାଶଯୋଗ୍ୟ, ପଂଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ିକରଣ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସବୁ ଉନ୍ନୟନ ମୂଳକ ଯୋଜନାର ଅନୁଦାନ ସହ ହିତାଧିକାରୀଙ୍କ ଭତ୍ତା, ଯୋଜନା ଗୁଡିକ ପଂଚାୟତକୁ ହସ୍ତାନ୍ତର କରିଛନ୍ତି। ବର୍ଷକୁ ପ୍ରାୟ ବିଭିନ୍ନ ଯୋଜନାରେ ୩କୋଟିରୁ ଉର୍ଦ୍ଧ୍ବ ଟଙ୍କା ବି ଅନୁଦାନ ଦିଆଯାଉଛି। ଏମଜିନରେଗା ସହ ଅନ୍ୟାନ୍ୟ ଉନ୍ନୟନମୂଳକ ଯୋଜନାରେ କାମ କରିବାକୁ କୁହାଯାଉଛି। ଏହା ସାଙ୍ଗକୁ ପ୍ରଧାନମନ୍ତ୍ରୀ ଆବସ ଯୋଜନା ଠାରୁ ଆରମ୍ଭ କରି ଭତ୍ତା ବିତରଣ, ମହିଳା ସ୍ବୟଂ ସହାୟକ ଦଳ ଗଠନ ଆଦି ବି ପଂଚାୟତ ମାଧ୍ୟମରେ ହେଉଛି। ତେବେ ଏତେ ସବୁ ଯୋଜନାକୁ କାର୍ଯ୍ୟକାରୀ କରୁଥିବା ପଂଚାୟତ ସମିତି ଗୁଡିକରେ ଇଣ୍ଟରନେଟ୍ ସେବା ଠିକ୍ ଭାବେ କାମ କରି ପାରୁନି। ଜିଲ୍ଲାରେ ୧୪ଟି ବ୍ଲକରେ ୨୩୫ଟି ପଂଚାୟତ ରହିଛି। ବନ୍ଧୁଗାଁ ବ୍ଲକରେ ୧୨ଟି ପଂଚାୟତ ରହିଥିବା ବେଳେ ବୈପାରୀଗୁଡା ବ୍ଲକରେ ୧୬, ବୋରିଗୁମ୍ମା ବ୍ଲକରେ ୩୧, ଦଶମନ୍ତପୁର ବ୍ଲକରେ ୨୬, ଜୟପୁର ବ୍ଲକରେ ୨୨, କୋରାପୁଟ ବ୍ଲକରେ ୧୩, କୋଟପାଡ ବ୍ଲକରେ ୧୫, କୁନ୍ଦ୍ରା ବ୍ଲକରେ ୧୨, ଲମତାପୁଟ ବ୍ଲକରେ ୧୫, ଲକ୍ଷ୍ମୀପୁର ବ୍ଲକରେ ୧୨, ନନ୍ଦପୁର ବ୍ଲକରେ ୨୧, ନାରାୟଣପାଟଣା ବ୍ଲକରେ ୯ଟି, ପଟ୍ଟାଙ୍ଗୀ ବ୍ଲକରେ ୧୪ଟି, ସିମିଳିଗୁଡା ବ୍ଲକରେ ୧୬ଟି ଏଭଳି ୨୩୫ଟି ପଂଚାୟତ ରହିଛି। ତେବେ ଏହା ମଧ୍ୟରୁ କିଛି ହାତ ଗଣତି ପଂଚାୟତ ବ୍ଲକ ସଦରମହକୁମା କିମ୍ବା ସାମାନ୍ୟ ବଡ ସହରରେ ଥିବା ୩୦ରୁ ୪୦ଟି ପଂଚାୟତର କାମ ଯଦିଓ ଠିକରେ ହୋଇପାରୁଛି।

True Gossiper

କେନ୍ଦ୍ର ଓ ରାଜ୍ୟ ସରକାର ସବୁ ଯୋଜନା ଅନଲାଇନରେ କରିବାକୁ କହୁଥିବାରୁ ସରକାରୀ ଅଧିକାରୀ, ଜିଆରଏସ୍ ଆଦି ଇ ସହଜ କେନ୍ଦ୍ର କିମ୍ବା ବେସରକାରୀ ଇଣ୍ଟରନେଟ୍ କାଫେ କିମ୍ବା ନିଜେ ବିଭିନ୍ନ କଂପାନୀର ଡଙ୍ଗଲ ଲଗାଇ କାମ କରୁଥିବା ବି ଦେଖିବାକୁ ମିଳିଛି। ସବୁ କାମ ଅନଲାଇନରେ ହେଉଥିବାରୁ ତଥା ଖାସ୍ କରି ଏମଜିନରେଗା ପାଇଁ ଅଧିକା ହଇରାଣ ହରକତ ହେବାକୁ ପଡୁଛି ବୋଲି କହିଛନ୍ତି। ଏପରିକି ବହୁ ସମୟରେ ଘରୋଇ ମୋବାଇଲ୍ ନେଟୱାର୍କ ଓ ଡଙ୍ଗଲ ବ୍ୟବହାର କରି କାମ କରାଯାଉଛି ବୋଲି କହିଛନ୍ତି। ତେବେ ବହୁ ସମୟରେ ବଡ ବଡ ଫାଇଲ୍ ଗୁଡିକ ଡାଉନଲୋଡ ହୋଇ ପାରୁନି ବୋଲି କହିଛନ୍ତି। ଏପରିକି ସବୁ ପଂଚାୟତର ସ୍ବତନ୍ତ୍ର କୋଡ ଦେଇଥିବାରୁ କିଛି ଜରୁରୀ ଚିଠି ପଂଚାୟତରେ ଡାଉନଲୋଡ କରି ନ ପାରି ବ୍ଲକ ବହୁ ହଇରାଣ ହରକତ ହେବାକୁ ପଡୁଛି ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ଭାରତନେଟ୍ ପକ୍ଷରୁ ସଂପ୍ରତି ଅପ୍ଟିକାଲ ଫାଇବର କେବୁଲ ବିଛାଇବା କାମ ଆରମ୍ଭ ହୋଇଥିବା ଏବଂ ଜୟପୁର ବ୍ଲକର ରାଣୀଗଡରେ ଏହି କାମ ଆରମ୍ଭ ହୋଇଛି ବୋଲି କହିଛନ୍ତି ବିଡିଓ ସୁରଜ ପଟ୍ଟନାୟକ। ପଂଚାୟତ ସ୍ତରରେ ଇଣ୍ଟରନେଟ୍ କାର୍ଯ୍ୟକ୍ଷମ ହେଲେ ବିଭିନ୍ନ ଉନ୍ନୟନମୂଳକ କାମର କାର୍ଯ୍ୟନ୍ବୟନ ବି ଭଲ ଭାବେ ହୋଇ ପାରିବ ବୋଲି କହିଛନ୍ତି ବିଡିଓ ଶ୍ରୀ ପଟ୍ଟନାୟକ।

ସମ୍ବନ୍ଧିତ ଖବର