କେନ୍ଦୁଝର/ଯୋଡ଼ା: ରାମ ନବମୀ ଝଣ୍ଡା ଶୋଭାଯାତ୍ରାକୁ ନେଇ ଯୋଡ଼ାରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଏହାକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସହରରେ ବ୍ୟାପକ ପୁଲିସ ମୁତୟନ କରାଯିବା ସହିତ କେନ୍ଦୁଝର ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ଏଥିସହ ଆଜି ବି ଯୋଡ଼ା ସହରରେ ୧୪୪ ଧାରା ବଳବତ୍ତର ରହିଛି। ସ୍କୁଲ, କଲେଜ, ଦୋକାନବଜାର ବନ୍ଦ ରହିଛି। ବିଭିନ୍ନ ସ୍ଥାନରେ ପୁଲିସ ପଇଁତରା ମାରୁଛି। କେନ୍ଦୁଝର ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ନେଇ ଆଜି ସକାଳୁ ସକାଳୁ ନିୟମିତ ବ୍ୟବଧାନରେ ଏ ସଂପର୍କରେ ଲୋକମାନଙ୍କ ମୋବାଇଲ ଫୋନ୍କୁ ବାରମ୍ବାର ସରକାରଙ୍କ ତରଫରୁ ମେସେଜ ଆସିବାରେ ଲାଗିଥିଲା। ସ୍ମାର୍ଟଫୋନ ବ୍ୟବହାରରେ ଅଭ୍ୟସ୍ତ ତଥା ଡିଜିଟାଲ କାରବାର କରୁଥିବା ଲୋକମାନେ ଏହାକୁ ନେଇ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବ୍ୟାଙ୍କ କାରବାର ଠପ୍ ହୋଇଯାଇଛି। ଏଟିଏମ୍ କାଉଣ୍ଟର ଅଚଳ। ଇଣ୍ଟରନେଟ ଉପରେ ନିର୍ଭରଶୀଳ ଜନସେବା କେନ୍ଦ୍ରଗୁଡ଼ିକ ଆଜି କୌଣସି କାମ କରିପାରି ନାହାନ୍ତି। ତେଣୁ ସବୁ ଆପେ ଆପେ ବନ୍ଦ ହୋଇଯାଇଥିଲା। ଟଙ୍କା ନେଣଦେଣଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟ ସବୁ ପ୍ରଭାବିତ ହୋଇଛି।
ଅନ୍ୟପକ୍ଷରେ, ଯୋଡ଼ା ସହରର ବିଭିନ୍ନ ସ୍ଥାନରେ ପାଖାପାଖି ୧୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ବରିଷ୍ଠ ପୁଲିସ୍ ଅଧିକାରୀ ଉପସ୍ଥିତ ରହି ଘଟଣା ଉପରେ ନଜର ରଖିଛନ୍ତି। ଗତକାଲି ଠାରୁ ୧୪୪ ଧାରା ଜାରି କରାଯାଇଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ଆସନ୍ତାକାଲି ଦିନ ୧୦ଟା ପର୍ଯ୍ୟନ୍ତ ବଳବତ୍ତର ରଖଯାଇଛି। କେବଳ ଆଜି ସନ୍ଧ୍ୟା ସମୟରେ ଦୁଇଘଣ୍ଟା ପାଇଁ କୋହଳ କରାଯାଇଥିଲା। ଆସନ୍ତାକାଲି ପର୍ଯ୍ୟନ୍ତ ସ୍କୁଲ, କଲେଜ, ଦୋକାନବଜାର ମଧ୍ୟ ବନ୍ଦ ରହିବ ବୋଲି ସୂଚନା ମିଳିଛି। ଆସନ୍ତାକାଲି ସକାଳ ୧୦ଟା ସମୟରେ ଶାନ୍ତି କମିଟି ବୈଠକ ବସିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।