ରଘୁନାଥଙ୍କୁ ଝୁରୁଛି ବ୍ୟାଖ୍ୟାନକେନ୍ଦ୍ର ଅର୍କକ୍ଷେତ୍ର

କୋଣାର୍କ : ମହାନ ଶିଳ୍ପୀ ପଦ୍ମବିଭୁଷଣ ସ୍ବର୍ଗତ ରଘୁନାଥ ମହାପାତ୍ର କୋଣାର୍କ ସୂର୍ଯ୍ୟମନ୍ଦିର ଭଳି ଏକ ଅବିକଳ ମନ୍ଦିର ନିର୍ମାଣର ପରିକଳ୍ପନା କରିଥିଲେ। ଏହି ପରିକଳ୍ପନା ବାସ୍ତବ ରୂପ ନେଇ ପାରି ନ ଥିବାବେଳେ ଶିଳ୍ପୀ ତଥା ସାଂସଦ ରଘୁନାଥଙ୍କ ଅକାଳ ବିୟୋଗ ଘଟିଛି। ସୂର୍ଯ୍ୟମନ୍ଦିର ନିର୍ମାଣରେ ବାରଶହ ବଢ଼େଇଙ୍କ ନିହାଣର ଚାତୁରୀକୁ ବଖାଣିବା ପାଇଁ ସୂର୍ଯ୍ୟମନ୍ଦିର ସାମ୍ନାରେ ନିର୍ମିତ ବ୍ୟାଖ୍ୟାନକେନ୍ଦ୍ର ‘ଅର୍କକ୍ଷେତ୍ର’ ପରିସରରେ ରଘୁନାଥଙ୍କ ନିହାଣରୁ ସୃଷ୍ଟି ହୋଇଥିବା ପ୍ରତ୍ୟେକ କଳାକୃତି ସେହି ଉତ୍କଳୀୟ ଶିଳ୍ପୀକୁଳର ଦିପ୍ତୀମନ୍ତ ମଶାଲ ଭାବେ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରି ଚାଲିଥିବ।

ଇଣ୍ଡିଆନ ଅଏଲ୍‌ ଫାଉଣ୍ଡେସନ୍‌ ପକ୍ଷରୁ ନିର୍ମିତ ଏହି ବ୍ୟାଖ୍ୟାନକେନ୍ଦ୍ରକୁ ଉତ୍କଳୀୟ କାରୁକାର୍ଯ୍ୟରେ ସଜାଇ ଦେଇ ଅତୀତର କୋଣାର୍କ ସୂର୍ଯ୍ୟ ମନ୍ଦିରର ପୂର୍ଣ୍ଣାଙ୍ଗ ରୂପରେଖ ଓ ବର୍ତ୍ତମାନର ସୂର୍ଯ୍ୟ ମନ୍ଦିରର ସ୍ଥିତିକୁ ଅବିକଳଭାବେ ନିହାଣ ମୁନରେ ସୃଷ୍ଟି କରିଥିଲେ ଶିଳ୍ପୀଗୁରୁ ସ୍ବର୍ଗତ ମହାପାତ୍ର। ୨୦୧୮ ଉତ୍କଳ ଦିବସରେ ଲୋକାର୍ପିତ ହୋଇଥିଲା ଇଣ୍ଡିଆନ ଅଏଲ୍‌ ଫାଉଣ୍ଡେସନ୍‌ର ଏହି ଇଣ୍ଟର୍‌ପ୍ରିଟିସନ ସେଣ୍ଟର ବା ବ୍ୟାଖ୍ୟାନକେନ୍ଦ୍ର। ଲୋକାର୍ପଣ ଉତ୍ସବରେ ନିଜେ ଉପସ୍ଥିତ ଥିଲେ ମହାନ ଶିଳ୍ପୀ ରଘୁନାଥ। ପଦ୍ମ ବିଭୁଷଣ ତଥା ରାଜ୍ୟସଭା ସାଂସଦ ସ୍ବର୍ଗତ ରଘୁନାଥଙ୍କ ବିୟୋଗରେ କୋଣାର୍କ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ରଘୁନାଥତାଙ୍କ ହାତସ୍ପର୍ଶରେ ଜୀବନ୍ତ ହୋଇ ଉଠିଥିବା ବ୍ୟାଖ୍ୟାନକେନ୍ଦ୍ରର ପଥରମୂର୍ତ୍ତି ତାଙ୍କୁ ଝୁରୁଥିବା ଭଳି ମନେ ହୋଇଛି।

ସମ୍ବନ୍ଧିତ ଖବର