ବ୍ୟାଙ୍କ ଓ ଜଙ୍ଗଲ ବିଭାଗରୁ ଆରମ୍ଭ ହେବ ତନାଘନା
ବନୀକରଣ ସଂପର୍କରେ ବି ଖୋଳତାଡ଼ କରିବ ଭିଜିଲାନ୍ସ
ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ବନୀକରଣ ତଦନ୍ତ ଚାଲିଛି
ଭୁବନେଶ୍ୱର : ବହୁଚର୍ଚ୍ଚିତ ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକଙ୍କ କେଳେଙ୍କାରୀ ଘଟଣାରେ ଆଜିଠାରୁ ଭିଜିଲାନ୍ସ ଏସ୍ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଦଳ) ତନାଘନା ଆରମ୍ଭ କରିବ। ପ୍ରଥମ ପର୍ଯ୍ୟାୟରେ ପାଞ୍ଚ ଜଣ ବ୍ୟାଙ୍କ ଓ ଜଙ୍ଗଲ ଅଧିକାରୀଙ୍କୁ ନୋଟିସ୍ କରାଯାଇଛି। ସେମାନେ କାଲି ଏସ୍ଆଇଟି ସାମ୍ନାରେ ହାଜର ହୋଇପାରନ୍ତି। ପାଠକଙ୍କ ସହିତ ସେମାନଙ୍କ ସଂପର୍କ ଓ ଏହି କେଳେଙ୍କାରୀରେ ସଂପୃକ୍ତି ନେଇ ଭିଜିଲାନ୍ସ ଅଧିକାରୀମାନେ ସେମାନଙ୍କ ଠାରୁ ତଥ୍ୟ ହାସଲ କରିବେ। ଏହି ଜଙ୍ଗଲ ବିଭାଗ ଅଧିକାରୀଙ୍କର ଭୂମିକା ନେଇ ମଧ୍ୟ ଖୋଳତାଡ଼ କରାଯିବ ବୋଲି ଜଣାପଡ଼ିଛି।
ତେବେ ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭିଜିଲାନ୍ସ ତଦନ୍ତର ଯେଉଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛି, ସେଥିରେ ବ୍ୟାଙ୍କ ଓ ବନ ବିଭାଗର ସଂପୃକ୍ତିର ଖୋଳତାଡ଼ ପ୍ରଥମେ କରାଯିବ। କେଉଁଭଳି ପରିସ୍ଥିତିରେ ବ୍ୟାଙ୍କ କର୍ତ୍ତୃପକ୍ଷ କୋଟି କୋଟି ଟଙ୍କା କାରବାର କଲେ, ଟଙ୍କାର ଉତ୍ସ ନେଇ ସେମାନେ କେବେ ଆୟକର ବିଭାଗକୁ ଜଣାଇଛନ୍ତି କି ନାହିଁ, ଏସବୁର ଅନୁସନ୍ଧାନ କରାଯିବ। ପୂର୍ବରୁ ଭିଜିଲାନ୍ସ କହିସାରିଛି ଯେ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କର ବ୍ୟାଙ୍କ ଆକାଉଣ୍ଟରେ ୯.୪ କୋଟି ଟଙ୍କାର ସନ୍ଧାନ ସେମାନେ ପାଇଥିଲେ। ଯେଉଁଥିରେ ୮.୪ କୋଟି ଟଙ୍କା ନୂଆପଲ୍ଲୀ ଓ ସହିଦନଗର ଏବଂ ବ୍ରହ୍ମପୁରରେ ଜମା ହୋଇଥିଲା।
/sambad/media/post_attachments/wp-content/uploads/2020/11/abhya-m26-1.jpg)
ପାଠକ ତାଙ୍କର ଚାକିରି ଜୀବନ କେଉଁଠାରୁ ଆରମ୍ଭ କରିଥିଲେ, କେଉଁ କେଉଁ ଜିଲ୍ଲାରେ ଥିଲେ, ସେ ଜିଲ୍ଲାରେ ତାଙ୍କର କାର୍ଯ୍ୟକଳାପକୁ ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ କରିଛି। ଅର୍ଥାତ୍ ୧୯୮୭ ବ୍ୟାଚ୍ର ଏହି ଅଧିକାରୀଙ୍କ ସମୁଦାୟ କ୍ୟାରିଅର ତଦନ୍ତ ଭିତରକୁ ଚାଲିଆସିଛି। ପାଠକ ଏବେ ବନୀକରଣ ଦାୟିତ୍ବରେ ଥିଲେ। ଏଣୁ ଗତ ୩ବର୍ଷ ମଧ୍ୟରେ ଯେତେ ବନୀକରଣ ହୋଇଛି, ସେ ସଂକ୍ରାନ୍ତରେ ଭିଜିଲାନ୍ସ ଖୋଳତା଼ଡ କରିବ। ଏହି କ୍ରମରେ କିଛି ଡିଏଫ୍ଓ ଓ ପାଠକଙ୍କ ସହିତ ଥିବା ବନ ବିଭାଗର ଆଉ କିଛି ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜେରା କରାଯାଇପାରେ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ଆହୁରି ଚାଞ୍ଚଲ୍ୟକର କଥା ହେଲା, ଏବେ ଲୋକାୟୁକ୍ତଙ୍କ ନିକଟରେ ବନୀକରଣ ସଂକ୍ରାନ୍ତରେ ଏକାଧିକ ମାମଲା ଦାଖଲ ହୋଇଛି। ଏ ମଧ୍ୟରୁ ମୟୂରଭଂଜ ଜିଲ୍ଲାର ବନୀକରଣ କେଳେଙ୍କାରୀ ସମେତ ପ୍ରାୟ ୩ଟି ମାମଲାକୁ ଲୋକାୟୁକ୍ତ ଭିଜିଲାନ୍ସକୁ ଅନୁସନ୍ଧାନ ପାଇଁ ଦେଇଛନ୍ତି। ତଦନ୍ତ ବେଳେ ଭିଜିଲାନ୍ସ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି ଯେ ଏସବୁ କେଳେଙ୍କାରୀ ପାଠକଙ୍କ ସମୟରେ ହିଁ ହୋଇଛି। ଏଣୁ ସେ ତଦନ୍ତର ପରିସର ମଧ୍ୟ ଆହୁରି ବଢ଼ିଯାଇଛି। ଅର୍ଥାତ୍ ପାଠକ ଭିଜିଲାନ୍ସ ତଦନ୍ତ ଭିତରେ କେବଳ ଘାଣ୍ଟିଚକଟି ହେବେ ତା ନୁହେଁ, ଲୋକାୟୁକ୍ତଙ୍କ ଜାଲରେ ଫସିବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦେଇ ହେଉନାହିଁ।
ସୂଚନାଯୋଗ୍ୟ ଯେ ବନୀକରଣ ପାଇଁ ସରକାର ପ୍ରତି ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମନରେଗା ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ ରାଜ୍ୟ ସରକାରଙ୍କ ସବୁଜ ମହାନଦୀ ମିସନ ଜରିଆରେ ଅର୍ଥ ଖର୍ଚ୍ଚ ହେଉଛି। ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ ବୌଦ୍ଧରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଯେଉଁଥିରେ ବିଭିନ୍ନ ଯୋଜନାରେ ୫୦୦୦ କୋଟି ଟଙ୍କା ବିନିଯୋଗ ଲକ୍ଷ୍ୟ ରଖାଯାଇଥିଲା। ପାଖାପାଖି ୨କୋଟି ଗଛରୋପଣ ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ମହାନଦୀ ସଂଲଗ୍ନ ୧୫ଟି ଜିଲ୍ଲା ଅନ୍ତର୍ଗତ ୧୩୦୩ଟି ଗାଁରେ ବୃକ୍ଷରୋପଣ ପାଇଁ କୁହାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ବପ୍ନର ଯୋଜନାରେ କିଛି କେଳେଙ୍କାରୀ ପାଠକ କରିଛନ୍ତି କି ନାହିଁ? ଯଦି କରିଛନ୍ତି, ତେବେ ଏହାର ଆକାର କେତେ ତାହା ବି ତଦନ୍ତ ପରିସରଭୁକ୍ତ ହେବ।
/sambad/media/post_attachments/wp-content/uploads/2019/11/Vigilance.jpg)
ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ସମୁଦାୟ ବୃକ୍ଷରୋପଣ ଚିତ୍ରକୁ ତନ୍ନ ତନ୍ନ କରି ଦେଖିବା ସମ୍ଭବ ହୋଇନଥିବାରୁ ଭାତ ହାଣ୍ଡିରୁ ଗୋଟିଏ ଦୁଇଟି ଚିପିଲା ଭଳି ଭିଜିଲାନ୍ସ ଅଳ୍ପ କିଛି ଜିଲ୍ଲାରେ ବନୀକରଣ ପଛର ସତ ଓଗାଳିବାକୁ ଉଦ୍ୟମ କରିବ। ଏହାଦ୍ବାରା ପାଠକ ମାମଲାର ରହସ୍ୟ ଉନ୍ମୋଚିତ ହେବ ଓ ସମାନ୍ତରାଳ ଭାବେ ଲୋକାୟୁକ୍ତ ବନୀକରଣ ନେଇ ଯେଉଁ ଦାୟିତ୍ବ ଭିଜିଲାନ୍ସକୁ ଦେଇଛନ୍ତି, ସେଥିରେ ବି ଠୋସ୍ ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି।
ରାଜ୍ୟ ସରକାରଙ୍କର ଅର୍ଥ ବିଭାଗ ସହିତ ସଂଶ୍ଳିଷ୍ଟ ଥିବା ଜଣେ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବନୀକରଣ କାର୍ଯ୍ୟକ୍ରମରେ ଦୁର୍ନୀତି ଅଭିଯୋଗ ନୂଆ ନୁହେଁ। ଗୋଟିଏ ଗୋଟିଏ ସ୍ଥାନରେ ଏକାଧିକ ଯୋଜନା ବାବଦ ଅର୍ଥ ଖର୍ଚ୍ଚ ହୋଇଛି। ରାଜ୍ୟ ସରକାର ମଧ୍ୟ ବଜେଟ୍ରେ ବ୍ୟାପକ ଅର୍ଥ ବିନିଯୋଗ କରିଛନ୍ତି। ଏସବୁକୁ ଭିଜିଲାନ୍ସ ଏବେ ସାମାନ୍ୟ ଯାଞ୍ଚ କଲେ ଜାଣିପାରିବ। ଏଥିପାଇଁ ଅର୍ଥ ବିଭାଗର ସହାୟତା ନିଆଯିବା ଦରକାର। କେଉଁ ବର୍ଷ କେତେ ଟଙ୍କା ବୃକ୍ଷରୋପଣ କାର୍ଯ୍ୟରେ ରାଜ୍ୟ ଓ କେନ୍ଦ୍ର ସରକାର ଦେଇଛନ୍ତି, କେଉଁ ଡିଏଫ୍ଓ କେତେ ନେଇଛନ୍ତି, କେତେ ବନୀକରଣ ହୋଇଛି, ଏସବୁ ତଥ୍ୟ ଧରିଲେ ଯାଇ ଭିଜିଲାନ୍ସ ଆଗକୁ ଯାଇପାରିବ।
ସେପଟେ ପୂର୍ବତନ ଭିଜିଲାନ୍ସ ଅଧିକାରୀମାନଙ୍କ ମତ ହେଉଛି, କେବଳ ଶ୍ରୀ ପାଠକ ବା ତାଙ୍କ ତଳିଆ ଅଧିକାରୀଙ୍କ ମଧ୍ୟରେ ଏହି ଦୁର୍ନୀତି ସୀମିତ ନଥିବ। ଏଥିରେ ରାଜନେତା, ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ସେ ସମୟରେ ମନ୍ତ୍ରୀମାନଙ୍କ ଭୂମିକା ମଧ୍ୟ ତଦନ୍ତ ପରିସରଭୁକ୍ତ ହେବା କଥା। ଜଙ୍ଗଲ ମନ୍ତ୍ରୀ ଓ ସଚିବ କେତେଥର ନିଜ ବିଭାଗ କାର୍ଯ୍ୟର କେତେଥର ସରଜମିନ୍ ତଦନ୍ତ କରିଛନ୍ତି, ଯୋଜନା ବାବଦ ଅର୍ଥ ସଂପର୍କରେ ବିଭିନ୍ନ ସମୟରେ ଆସିଥିବା ଅଡିଟ୍ ରିପୋର୍ଟ ଉପରେ କି କାର୍ଯ୍ୟାନୁଷ୍ଠାନ ହୋଇଛି ଏସବୁ ଘଟଣା ଏବେ ପାଠକଙ୍କ ସହିତ ପଦାକୁ ଆସିବା ସମ୍ବାବନା ରହିଛି। ପାଠକଙ୍କ ବିଶାଳ ସଂପତ୍ତି ପଛରେ ଏହି କେଳେଙ୍କାରୀର ଛାଇ ପଡ଼ିଥିବା ଅସମ୍ଭବ ନୁହେଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/vigilance-aaa.jpg)