କଟକ: ନିଶ୍ଚିନ୍ତକୋଇଲି ହେଉ ବା ନିଆଳି, କୌଣସି ଅଘଟଣଜନିତ ମୃତ୍ୟୁ ହେଲେ ଶବ ବ୍ୟବଚ୍ଛେଦ ପାଇଁ ଆସିବାକୁ ପଡ଼ୁଛି କଟକ ବଡ଼ଡାକ୍ତରଖାନା। କଟକ ଜିଲ୍ଲାର ୮ଟି ବ୍ଲକ୍‌ ଓ ୩୧ ଥାନା ଅଞ୍ଚଳରେ ନାହିଁ ଶବ ବ୍ୟବଚ୍ଛେଦ ବ୍ୟବସ୍ଥା। କଟକରେ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବା ସିଟି ହସ୍ପିଟାଲରେ ବି ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ନାହିଁ। ଫଳରେ ଏସ୍‌ସିବି ଉପରେ ଚାପ ବଢ଼ିବା ସହ ଅନେକ ସମୟରେ ବ୍ୟବଚ୍ଛେଦ ବିଳମ୍ବକୁ ନେଇ ମୃତକଙ୍କ ପରିବାର ମଧ୍ୟରେ ଅସନ୍ତୋଷ ବି ପ୍ରକାଶ ପାଉଛି।

Advertisment

କଟକ ଜିଲ୍ଲାର ୮ଟି ବ୍ଲକ୍‌ରେ ଥିବା ୧୦ଟି ଥାନା ଓ କମିସନରେଟ୍‌ ପୁଲିସର ୨୧ଟି ଥାନା ଅଞ୍ଚଳରେ ଯଦି କୌଣସି ଅଘଟଣଜନିତ ମୃତ୍ୟୁ ଘଟେ, ତେବେ ସମସ୍ତଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ଆସିବାକୁ ପଡ଼ିବ। ସାଲେପୁର, ଟାଙ୍ଗୀ, ମାହାଙ୍ଗା ଅଂଚଳରେ ଶବ ବ୍ୟବଚ୍ଛେଦର ବ୍ୟବସ୍ଥା ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇଆସୁଥିଲେ ବି ଏହା କାର୍ଯ୍ୟକାରୀ ହୋଇପାରୁନି। ଫଳରେ ବ୍ୟବଚ୍ଛେଦ ପାଇଁ ଶବ ଆଣିବାରେ ପରିବାରଲୋକ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଦୀର୍ଘ ସମୟ ଧରି ଅପେକ୍ଷା ବି କରୁଛନ୍ତି। ଗତକାଲି ସାଲେପୁରର ଘଟିଥିବା ଘଟଣା ଏହି ସମସ୍ୟାର ସଦ୍ୟ ଉଦାହରଣ। କେନାଲରେ ବୁଡ଼ି ମୃତ ଶିଶୁଙ୍କ ମୃତ୍ୟୁଦେହ ବ୍ୟବଚ୍ଛେଦ ପାଇଁ ସାଲେପୁରରୁ ପରିବାରଲୋକଙ୍କୁ କଟକ ଆସିବାକୁ ପଡ଼ିଥିଲା। ବ୍ୟବଚ୍ଛେଦ ପାଇଁ ଗାଡ଼ି ନ ମିଳିବା ଫଳରେ ବାଇକ୍‌ରେ ଶବକୁ ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ଆଣିଥିଲେ ପରିବାରଲୋକ। ଅପମୃତ୍ୟୁ ଘଟଣାରେ ପୁଲିସ ମାମଲା ରୁଜୁ କରିଥିଲେ ବି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁଲିସ ବ୍ୟବସ୍ଥ‌ା କରି ନଥିଲା। ଟାଙ୍ଗୀ-ଚୌଦ୍ବାର, ମାହାଙ୍ଗା, ସାଲେପୁର, ନିଶ୍ଚିନ୍ତକୋଇଲି, ନିଆଳି, କଣ୍ଟାପଡ଼ା, ସଦର, ବାରଙ୍ଗ ଭଳି ୮ଟି ବ୍ଲକ୍‌ର ୧୦ଟି ଥାନା ଅଞ୍ଚଳରେ ଏଭଳି ସମସ୍ୟା ଦେଖାଦେଉଛି।

ଏହାବ୍ୟତୀତ ଏସ୍‌ସିବିରେ ଘଟୁଥିବା ଘଟଣା, କଟକ କମିସନରେଟ୍ ପୁଲିସ ଅଧୀନରେ ଥିବା ୨୧ଟି ଥାନା ଅଞ୍ଚଳର ଅପମୃତ୍ୟୁରେ ବି ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ଉପରେ ଭରସା କରିବାକୁ ପଡ଼ୁଛି। କଟକ ସିଟି ହସ୍ପିଟାଲରେ ଏହି ବ୍ୟବସ୍ଥା ରହିଲେ, ଚାପ ହ୍ରାସ ହେବାର ସୁଯୋଗ ରହିଛି। କିନ୍ତୁ ଦୀର୍ଘ ଦିନ ହେଲା, ତାହାକୁ କାର୍ଯ୍ୟକାରୀ କରାଯାଉନାହିଁ। ଏଭଳି ସ୍ଥିତିରେ ଦିନକୁ ଏସ୍‌ସିବିରେ ହାରାହାରି ୧୫ଟି ଶବ ବ୍ୟବଚ୍ଛେଦ ହେଉଛି। କିନ୍ତୁ ବ୍ୟବଚ୍ଛେଦ ପାଇଁ ଏସ୍‌ସିବିରେ ୬ଟି ଟେବୁଲ ରହିଛି। ହଠାତ୍‌ ଯଦି କୌଣସି ଦୁର୍ଘଟଣାଜନିତ ମୃତ୍ୟୁ ହେଲା ଓ ମୃତଦେହ ଏସ୍‌ସିବି ଆସିଲେ, ଚାପ ବଢ଼ୁଛି ବୋଲି କହିଛନ୍ତି କର୍ତ୍ତୃପକ୍ଷ।