ରାଉରକେଲା: ୟୁଟ୍ୟୁବ୍‌ ମାଧ୍ୟମରେ ବିଭିନ୍ନ କିସମର ପକ୍ଷୀ, ପଶୁ ବିକ୍ରି କରୁଥିଲେ। ସଂପୃକ୍ତ ପଶୁ ପକ୍ଷୀ ଭିଡିଓ ତିଆରି ଅପଲୋଡ୍‌ କରୁଥିଲେ। ଏହାକୁ ଦେଖି ବିଭିନ୍ନ ରାଜ୍ୟର ଲୋ‌କ ଅଭିଯୁକ୍ତ ସହ ଯୋଗାଯୋଗ କରୁଥିଲେ। ପରେ ଭିନ୍ନ ଭିନ୍ନ ଦରରେ ଏସବୁକୁ ବିକ୍ରି କରାଯାଉଥିଲା। ଏଭଳି ହାଇଟେକ୍‌ ପକ୍ଷୀ ବେପାରୀକୁ ଆଜି ବନ ବିଭାଗ କାବୁ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ପାଖରୁ ଦୁଇଟି କମନ୍‌ ହିଲ୍‌ ମଇନା(ସାରୀ) ଉଦ୍ଧାର କରାଯାଇଛି। ଅଭିଯୁକ୍ତ ହେଉଛି ବିଶ୍ରା ଥାନା ଅନ୍ତର୍ଗତ ଉଡ଼ୁଶୁ ଗ୍ରାମର ସରୋଜ କୁମାର ବଡ଼ାଇକ(୩୨)।
Advertisment
ଉଲ୍ଲେଖଯୋଗ୍ୟ, ଇଞ୍ଜିନିୟରିଂ ଶିକ୍ଷା ଲାଭ କରିଥିବା ଅଭିଯୁକ୍ତ ସରୋଜ ଦୀର୍ଘ ଦିନ ହେଲା ଅନୈତିକ ପଶୁ, ପକ୍ଷୀ ବ୍ୟବସାୟ କରୁଥିଲେ। ୟୁଟ୍ୟୁବ୍‌ରେ ବିଭିନ୍ନ ପଶୁ, ପକ୍ଷୀର ଭିଡିଓ ଅପଲୋଡ୍‌ କରି ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରି ବେପାର ଚଲାଇଥିଲେ। ଏହି ଉପାୟରେ ସେ ପୂର୍ବରୁ ଶୁଆ, କଇଁଛ ବିକ୍ରି କରିସାରିଛି। ବିଭିନ୍ନ କିସମର ପଶୁ, ପକ୍ଷୀକୁ ରାୟପୁର, ରାଞ୍ଚିରୁ ଆଣି ଏଠାରେ ବିକ୍ରି କରୁଥିଲା। ଏନେଇ ସୂଚନା ପାଇଁ ବନ କର୍ତ୍ତୃପକ୍ଷ ଅଭିଯୁକ୍ତକୁ କାବୁ କରିବାକୁ ଜାଲ ବିଛାଯାଇଥିଲା। ଯୋଜନା ମୁତାବକ, ପ୍ରଥମେ ଫୋନ୍‌ରେ ଅଭିଯୁକ୍ତ ସହ ଯୋଗାଯୋଗ କରି ଦୁଇ ମଇନା କିଣିବାକୁ ମୂଳଚାଲ କରିଥିଲେ। ଶେଷରେ ଅଭିଯୁକ୍ତ ଗୋଟିଏକୁ ୭ ହଜାର ହିସାବରେ, ମୋଟ୍‌ ୧୪ ହଜାର ଟଙ୍କାରେ ବିକ୍ରି କରିବାକୁ ରାଜି ହୋଇଥିଲା।
publive-image
ଉକ୍ତ ଦିନ ହିଁ ବନ କର୍ତ୍ତୃପକ୍ଷ ଅଗ୍ରୀମ ବାବଦକୁ ୫ ହଜାର ଟଙ୍କା ଅଭିଯୁକ୍ତର ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ଜମା କରିଥିଲେ। ଅବଶିଷ୍ଟ ଟଙ୍କା ନେବାକୁ ଅଭିଯୁକ୍ତକୁ ସ୍ଥାନୀୟ ହକି ଛକ ପାଖରେ ଥିବା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ ସାମ୍ନାକୁ ଡକାଯାଇଥିଲା। ଅଭିଯୁକ୍ତ ନିଜ ବାଇକ୍‌(ଓଆର୍‌-୧୪-ଏଚ୍‌-୧୭୭୨)ରେ ଦୁଇ ମଇନା ପକ୍ଷୀ ଧରି ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବାପରେ ଆଗରୁ ଛପି ରହିଥିବା ବନ କର୍ତ୍ତୃପକ୍ଷ କାବୁ କରିନେଇଥିଲେ। ଅଧିକ ପଚରାଉଚରା ଜାରି ରହିଥିବାରୁ ରାକେଟ୍‌ ଉପରୁ ସଂପୂର୍ଣ୍ଣ ପରଦା ଉଠିବବୋଲି ବନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।