ବନ୍ଦ ହେଲାଣି ଅନ୍ତଃରାଜ୍ୟ ବସ୍‌ ସେବା; କର୍ମଚାରୀଙ୍କ ବେତନ ବନ୍ଦ, ବସ୍‌ ମାଲିକଙ୍କୁ ଇଏମ୍‌ଆଇ ଚିନ୍ତା

ଲଗାତାର ଦୁଇ ବର୍ଷ ଧରି କରୋନା ମାଡ଼

ଭୁବନେଶ୍ବର : ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଗଡ଼ୁ୍‌ଥିବା ପ୍ରାୟ ୨୦୦ ବସ୍‌ ଚଳାଚଳ ଏବେ ବନ୍ଦ ହୋଇଯାଇଛି। ରାଜ୍ୟ ଭିତରେ ଚାଲୁଥିବା ୧୪ ହଜାର ବସ୍‌ ସମେତ ରାଜଧାନୀରୁ ବିଭିନ୍ନ ଜିଲ୍ଲାକୁ ଯାଉଥିବା ୧୨ ଶହ ବସ୍‌ ମଧ୍ୟ ସଙ୍କଟଜନକ ସ୍ଥିତିରେ। ଯାତ୍ରୀ ପରିବହନ ଉପରେ ସରକାର ନାନା କଟକଣା ଲଗାଇବା ପରେ କର୍ମଚାରୀଙ୍କ ବେତନ ବନ୍ଦ ହୋଇଗଲାଣି। ବସ୍‌ ମାଲିକମାନଙ୍କୁ ମଧ୍ୟ ଘାରିଲାଣି ଇଏମ୍‌ଆଇ ଚିନ୍ତା। ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ପ୍ରଭାବିତ ହୋଇଛନ୍ତି ରାଜ୍ୟରେ ୮୦ ହଜାରରୁ ଊର୍ଧ୍ବ ବ୍ୟକ୍ତି। ପୁଣିଥରେ କରୋନା ସମସ୍ତଙ୍କୁ ଏଭଳି ସଂକଟ ଭିତରକୁ ଟାଣି ଆଣିଛି।

କରୋନାଜନିତ ଲକ୍‌ଡାଉନ୍‌ ଯୋଗୁଁ ୨୦୨୦ ମସିହା ମାର୍ଚ ମାସରୁ ବନ୍ଦ ରହିଲା ଗାଡ଼ି ଚଳାଚଳ। ଯେତେବେଳେ ଅନୁମତି ମିଳିଲା, କରୋନା ଭୟରେ ପ୍ରଥମେ ଲୋକେ ଯିବା ପାଇଁ ଭୟ କଲେ। ନଭେମ୍ବର ମାସରୁ ସ୍ଥିତି ଟିକେ ସ୍ବାଭାବିକ ହୋଇ ଆସିବା ବେଳକୁ ୪ ମାସ ମଧ୍ୟରେ ପୁଣିଥରେ କାୟା ମେଲାଇଛି କରୋନା। ୨୦୨୦ ମସିହାଠାରୁ ଆହୁରି ଗୁରୁତର ସ୍ଥିତି ସୃଷ୍ଟି ହୋଇଛି। ବସ୍‌ ମାଲିକ ସଂଘ କହିବା ଅନୁଯାୟୀ, ଅନ୍ତଃରାଜ୍ୟ ବସ୍‌ ଚଳାଚଳ ପାଇଁ ଗାଡ଼ି ମାଲିକଙ୍କୁ ଉଭୟ ରାଜ୍ୟର ସରକାରଙ୍କୁ ପ୍ରତି ମାସରେ ଟିକସ ଦେବାକୁ ପଡ଼ିଥାଏ। ଏ ବାବଦକୁ ମାଲିକମାନେ ପ୍ରାୟ ୪୦ ହଜାର ଟଙ୍କା ଟିକସ ଦେଇ ସାରିଛନ୍ତି। ଚଳିତ ମାସର ଟିକସ ଦେବା ପରେ ପରେ ବସ୍‌ ଚଳାଚଳ ବନ୍ଦର ଘୋଷଣା ହେଲା। ଟିକସ ଦେଇ ମଧ୍ୟ ଗାଡ଼ିଗୁଡ଼ିକ ଷ୍ଟାଣ୍ଡରେ ଛିଡ଼ା ହୋଇଛି। ରୋଜଗାର ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।

ଦ୍ବିତୀୟତଃ ଘରୋଇ ବସ୍‌ ମାଲିକ ସଂଘ ପ୍ରବକ୍ତା ଦେବାଶିଷ ନାଏକ କହିଛନ୍ତି, ପ୍ରତ୍ୟେକ ବସ୍‌ ମାଲିକ ବାର୍ଷିକ ୧ ଲକ୍ଷ ୨୦ ହଜାର ଟଙ୍କା ବୀମା ପ୍ରିମିୟମ ଦେଇଥାଆନ୍ତି। ଚଳିତ ବର୍ଷ ଏହା ମଧ୍ୟ ଦିଆଯାଇଛି। ଆଗାମୀ ପ୍ରିମିୟମ ନିର୍ଧାରିତ ସମୟରେ ଆଦାୟ ହେଲେ ସେମାନଙ୍କ ପାଇଁ ଏହି ଅର୍ଥ ପ୍ରଦାନ କରିବା କଷ୍ଟକର ହୋଇ ପଡ଼ିବ। ଏଥିପାଇଁ ବୀମା ପ୍ରିମିୟମ ପ୍ରଦାନ ପାଇଁ ୩ ମାସ ଅତିରିକ୍ତ ସମୟ ଦେବାକୁ ସଂଘ ଦାବି କରିଛି। କିନ୍ତୁ ଏହା ରାଜ୍ୟ ସରକାରଙ୍କ କ୍ଷମତା ବାହାରେ। କେନ୍ଦ୍ର ସରକାର ଓ ବୀମା କମ୍ପାନିକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କଲେ। କିନ୍ତୁ ଏ ସଂକ୍ରାନ୍ତରେ ଆଲୋଚନା କଲେ ସମାଧାନର ବାଟ ବାହାରି ପାରନ୍ତା ବୋଲି ସଂଘ କହିଛି।

ସେହିପରି ରାଜ୍ୟ ଭିତରେ ଚଳାଚଳ କରୁଥିବା ବସ୍‌ ମାଲିକଙ୍କ ପାଇଁ ମଧ୍ୟ ସ୍ଥିତି ଭଲ ନଥିବା ବସ୍‌ ମାଲିକମାନେ କହିଛନ୍ତି। ବର୍ତ୍ତମାନ କରୋନା ଭୟରେ ଅନେକ ଲୋକ ଘରକୁ ଫେରୁଥିବାରୁ କିଛି ଯାତ୍ରୀ ହେଉଛନ୍ତି। କିଛି ଦିନ ପରେ ଏହା ମଧ୍ୟ ବନ୍ଦ ହୋଇଯିବ। ସ୍ଥିତି ଏଭଳି ହୋଇଛି ଯେ ଅତି ଜରୁରୀ ନହେଲେ ଲୋକେ ଯାତାୟାତ କରିବେ ନାହିଁ। ରାଜ୍ୟ ଭିତରେ ଗାଡ଼ି ଚଳାଚଳ ଅନୁମତି ଥିଲେ ମଧ୍ୟ ଅନେକ ଗାଡ଼ି ମାଲିକ ଟିକସ ବୋଝରୁ ମୁକ୍ତି ପାଇଁ ଗାଡ଼ି ସରେଣ୍ଡର କରିବାକୁ ବାଧ୍ୟ ହେବେ। ୨୦୨୦ ମସିହାରେ ଏହିଭଳି ପରିସ୍ଥିତି ଯୋଗୁଁ ଅନେକ ଗାଡ଼ି ମାଲିକ ଗାଡ଼ି ବ୍ୟବସାୟ ବନ୍ଦ କରି ଦେଇଥିବା ଶ୍ରୀ ନାଏକ କହିଛନ୍ତି। ବଡ଼ ବସ୍‌ ମାଲିକ, ଏକାଧିକ ବ୍ୟବସାୟ ଥିବା ବ୍ୟକ୍ତି ଗତବର୍ଷ କୌଣସି ପ୍ରକାରେ ସ୍ଥିତିର ମୁକାବିଲା କରିଛନ୍ତି। କିନ୍ତୁ ଛୋଟ ବସ୍‌ ମାଲିକ ଓ କର୍ମଚାରୀଙ୍କ ଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ପ୍ରତ୍ୟେକ ବସ୍‌ରେ ଅନ୍ୟୂନ ୪ ଜଣ କର୍ମଚାରୀ କାର୍ଯ୍ୟ କରନ୍ତି। ମାଲିକମାନେ ସେମାନଙ୍କୁ ଅପ୍ ଏଣ୍ଡ୍ ଡାଉନ୍ ଯାତ୍ରା ପିଛା ଟଙ୍କା ଦିଅନ୍ତି। ଯାତ୍ରା ବନ୍ଦ ହେବା ଯୋଗୁଁ ହେଲପର, କଣ୍ଡକ୍ଟର, ଚାଳକମାନେ ଦରମା ପାଉନାହାନ୍ତି। ଗତବର୍ଷ ମଧ୍ୟ ଏହିଭଳି ସ୍ଥିତି ଯୋଗୁଁ ଅନେକ ବସ୍‌ କର୍ମଚାରୀ ପରିବା ବିକ୍ରି ଭଳି ବିକଳ୍ପ ରୋଜଗାରର ପନ୍ଥା କରି କୌଣସି ପ୍ରକାରେ ଚଳିଥିଲେ। ଚଳିତ ବର୍ଷ ପୁଣିଥରେ ରୋଜଗାର ବନ୍ଦ ହେବା ଆରମ୍ଭ ହୋଇଯାଇଥିବାରୁ କର୍ମଚାରୀଙ୍କ ଅବସ୍ଥା ଶୋଚନୀୟ ହେଲାଣି। ଲଗାତାର ଦୁଇ ବର୍ଷ ଧରି ସମାନ ପରିସ୍ଥିତି ଯୋଗୁଁ ବିକଟ ପରିସ୍ଥିତିରେ ବି ମାଲିକମାନେ କର୍ମଚାରୀଙ୍କୁ ସହଯୋଗର ଆଶା କ୍ଷୀଣ ହୋଇ ପଡ଼ିଛି। ଅନ୍ୟପକ୍ଷରେ ନୂଆ କରି ବସ୍‌ ବ୍ୟବସାୟକୁ ଆପଣେଇଥିବା ‌ମାଲିକମାନେ ଋଣ କରି ବସ୍‌ କିଣିଛନ୍ତି। ଏବେ ବସ୍‌ ଚଳାଚଳ ବନ୍ଦ ଯୋଗୁଁ ଇଏମ୍‌ଆଇ ଦେବା ଅବସ୍ଥାରେ ନାହାନ୍ତି। ତେଣୁ ସେମାନଙ୍କ ପାଇଁ ସଙ୍କଟଜନକ ସ୍ଥିତି ସୃଷ୍ଟି ହୋଇଛି। ଗତ ଦୁଇ ବର୍ଷ ଭିତରେ ଯେଉଁମାନେ ବସ୍‌ କିଣିଥିଲେ ସେମାନଙ୍କ ଦୁର୍ଦ୍ଦଶା କଥା ନ କହିଲେ ଭଲ।

ସମ୍ବନ୍ଧିତ ଖବର