ରାଉରକେଲା/କୁଆରମୁଣ୍ଡା: ସଂପ୍ରତି ଆଇପିଏଲ୍ ମ୍ୟାଚ୍ ଚାଲୁଥିବାବେଳେ ଏହାକୁ ନେଇ ବେଟିଂ ବା ଜୁଆ କାରବାର ବେଶ୍ ବୃଦ୍ଧି ପାଇଛି। ଇଣ୍ଟରନେଟ୍ ଜରିଆରେ ଅନ୍ଲାଇନ୍ରେ ଲୋକେ ଟଙ୍କା ବାଜି ଲଗାଉଛନ୍ତି। ଦିନକୁ କୋଟି କୋଟି ଟଙ୍କାର ଅନ୍ଲାଇନ୍ ବାଜି ଲାଗୁଛି। ଏହିଭଳି କାର୍ଯ୍ୟରେ ଅପରାଧୀମାନେ ଲୋକଙ୍କୁ ଠକି ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି। ଏହି ବେଆଇନ କାର୍ଯ୍ୟରେ ଅନ୍ତଃରାଜ୍ୟ ଯୁବକମାନେ ସଂଶ୍ଲିଷ୍ଟ ରହି ବେଆଇନ ଅର୍ଥ ରୋଜଗାର କରୁଥିବା ଘଟଣାରେ ଆଜି ରାଉରକେଲା ସହର ଉପକଣ୍ଠସ୍ଥ କୁଆରମୁଣ୍ଡା ପୁଲିସ ୯ ଜଣଙ୍କୁ ଗିରଫ କରିଛି। ସମସ୍ତଙ୍କ ଘର ଛତିଶଗଡ଼ ହୋଇଥିବାବେଳେ ସେମାନଙ୍କ ନିକଟରୁ ୧୮ଟି ଦାମୀ ମୋବାଇଲ, ୧ଟି ଟାବଲେଟ୍, ୧ଟି ଲାପ୍ଟପ୍ ଜବତ କରିଛି।
ଗିରଫ ଯୁବକମାନେ ହେଉଛନ୍ତି ଛତିଶଗଡ଼ର ଦୁର୍ଗ ଜିଲ୍ଲାର ମାଲିତ ସିଂ(୨୫), ବିଶାଲ ରାଏ(୧୮), ହିମାଂଶୁ ଦେବାଙ୍ଗନ(୨୫), ପଙ୍କଜ ଦେବାଙ୍ଗନ(୨୨), ବିକାଶ ଠାକୁର(୨୩), ମିନୁ ସିଂ(୨୧), ଦିନେଶ ସାହୁ(୨୮), ବିକ୍ରମଜିତ ସିଂ(୧୯), ଯୋଗେନ୍ଦ୍ର ସିଂ(୨୨)। ପୁଲିସ ସମସ୍ତ ଅଭିଯୁକ୍ତମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଇ କୋର୍ଟ ଚାଲାଣ କରିଛି। ଏ ନେଇ ବୀରମିତ୍ରପୁର ଥାନାରେ ଦଫା ୨୯୪(ଏ)/୪୨୦/୧୨୦(ବି)/୩୪ ଆଇପିସି/ ପ୍ରାଇଜ୍ ଚିଟ୍ ଓ ମନି ସର୍କୁଲେସନ ସ୍କିମ୍ ଆକ୍ଟ ୧୯୭୮ରେ ଏକ ମାମଲା(୭୪/୨୨) ରୁଜୁ ହୋଇଛି। ବୀରମିତ୍ରପୁର ଆଇଆଇସି ମନୋଜ ମଞ୍ଜରୀ ନାଏକଙ୍କ ସୂଚନା ଅନୁଯାୟୀ, ଶନିବାର ରାତିରେ କୁଆରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଯମୁନାନାକି ଝରାବସ୍ତିର ଏକ ଘରେ କେତେଜଣ ଯୁବକ ଅନ୍ଲାଇନ୍ ଲଟେରି କାର୍ଯ୍ୟାଳୟ ଖୋଲି ଆଇପିଏଲ୍ ବେଟିଂ ଆରମ୍ଭ କରିଥିଲେ। ଏହା ଜରିଆରେ କୋଟି କୋଟି ଟଙ୍କା ବାଜି ଲଗାଇବା ସହ ବିଭିନ୍ନ ଆକର୍ଷଣୀୟ ପୁରସ୍କାରର ଲୋଭ ଦେଖାଇ ଲୋକମାନଙ୍କୁ ପ୍ରଲୋଭିତ କରୁଥିଲେ। ଏକ ବିଶ୍ବସ୍ତସୂତ୍ରରୁ ଖବର ପାଇ ବୀରମିତ୍ରପୁର ଏସ୍ଡିପିଓ ମାନସରଞ୍ଜନ ପ୍ରଧାନ,ଆଇଆଇସି ମନୋଜ ମଞ୍ଜରୀ ନାଏକ ନାଏକ, କୁଆରମୁଣ୍ଡା ଫାଣ୍ଡି ଅଧିକାରୀ ଶ୍ୟାମଲାଲ ଓରାମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଉକ୍ତ କାର୍ଯ୍ୟାଳୟରୁ କାବୁ କରିବା ସହ ମୋବାଇଲ, ଟାବଲେଟ୍ ଓ ଲାପ୍ଟପ୍ ମଧ୍ୟ ସେମାନଙ୍କ ନିକଟରୁ ଜବତ କରିଥିଲେ। ଏହି ଆଇପିଏଲ୍ ବ୍ୟାଟିଂ ନେଟ୍ୱାର୍କ ମୁମ୍ବାଇରୁ ରାଉରକେଲା/କୁଆରମୁଣ୍ଡା ପର୍ଯ୍ୟନ୍ତ ଲମ୍ବିଥିବା ଆଲୋଚନା ହେଉଛି।
ଉଲ୍ଲେଖନୀୟ ଯେ ରାଉରକେଲା ସହରରେ କ୍ରିକେଟକୁ ନେଇ ଜୁଆ ନିୟମିତ ଚାଲିଛି। କେବଳ ବସ୍ତି ଅଞ୍ଚଳ ନୁହେଁ, ସହରର ଅନେକ ବଡ଼ ହୋଟେଲରେ ମଧ୍ୟ ଏହା ଚାଲିବାର ଓ ସ୍ଥାନୀୟ ଦଲାଲଙ୍କ ସମେତ ସେଥିରେ ଅନ୍ୟ ରାଜ୍ୟର ଲୋକ ସଂପୃକ୍ତ ଥିବାର ପ୍ରମାଣ ଅତୀତରେ ମିଳିଛି। ତେବେ ସ୍ଥାନୀୟ ପୁଲିସ ଚଢ଼ାଉ କରିବାରୁ କ୍ରିକେଟ ଜୁଆ ସହରରେ କିଛି ପରିମାଣରେ କମିଛି। କୁଆରମୁଣ୍ଡା ଘଟଣାରୁ ସନ୍ଦେହ ପ୍ରକାଶ ପାଉଛି ଯେ ରାଉରକେଲା ପୁଲିସର ନଜରରୁ ବର୍ତିବାଲାଗି ଜୁଆଡ଼ିମାନେ ଏହି ଖେଳକୁ ଗ୍ରାମାଞ୍ଚଳକୁ ସ୍ଥାନାନ୍ତରିତ କରୁଛନ୍ତି। କୁଆରମୁଣ୍ଡା ସମେତ ବିଶ୍ରା ଓ ବନ୍ଧମୁଣ୍ଡାରେ, ଏପରିକି ରାଜଗାଙ୍ଗପୁରରେ ମଧ୍ୟ କ୍ରିକେଟ ଜୁଆ ଚାଲୁଥିବାର ସୂଚନା ମିଳୁଛି।