ଆନ୍ତଃରାଜ୍ୟ ଅନ୍‌ଲାଇନ୍‌ ଠକ ଗ୍ୟାଙ୍ଗ ଗିରଫ ଘଟଣାରେ ଚାରି ଅଭିଯୁକ୍ତକୁ ରିମାଣ୍ଡରେ ନେଲା ଜମ୍ମୁ ପୁଲିସ

ରାଉରକେଲା: ସହରରୁ ଗିରଫ ଆନ୍ତଃରାଜ୍ୟ ଅନ୍‌ ଲାଇନ୍‌ ଠକ ଗ୍ୟାଙ୍ଗରୁ ୪ ଅଭିଯୁକ୍ତକୁ ରିମାଣ୍ଡରେ ନେଇ ଜମ୍ମୁ ପୁଲିସ୍‌। ଏମାନେ ଜମ୍ମୁରେ ଜଣେ ଡିଆଇଜି ରାଙ୍କର ଅଧିକାରୀଙ୍କୁ ଠକିଥିଲେ। କେବଳ ଡିଆଇଜି ରାଙ୍କ ଅଧିକାରୀ ନୁହେଁ ଜମ୍ମୁରେ ଅନ୍ୟ କିଛି ଲୋକଙ୍କୁ ମଧ୍ୟ ଠକିଥିବା ନେଇ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଥିଲା। ରାଉରକେଲା ସାଇବର ପୁଲିସ ଗିରଫ କରିଥିବା ସୂଚନା ପାଇ ଜମ୍ମୁ ପୁଲିସ ରାଉରକେଲା ପହଞ୍ଚିଥିଲା। ରିମାଣ୍ଡରେ ଯାଇଥିବା ଅଭିଯୁକ୍ତମାନେ ହେଲେ ଗ୍ୟାଙ୍ଗ୍‌ର କିଙ୍ଗ୍‌ପିନ୍‌ ତଥା ବିହାର ନୱାଡ଼ାର ମୂଳ ନିବାସୀ ପ୍ରୀତମ କୁମାର(୨୭) ଥିବାବେଳେ ତା’ ସହଯୋଗୀ ପଶ୍ଚିମବଙ୍ଗର ରାହୁଲ ପ୍ରଧାନ(୨୯),  ରାଜେଶ ପାଶ୍ବାନ(୪୦), ଆନ୍ଧ୍ରପ୍ରଦେଶର ନାଗରାମ ପରନ୍ଧା ମୁଡ଼ୁ(୩୦)। ଏମାନେ ଦିନ ରାତି ଠକାମିରେ ଲାଗିପଡିଥିଲେ।

ନିଜକୁ ‘ନାପ୍‌ଟୋଲ’ କମ୍ପାନିର ଅଧିକାରୀ ପରିଚୟ ଦେଇ  ସ୍କ୍ରାଚ୍‌ କୁପନ୍‌ରେ ୨୫ ଲକ୍ଷ ଟଙ୍କା ଜିତିଥିବା ନେଇ ସୂଚନା ଦେଇଥିଲେ। ତେବେ ଉକ୍ତ ଟଙ୍କା ପାଇବାକୁ ହେଲେ ପ୍ରଥମେ ୨ ପ୍ରତିଶତ ଜିଏସ୍‌ଟି ବାବଦକୁ ଅର୍ଥ ପୈଠ କରିବାକୁ ସର୍ତ୍ତ ରଖିଥିଲେ। ଏହି ଗ୍ୟାଙ୍ଗ୍‌ର ଠକିବା ଶୈଳୀ ଭିନ୍ନ ଥିଲା। ପ୍ରଥମେ ଏମାନେ ଅନଲାଇନ୍‌ରେ ବିଭିନ୍ନ ସାମଗ୍ରୀ କିଣୁଥିବା ଗ୍ରାହକଙ୍କ ବିଷୟରେ ସଂପୂର୍ଣ୍ଣ ତଥ୍ୟ, ଘର ଠିକଣା ଆଦି ସଂଗ୍ରହ କରୁଥିଲେ। ବିଶେଷକରି ‘ନାପ୍‌ଟୋଲ’, ‘ମିସୋ’, ‘ସୁଧି’, ‘ହ୍ୟାମର୍‌ ଅଫ୍‌ ଥର୍‌’, ‘ଦିବ୍ୟାଂଶୁ ସଂସ୍ଥାନ’, ‘ସପ୍‌ କ୍ଲୁ’, ‘କୁଡୋସ୍‌ ଆୟୁର୍ବେଦ’ ଆଦି ଗ୍ରାହକଙ୍କୁ ଟାର୍ଗେଟ୍‌ କରୁଥିଲେ। ଏସବୁ କମ୍ପାନିର ୱେବ୍‌ସାଇଟ୍‌ରୁ ମୋବାଇଲ ନମ୍ବର, ଘର ଠିକଣା ଆଦି ସଂଗ୍ରହ କରୁଥିଲେ।

ପରେ ଉକ୍ତ ଠିକଣାରେ ନିଜ ପାଖରେ ଥିବା ନକଲି ଗ୍ରାହକ ଆବେଦନ ଫର୍ମ ଓ ନକଲି ସ୍କ୍ରାଚ୍‌ କୁପନ ପଠାଉଥିଲେ। ସଂପୃକ୍ତ କମ୍ପାନିର ଜଣେ ବରିଷ୍ଠ ଅଧିକାରୀ ପରିଚୟ ଦେଇ ଗ୍ରାହକଙ୍କୁ ଯୋଗାଯୋଗ କରୁଥିଲେ। ଯେହେତୁ ପୂର୍ବରୁ ସଂପୃକ୍ତ ଗ୍ରାହକମାନେ ଅନଲାଇନ୍‌ରେ ସାମଗ୍ରୀ କିଣିଥିଲେ, ଏଣୁ କୌଣସି ପ୍ରକାର ସନ୍ଦେହ ଜାତ ହେଉନଥିଲା। ପରେ ସ୍କ୍ରାଚ୍‌ କୁପନ୍‌କୁ ଖୋଲିବାକୁ କହୁଥିଲେ। ପୂର୍ବରୁ ଯୋଜନାବଦ୍ଧଭାବେ ସ୍କ୍ରାଚ୍‌ କୁପନ୍‌ରେ ୧୦ ଲକ୍ଷ, ୨୫ ଲକ୍ଷ, ୨୦ ଲକ୍ଷର ପୁରସ୍କାର ରାଶି ପର୍ଯ୍ୟନ୍ତ ଉଲ୍ଲେଖ କରାଯାଇଥିବାରୁ ସ୍କ୍ରାଚ୍‌ କୁପନ୍‌କୁ ଗ୍ରାହକ ଖୋଲିବାମାତ୍ରେ ବଡ଼ ପରିମାଣର ଧନରାଶି ଜିତିଥିବା ଗ୍ରାହକମାନେ ଜାଣିବାକୁ ପାଉଥିଲେ। ଏହାପରଠାରୁ ଆରମ୍ଭ ହେଉଥିଲା ଟଙ୍କା ଠକିବା ପ୍ରକ୍ରିୟା। ପୁରସ୍କାର ରାଶି ପାଇବାକୁ ହେଲେ ୨ ପ୍ରତିଶତ ଜିଏସ୍‌ଟି ବାବଦକୁ ଅର୍ଥ ଆଗୁଆ ପୈଠ କରିବାକୁ ନିର୍ଦ୍ଦେଶ ଦେଉଥିଲେ। ଫଳରେ ୪୦/୫୦ ଲକ୍ଷ ଟଙ୍କା ପାଇବା ଲୋଭରେ ଲୋକେ ୧/୨ ଲକ୍ଷ ଟଙ୍କା ଅନଲାଇନ୍‌ରେ ଟ୍ରାନ୍ସଫର୍‌ କରି ଠକାମିର ଶିକାର ହେଉଥିଲେ। ଉଲ୍ଳେଖଯୋଗ୍ୟ, ଗତ ୧୨ ତାରିଖରେ ରାଉରକେଲା ସାଇବର ପୁଲିସ ଅନ୍‌ଲାଇନ୍‌ ଠକ୍‌ ଗ୍ୟାଙ୍ଗ ୮ ଅଭିଯୁକ୍ତକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର