ରାଉରକେଲା: ସ୍ମାର୍ଟସିଟିରେ ଅପରାଧିକ କାର୍ଯ୍ୟକଳାପ ସୀମା ପାର୍‌ ହେଲାଣି। ନିୟମିତ ବ୍ୟବଧାନରେ ବନ୍ଧୁକ ମୁନରେ ଲୁଟ୍‌, ଛିନ୍‌ତାଇ, ଚୋରି ଦେଖିବାକୁ ମିଳୁଛି। ଦିନ ଦ୍ବିପ୍ରହରରେ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ୍‌ ହେଉଥିବାବେଳେ କେତେବେଳେ ପରିବା କିଣିବାକୁ ଯାଇଥିବା ମହିଳାଙ୍କ ସୁନା ଚେନ୍‌ ଝାମ୍ପି ନେଉଛନ୍ତି; ପୁଣି କେତେବେଳେ ଶିଢ଼ି ଲଗାଇ ଆଜବେଷ୍ଟସ୍‌ ଭାଙ୍ଗି ଚୋରି କରୁଛନ୍ତି ତ ନିର୍ମାଣାଧୀନ ପ୍ରକଳ୍ପର ବିଭିନ୍ନ ସାମଗ୍ରୀ ଚୋରି ହେଉଛି। ତେବେ, ସଂପ୍ରତି ବାହ୍ୟ ରାଜ୍ୟ, ଯଥା-ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାରର ଲୁଟେରା, ଚୋର ତାଣ୍ଡବ ଜାରି ରଖିଛନ୍ତି। ଟ୍ରେନ୍‌ରେ ଆସି ଟଙ୍କା ଲୁଟିବା ସହ ପୁନର୍ବାର ଟ୍ରେନ୍‌ରେ ଚମ୍ପଟ୍‌ ମାରୁଛନ୍ତି। ଆନ୍ତଃରାଜ୍ୟ ଚୋରଙ୍କ ଏଭଳି ତରିକାନେଇ ରାଉରକେଲା ପୁଲିସ ଅବଗତ ରହିଛି; ତେବେ ସେଠାକାର ପୁଲିସର ଅସହଯୋଗ ଯୋଗୁଁ ଏମାନଙ୍କୁ କାବୁ କରିବାରେ ସଫଳତା ମିଳିପାରୁନାହିଁ।

Advertisment

publive-image Times of India

ଏହି ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ର କାର୍ଯ୍ୟକଳାପ ଭିନ୍ନ ପ୍ରକାର। ବିହାରର ଏହି ଲୁଟେରା ଦଳରେ ପ୍ରାୟ ୬ ଜଣ ସଦସ୍ୟ ଅଛନ୍ତି। ଏହି ଲୁଟେରାମାନେ ବିହାରରୁ ପୂର୍ବଦିନ ସନ୍ଧ୍ୟାରୁ ସାଉଥ୍‌ବିହାର ଏକ୍ସପ୍ରେସ୍‌ ଟ୍ରେନ୍‌ରେ ବାହାରି ରାଉରକେଲାରେ ଦିନ ପ୍ରାୟ ୧୧ଟାରେ ପହଞ୍ଚୁଛନ୍ତି। ପ୍ରକାଶଥାଉକି, ଏହି ଗ୍ୟାଙ୍ଗ୍‌ ପୂର୍ବରୁ କିଛି ଚୋରା ବାଇକ୍‌କୁ କିଣି ରଖିଛନ୍ତି। ଉକ୍ତ ଚୋରା ବାଇକ୍‌କୁ ସହରର ବିଭିନ୍ନ ପାର୍କିଂସ୍ଥଳୀରେ ରଖିଛନ୍ତି। ଏହାପରେ ଉକ୍ତ ଚୋରା ତଥା ନମ୍ବରବିହୀନ ପଲସର୍‌, ସ୍କୁଟିରେ ଲୁଟ୍‌, ଛିନ୍‌ତାଇ କରୁଛନ୍ତି। ଏମାନେ ପ୍ରାୟ ସମୟରେ ଦୁଇ ଭାଗରେ ବିଭକ୍ତ ହୋଇ ଚୋରି କରୁଛନ୍ତି। ମୁଖ୍ୟତଃ ଦୁଇ ଜଣ ଲୁଟେରା ଚୋରି କରୁଥିବାବେଳେ ପୂର୍ବନିର୍ଦ୍ଧାରିତ ସ୍ଥାନରେ ଅନ୍ୟ ଲୁଟେରା ଜଗି ରହୁଛନ୍ତି। ଏହାପରେ ବାଇକ୍‌ରେ ଥିବା ଦୁଇ ଲୁଟେରା ଟଙ୍କା ଲୁଟିବାପରେ ପୂର୍ବରୁ ଜଗି ରହିଥିବା ଅନ୍ୟ ଦୁଇ ସହଯୋଗୀଙ୍କୁ ଟଙ୍କା ଦେଇ ତଥା ବାଇକ୍‌କୁ ପାର୍କିଂସ୍ଥଳୀରେ ରଖି ସିଧାସଳଖ ରାଉରକେଲା ଷ୍ଟେସନକୁ ଯାଉଛନ୍ତି। ଫଳରେ ପୁଲିସର ତଦନ୍ତ ବିଶେଷମାତ୍ରାରେ ଆଗେଇ ପାରୁନି। ଗତ ୧୪ ଓ ୧୫ ତାରିଖରେ ସଂଘଟିତ ଦୁଇ ଲୁଟ୍‌ ଘଟଣାରେ ଏହି ଗ୍ୟାଙ୍ଗ୍‌ ସାମିଲ ଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ।

publive-image Odisha Bytes

ପ୍ରକାଶଥାଉକି, ଗତ ୧୪ ତାରିଖରେ ପୂର୍ବାହ୍ନରେ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ସମ୍ମୁଖ ରିଂ ରୋଡରେ ଜଣେ ବ୍ୟବସାୟୀଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୧୪ ଲକ୍ଷ ୯୩ ହଜାର ୪ ଶହ ଟଙ୍କା ଲୁଟି ନେଇଥିଲେ ଦୁଇଜଣ ଦୁର୍ବୃତ୍ତ। ଏହି ଘଟଣାର ଦିନକ ପରେ, ଅର୍ଥାତ୍‌ ନଭେମ୍ବର ୧୫ ତାରିଖରେ ରାଉରକେଲା ଇସ୍ପାତ କାରଖାନାର ସାତତାଲା ବିଲ୍‌ଡିଂ ସମ୍ମୁଖ ରିଂରୋଡ୍‌ରେ ଇସ୍ପାତ ବ୍ୟବସାୟୀଙ୍କ ଅଧିନସ୍ଥ କର୍ମଚାରୀଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏତଦ୍‌ବ୍ୟତୀତ ଗତ ୨୩ ତାରିଖରେ ବାସନ୍ତୀକଲୋନିର ଜଣେ ମହିଳା ଛିନ୍‌ତାଇର ଶିକାର ହୋଇଥିଲେ। ପରିବା କିଣି ଘରକୁ ଫେରୁଥିବାବେଳେ ବାସନ୍ତୀକଲୋନି ପାଣି ଟାଙ୍କି ପାଖରେ ଦୁଇ ଦୁର୍ବୃତ୍ତ ତାଙ୍କର ପ୍ରାୟ ୨ ଲକ୍ଷ ଟଙ୍କାର ସୁନା ଚେନ୍‌ ଲୁଟି ଫେରାର ହୋଇଯାଇଥିଲେ।

ଉପରୋକ୍ତ ତିନି ପୃଥକ୍‌ ପୃଥକ୍‌ ଘଟଣାରେ ଦୁଇ ଜଣ ଲେଖାଏଁ ହିଁ ଘଟଣା ଘଟାଇଥିଲେ। ରାଉରକେଲା ପୁଲିସ୍‌ ଉଭୟ ଲୁଟ୍‌ ମାମଲାର ପୁଙ୍ଖାନୁପୁଙ୍ଖ ଛାନ୍‌ଭିନ୍‌ପରେ ଏହି ଗ୍ୟାଙ୍ଗ୍‌ ବିଷୟରେ ଜାଣିବାକୁ ପାଇଥିଲା। ଅଭିଯୁକ୍ତଙ୍କୁ ଗିରଫ କରିବାକୁ ରାଉରକେଲା ପୁଲିସର ସ୍ବତନ୍ତ୍ର ଦଳ ବିହାର ଗସ୍ତରେ ଯାଇଥିବାବେଳେ ସେଠାକାର ପୁଲିସ କିନ୍ତୁ ଅସହଯୋଗ କରିଥିଲା। ଫଳରେ ଘଟଣା ଘଟାଇ ଫେରାର୍‌ ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇନଥିଲା। ନିର୍ଦ୍ଦିଷ୍ଟ ଗୋଟିଏ ପୁଲିସ୍‌ ଥାନା ଅଞ୍ଚଳର ନୁହେଁ; ବରଂ ସ୍ମାର୍ଟସିଟି ରାଉରକେଲା ଅନ୍ତର୍ଗତ ପ୍ରାୟ ସବୁ ଥାନାରେ ସମାନ ସ୍ଥିତି।