ରାଉରକେଲା: ସହରରେ ମାତିଛନ୍ତି ଆନ୍ତଃରାଜ୍ୟ ସ୍କ୍ରାପ୍ ମାଫିଆ। ପଡୋଶୀ ଝାଡ଼ଖଣ୍ଡର କିଛି ସ୍କ୍ରାପ୍ ମାଫିଆ ରାଉରକେଲାର ଚୋରା ବେପାରୀଙ୍କ ସହ ମିଶି ଏଭଳି କାରବାର କରୁଥିବା ଅଭିଯୋଗ ହେଉଛି। ପୂର୍ବରୁ ରାଉରକେଲା ସ୍କ୍ରାପ୍ ବେପାରୀମାନେ କଲୁଙ୍ଗା ଶିଳ୍ପାଞ୍ଚଳର କିଛି କାରଖାନା ମାଲିକଙ୍କ ସହ ଭିତରି ସଲାସୁତୁରା କରି ଇଣ୍ଡକ୍ସନ କାରଖାନାକୁ ପଠାଉଥିଲେ। ଯେଉଁଠି ରାତାରାତି ଚୋରା ସ୍କ୍ରାପଗୁଡ଼ିକୂ ତରଳାଯାଇ ତିଆରି କରାଯାଉଥିଲା ଲୁହା ପ୍ଲେଟ। ଚୋରାକାରବାର ଲିପ୍ତ କିଛି ଇଣ୍ଡକ୍ସନ ମାଲିକମାନେ ସ୍ଥାନୀୟ ପୁଲିସର ଟାର୍ଗେଟରେ ରହୁଥିବାରୁ ସ୍କ୍ରାପ୍ ମାଫିଆମାନେ ସ୍ଥାନ ପରିବର୍ତ୍ତନ କରିଛନ୍ତି। ଝାଡ଼ଖଣ୍ଡକୁ ସୁରକ୍ଷିତ ସ୍ଥାନ ଭାବେ ବାଛିଛନ୍ତି। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସହରରେ କିଛି ସ୍କ୍ରାପ୍ ମାଫିଆଙ୍କ ସହ ମିଶି ଏଭଳି ଚୋରା କାରବାର ଚଳାଇ ଆସୁଛନ୍ତି। ସହରରେ ପାଖାପାଖି ୧୨ରୁ ଅଧିକ ସ୍ଥାନରେ ଏଭଳି ବେଆଇନ ସ୍କ୍ରାପ୍ ଗୋଦାମ ରହିଛି।
ମାଲଗୋଦାମ, ଗାନ୍ଧିରୋଡ, ଫଟାପାଇପ୍, ବନ୍ଧମୁଣ୍ଡା, ସେକ୍ଟର-୨୧ ପାର୍ଶ୍ବ ବସ୍ତିରେ ବଡ ବଡ ସ୍କ୍ରାପ ଗୋଦାମ ରହିଛି। ପୁଲିସକୁ ଚକ୍ମା ଦେଇ ବିଳମ୍ବିତ ରାତିରେ ଏସବୁ ଗୋଦାମରୁ ସ୍କ୍ରାପ ବୋଝେଇ ହୋଇ ଝାଡ଼ଖଣ୍ଡର ଇଣ୍ଡକ୍ସନ କାରଖାନାକୁ ଚାଲାଣ ହେଉଥିବା ଜଣାପଡିଛି। ଚୋରା ବୋଝେଇ ସ୍କ୍ରାପ୍ ବନ୍ଧମୁଣ୍ଡା ଓ ବିଶ୍ରା ରାସ୍ତା ଦେଇ ଝାଡ଼ଖଣ୍ଡର ମନୋହରପୁରରେ ପହଞ୍ଚୁଛି। ସେଠାରୁ ସୁରକ୍ଷିତ ଭାବେ ସିଧାସଳଖ ଇଣ୍ଡକ୍ସନ କାରଖାନାକୁ ଚାଲାଣ ହେଉଛି। ସେମିତି ସହରର ବାଲୁଘାଟ, ସେକ୍ଟର-୩ସ୍ଥ କଣ୍ଟାଝର ବସ୍ତି, ଛେଣ୍ଡ ବସ୍ତି, ପାୱାର ହାଉସ୍ରୋଡ, ସେକ୍ଟର-୬ର ବସ୍ତି, ବନ୍ଧମୁଣ୍ଡାର ଫଟାପାଇପ୍, କୋଇଲାଗେଟ୍ ଆଦି ସ୍ଥାନରେ ଏକାଧିକ ସ୍କ୍ରାପ୍ ଗୋଦାମ ରହିଛି। ପ୍ରତ୍ୟେକ ଦିନ ଚୋରମାନେ ବିଭିନ୍ନ ସ୍ଥାନରୁ ସ୍କ୍ରାପଗୁଡ଼ିକୁ ଚୋରି କରି ଏସବୁ ଗୋଦାମର ମାଲିକଙ୍କୁ ବିକ୍ରି କରୁଛନ୍ତି। ଏଠାରୁ ରାତାରାତି ସିଧାସଳଖ ବିର୍ସା ମୁଣ୍ଡା ଛକ, ବନ୍ଧମୁଣ୍ଡା ରୋଡ, ବିଶ୍ରା, ଜରେଇକେଲା ଦେଇ ଝାଡ଼ଖଣ୍ଡକୁ ଯାଉଛି। ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି)ରୁ ବାହାରୁଥିବା ବିଗ୍ ଆଇରନ୍ ଚୋରି କରି କୋଇଲାଗେଟ୍ସ୍ଥ ସ୍କ୍ରାପ ଗୋଦାମରେ ବିକ୍ରି କରୁଛନ୍ତି। ଝାଡ଼ଖଣ୍ଡରେ ଚୋରା ସ୍କ୍ରାପ କାରବାର ଏତେଟା ଧରପଗଡ଼ ହେଉ ନଥିବାରୁ ରାଉରକେଲା ଓ ଝାଡ଼ଖଣ୍ଡର ସ୍କ୍ରାପ୍ ମାଫିଆମାନେ ଏହାର ଭରପୁର ଫାଇଦା ଉଠାଉଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ପ୍ରାୟ ୨ ବର୍ଷ ତଳେ ଇସ୍ପାତ ସହରାଞ୍ଚଳରେ ବେଆଇନ ଭାବେ ଚାଲିଥିବା ସ୍କ୍ରାପ ଗୋଦାମ ଉପରେ ତତ୍କାଳୀନ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଚଢ଼ଉ କରାଯାଇଥିଲା। ବିପୁଳ ପରିମାଣରେ ସ୍କ୍ରାପ ସହ ଘଟଣାସ୍ଥଳରୁ ବନ୍ଧୁକ ମଧ୍ୟ ଜବତ ହୋଇଥିଲା। ଅପରାଧିକ କାର୍ଯ୍ୟକଳାପ ରୋକିବାକୁ ସହରରେ ଚାଲିଥିବା ଏସବୁ ବେଆଇନ ସ୍କ୍ରାପ ଗୋଦାମ ଉପରେ ଚଢ଼ଉ କରାଯିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।