ଅବକାରୀ କନ୍‌ଷ୍ଟେବଳ ଓ ବନରକ୍ଷୀ ଶାରୀରିକ ଦକ୍ଷତା ପରୀକ୍ଷା ଆରମ୍ଭ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାରେ ଅବକାରୀ କନଷ୍ଟେବଳ ଓ ବନ ରକ୍ଷକ ନିମନ୍ତେ ଦ୍ୱିତୀୟ ପର୍ଯ୍ୟାୟ ଶାରୀରିକ ଦକ୍ଷତା ପରୀକ୍ଷା ଆରମ୍ଭ ହୋଇଛି ।
ଅର୍ଜୁନପୁରସ୍ଥିତ ଷଷ୍ଟ ଆଇଆରବି ଓ ୪୧ ଆଇଟିବିପି ବାଟାଲିଅନ ପଡ଼ିଆରେ ଅନୁଷ୍ଠିତ ହେଉଥିବା ଏହି ପରୀକ୍ଷା ଆସନ୍ତା ୧୭ ତାରିଖ ଯାଏଁ ଚାଲିବ । ଏହି ପରୀକ୍ଷାରେ ଯୋଗ ଦେଇଥିବା ପ୍ରାର୍ଥୀମାନେ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଦ୍ୱାରା ଅନୁଷ୍ଠିତ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ଏଥିରେ ମୋଟ ୭୩୪ ପ୍ରାର୍ଥୀ ଭାଗ ନେଉଥିବା ବେଳେ ସେମାନଙ୍କ ଉଚ୍ଚତା, ଓଜନ, ଦୌଡ଼, ସାଇକଲ ଚାଳନା, ଚାଲିବା, ଲମ୍ବଡିଆଁ, ଉଚ୍ଚଡିଆଁ, ଦୌଡ଼ ଆଦି ପରୀକ୍ଷା କରାଯିବ ।

ଆଜିର ପରୀକ୍ଷା ସ୍ଥଳକୁ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଆଇଆରବିଏନ୍ କମାଣ୍ଡାଣ୍ଟ ନାରାୟଣ ଦୋରା ପରିଦର୍ଶନ କରିଥିଲେ । ଖୋର୍ଦ୍ଧା ଓ ଭୁବନେଶ୍ୱର ଅବକାରୀ ଅଧୀକ୍ଷକ ଝସକେତନ ବରିହା, ପ୍ରଦୀପ କୁମାର ପଟ୍ଟନାୟକ, ଏସିଏଫ୍ ଗୋବିନ୍ଦଚନ୍ଦ୍ର ବିଶ୍ୱାଳ, ଖେଳ ଶିକ୍ଷକ ଓ ଶିକ୍ଷୟିତ୍ରୀ ଚୟନ ପ୍ରକ୍ରିୟାରେ ପରୀକ୍ଷକ ଭାବେ ଯୋଗ ଦେଇଛନ୍ତି । ଏହା ସହ ପ୍ରାର୍ଥୀଙ୍କ ପାଇଁ ଖାଇବାପିଇବା ବ୍ୟବସ୍ଥା ସହ ସ୍ୱାସ୍ଥ୍ୟସେବା ପାଇଁ ଆମ୍ବୁଲାନ୍ସ, ଡାକ୍ତରୀଦଳ, ଅଗ୍ନିଶମ ବିଭାଗର କର୍ମଚାରୀ ମୁତୟନ ଅଛନ୍ତି ।

ସମ୍ବନ୍ଧିତ ଖବର