ସିଡିଏସ୍‌ ଟପ୍ପର ଅଦିତିଙ୍କ ସହ ସାକ୍ଷାତକାର : ଦେଶ ଓ ମାଟିର ସେବା ପାଇଁ ମହିଳାମାନେ ଆଗେଇ ଆସନ୍ତୁ

ମାତ୍ର କୋଡ଼ିଏ ବର୍ଷ ବୟସରେ ପାଇଛନ୍ତି ବଡ଼ ସଫଳତା। ସର୍ବଭାରତୀୟ ସିଡିଏସ୍‌ ପରୀକ୍ଷାରେ ହେଲେ ଟପର ହୋଇ ସୃଷ୍ଟି କରିଛନ୍ତି ନୂଆ କୀର୍ତ୍ତିମାନ। ୧୧ମାସର ଟ୍ରେନିଂ ପରେ ସେ ହେବେ ଭାରତୀୟ ସେନା ବାହିନୀର ଅଫିସର। ବାପା ଓ ଜେଜେ ବାପାଙ୍କ ଭଳି ଦେଶମାତୃକାର ସେବାରେ ଯୋଡ଼ି ହୋଇଯିବେ। ସେନାରେ ଯୋଗ ଦେବା ପାଇଁ କେଉଁଠୁ ପାଇଲେ ପ୍ରେରଣା? ବାପାଙ୍କ ଭଳି ଭାରତୀୟ ସେନାରେ ଝିଅର ଯୋଗଦାନର ଅନୁଭୂତି କେମିତି? ସେ ସମ୍ପର୍କରେ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍‌ ନାଧରା ଗାଁର ଜୟକୃଷ୍ଣ ପରିଡ଼ାଙ୍କ ନାତୁଣୀ ଅଦିତି ପରିଡ଼ାଙ୍କ ସହିତ ‘ସମ୍ବାଦ’ ପ୍ରତିନିଧି ରବିନାରାୟଣ ବେହେରାଙ୍କ ଆଲୋଚନାର କିୟଦଂଶ….

ସମ୍ବାଦ: ଆଇଏଏସ୍‌, ଆଇପିଏସ୍‌ ସ୍ବପ୍ନ ନ ଦେଖି ସେନା ବାହିନୀକୁ ବାଛିଲେ କାହିଁକି?
ଅଦିତି: କାହିଁକି ନା, ପିଲାଟି ବେଳୁ ମୁଁ ଆର୍ମି ପରିବେଶରେ ବଢ଼ିଛି। ଆର୍ମି ସ୍କୁଲରେ ମୋର ପାଠପଢ଼ା। ଆର୍ମି ଜୀବନଶୈଳୀ ମୋତେ ଭାରି ପସନ୍ଦ। ସେଇଥିପାଇଁ ପିଲାଟି ବେଳୁ ଆର୍ମି ଅଫିସର ହେବାକୁ ସ୍ବପ୍ନ ଦେଖିଥିଲି। ଆର୍ମି ହିଁ ଏକମାତ୍ର ଜୀବନର ପଥ ବୋଲି ଭାବି ନେଇଥିଲି। ତେଣୁ ଆଇଏଏସ୍‌, ଆଇପିଏସ୍‌ ଅପେକ୍ଷା ସେନାରେ ଯୋଗଦେଇ ମାତୃଭୂମିର ସେବା ପାଇଁ ମନ ବଳିଥିଲା। ସେନାର ଫ୍ରଣ୍ଟ୍ ଲାଇନରେ ରହି କାମ କରିବାର ସୁଯୋଗ ମିଳିଲେ ଆହୁରି ଖୁସି ହେବି।

ସମ୍ବାଦ: ପରୀକ୍ଷା ପ୍ରସ୍ତୁତି କେମିତି ଥିଲା? ଅନୁଭବ କେମିତି?
ଅଦିତି: ଯେହେତୁ ପିଲାଟି ବେଳୁ ଲକ୍ଷ୍ୟ ସ୍ଥିର ହୋଇଥିଲା, ତେଣୁ ସ୍ବପ୍ନ ସେବେଠାରୁ ମନରେ ଥିଲା। ନିଜର ଗୁଣ, ଦକ୍ଷତାକୁ ମୁଁ ନିଜେ ପ୍ରଥମେ ଚିହ୍ନିଥିଲି। ତାକୁ ବିକଶିତ କରିଥିଲି। ପାଠପଢ଼ା ସମତାଳରେ ଚାଲିଥିଲା। ପରୀକ୍ଷା ଥିଲା ଭିନ୍ନ। ପାଞ୍ଚ ଦିନର ପରୀକ୍ଷାକୁ ସାମ୍ନା କରିବାକୁ ଥିଲା। ସ୍ବପ୍ନ ସାକାର ହେଲେ ଯେମିତି ଅନୁଭବ ହୁଏ ସେଭଳି ଆନନ୍ଦ ଲାଗୁଛି।

ସମ୍ବାଦ: ଆପଣ ସାମ୍ବାଦିକତା କାହିଁକି ପଢ଼ିଲେ?
ଅଦିତି: ଦେଖନ୍ତୁ, ମୋର ପାଠପଢ଼ା ସହିତ ବିତର୍କରେ ମଧ୍ୟ ଆଗ୍ରହ ଅଛି। ସିଡିଏସ୍‌ ପରୀକ୍ଷା ଦେବାକୁ ହେଲେ ସ୍ନାତକ ହେବା ନିହାତି ଜରୁରୀ। ତେଣୁ ମୋ ପରୀକ୍ଷା ଏବଂ ଆଗ୍ରହ ପାଇଁ ମୁଁ ସାମ୍ବାଦିକତା କରିଥିଲି। ସେଥିରେ ମଧ୍ୟ ମୁଁ ଟପର ହୋଇଥିଲି। ସ୍ନାତକ ସରିବା କ୍ଷଣି ସିଡିଏସ୍ ପରୀକ୍ଷା ଦେଇଥିଲି। ଯେଉଁଥିରେ ସଫଳତା ମିଳିଛି।

ସମ୍ବାଦ: ଆପଣଙ୍କର ରୁଚି କଣ?
ଅଦିତି: ମୋତେ ପାଠପଢ଼ା ବ୍ୟତୀତ ଖେଳିବାକୁ ଭାରି ଭଲ ଲାଗେ। ମୁଁ ଜଣେ ଭଲିବଲ୍‌ ଖେଳାଳି। ତାହାଛଡ଼ା ଓଡ଼ିଶୀ ଏବଂ ଭାରତନାଟ୍ୟମ୍‌ ନୃତ୍ୟ ବି କରେ। ଓଡ଼ିଶାରେ ଥିବା ବେଳେ ଗୁରୁ କେଳୁଚରଣ ମହାପାତ୍ରଙ୍କ ଏକାଡେମୀରେ ଦୁଇ ବର୍ଷ ଓଡ଼ିଶୀ ଶିକ୍ଷା କରିଛି। ତା ସହିତ ବିତର୍କରେ ମଧ୍ୟ ମୁଁ ରୁଚି ରଖେ।

ସମ୍ବାଦ: ସେନାରେ ଯୋଗ ଦେବାକୁ ଚାହୁଁଥିବା ଝିଅମାନଙ୍କୁ କଣ କହିବେ?
ଅଦିତି: ସବୁରି ମୂଳରେ ଆଗ୍ରହ। ସେନାରେ ଯୋଗଦେବା ପୂର୍ବରୁ ମହିଳାମାନେ ପ୍ରଥମେ ନିଜର ଆଗ୍ରହ କଣ ତାକୁ ଚିହ୍ନନ୍ତୁ। ନିଜର ଦକ୍ଷତାକୁ ବିକଶିତ କରନ୍ତୁ। ମହିଳାଙ୍କ ପାଇଁ ସେନାରେ ଭଲ ସୁଯୋଗ ରହିଛି। ଦେଶ ଓ ମାଟିର ସେବା ପାଇଁ ମହିଳାମାନେ ଆଗେଇ ଆସନ୍ତୁ।

ସମ୍ବାଦ: ବାପାଙ୍କ ଜନ୍ମମାଟି ଢେଙ୍କାନାଳ ପାଇଁ କଣ କରିବେ?
ଅଦିତି: ଢେଙ୍କାନାଳ ସହିତ ଯୋଡ଼ି ହେବାର ସୁଯୋଗ ଅଳ୍ପ ପାଇଛି। କେବେ କିଛି ସୁଯୋଗ ମିଳିଲେ ନିଶ୍ଚିତ କାମ କରିବା ପାଇଁ ଆଗେଇ ଆସିବି।

ସମ୍ବନ୍ଧିତ ଖବର