‘ଇଂଲଣ୍ଡ-ଭାରତ ମଧ୍ୟରେ ଫାଇନାଲ୍‌ ମ୍ୟାଚ୍‌ ହେବ’

ବ୍ରିଟିସ୍‌ ଡେପୁଟି ହାଇକମିସନରଙ୍କ ସହ ‘ସମ୍ବାଦ’ର ସ୍ବତନ୍ତ୍ର ସାକ୍ଷାତକାର

ଇଂଲଣ୍ଡରେ ଚାଲିଥିବା କ୍ରିକେଟ୍‌ ବିଶ୍ବକପ୍‌ ୨୦୧୯ର ପ୍ରଚାର ସମ୍ପର୍କରେ ୟୁକେର ଡେପୁଟି ହାଇ କମିସନର ବ୍ରୁସ୍‌ ବକ୍‌ନେଲ୍‌ ଓଡ଼ିଶା ଆସିଥିବା ଅବସରରେ ତାଙ୍କ ସହ ସାକ୍ଷାତକାର। ବିଶ୍ବକପ୍‌ ସମ୍ପର୍କରେ ମତ ରଖିବା ସହ ଓଡ଼ିଶା ସରକାର ଓ ବ୍ରିଟିସ୍‌ କାଉନ୍‌ସିଲ୍‌ର ସହଭାଗିତାରେ ଶିକ୍ଷା ବ୍ୟବସ୍ଥାକୁ ନେଇ ସମ୍ବାଦ ପରିବାର ତରଫରୁ ଫ୍ଲୋରା ସ୍ବାଇଁଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି ଶ୍ରୀ ବକ୍‌ନେଲ୍‌।

ପ୍ର: ସଂପ୍ରତି ଇଂଲଣ୍ଡରେ ବିଶ୍ବକପ୍‌ ଚାଲୁଥିବା ‌ଅବସରରେ ଭାରତ ଓ ଇଂଲଣ୍ଡ ମଧ୍ୟରେ କ୍ରିକେଟ୍‌ ଜରିଆରେ ଏକ ‘ଜୀବନ୍ତ ସେତୁ’ର ସ୍ଥାପନ ହୋଇଛି ବୋଲି ଅନୁଭବ କରୁଛନ୍ତି କି?
ଉ: ବ୍ରିଟେନ୍‌ରେ ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟ ବସବାସ କରୁଛନ୍ତି। ବିଭିନ୍ନ ବର୍ଗର ପ୍ରାୟ ୧୫ଲକ୍ଷ ଲୋକ ବ୍ରିଟେନ୍‌ରେ ରହୁଛନ୍ତି। ଓଡ଼ିଆମାନେ ମଧ୍ୟ ରହୁଛନ୍ତି। ମାଞ୍ଚେଷ୍ଟରରେ ଥିବା ଏକ ଓଡ଼ିଆ ସୋସାଇଟିକୁ ମଧ୍ୟ ମୁଁ ବହୁତ ଭଲ ଭାବେ ‌ଜାଣେ। ବ୍ରିଟିସ୍‌ମାନଙ୍କ ମଧ୍ୟରେ ଭାରତୀୟମା‌ନେ ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ସେମାନଙ୍କ ମଧ୍ୟରୁ କେତେକଙ୍କ ସମ୍ପର୍କୀୟ ଏଇ ଭାରତରେ ରୁହନ୍ତି ଏବଂ ଭାରତୀୟ କ୍ରିକେଟ୍‌ ଟିମ୍‌କୁ ସମର୍ଥନ ମଧ୍ୟ କରନ୍ତି। ଜୀବନ୍ତ ସଂସ୍କୃତି ଓ ବିଚାର ସହ ପ୍ରବାସୀ ଭାବେ ବସତି ସ୍ଥାପନ ହେଉଛି ପ୍ରକୃତ ଜୀବନ୍ତ ସେତୁ।

ପ୍ର: ଏଥର ଆଇସିସି ବିଶ୍ବକପ୍‌ ୨୦୧୯ ଆୟୋଜନ ସମ୍ପର୍କରେ କ’ଣ କହିବେ?
ଉ: ଚଳିତ ବର୍ଷର ଆଇସିସି ବିଶ୍ବକପ୍‌ ଆୟୋଜନ ଶ୍ରେଷ୍ଠ ଟୁର୍ଣ୍ଣାମେଣ୍ଟ୍‌ ହେଉ ବୋଲି ଆମେ ଚାହିଁବୁ। ସମ୍ଭବତଃ ଏଥର ଏହି ବିଶ୍ବକପ୍‌କୁ ଟିଭି ପରଦାରେ ସବୁଠୁ ବେଶି ଦର୍ଶକ ଦେଖିବେ ଏବଂ ଭାରତର ୧୩୦ କୋଟି ଲୋକ ଭାରତୀୟ ଦଳକୁ ଉତ୍ସାହିତ କରିବେ। ଆମେ ଏହି ବିଶ୍ବକପ୍‌ ଅବସରରେ ଚଳିତ ବର୍ଷ ୮୦ ହଜାର ଭାରତୀୟ ପର୍ଯ୍ୟଟକଙ୍କ ଆଗମନ ପାଇଁ ଆଶା ରଖିଛୁ। ଏନେଇ ଆମେ ଅନ୍‌ଲାଇନ୍‌ରେ ପ୍ରଚାର ପ୍ରସାର ସହ ଭାରତରେ କ୍ରିକେଟ୍‌ର ଉତ୍ସବ ଆୟୋଜନ କରିଛୁ।

ପ୍ର: ଇଂଲଣ୍ଡ ଟିମ୍‌ଠାରୁ ଆପଣ କ’ଣ ଆଶା ରଖିଛନ୍ତି?
ଉ: ସଂପ୍ରତି ଇଂଲଣ୍ଡ ଟିମ୍‌ ଭଲ ଫର୍ମରେ ଅଛି। ହୁଏତ ଇଂଲଣ୍ଡ ଟିକେ ଚାପରେ ଥାଇପାରେ କିନ୍ତୁ ଘରୋଇ ପରିବେଶ ଓ ନିଜସ୍ବ ପଡ଼ିଆରେ ଖେଳୁଥିବାରୁ ଏହା ଦଳକୁ ଫାଇଦାରେ ରଖିବ। ୨୦୧୫ ବିଶ୍ବକପ୍‌ରେ ଆମେ ଖରାପ ପ୍ରଦର୍ଶନ କରିଥିଲେ ହେଁ ୪ ବର୍ଷ ‌ହେଲା ଭଲ ପ୍ରଦର୍ଶନ କରିଆସୁଛୁ। ଇଂଲଣ୍ଡ ଦଳ ଆଇସିସି ଦିନିକିଆରେ ୧ ନମ୍ବରରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରିଛି। ଆମର ମହିଳା ଦଳ ୪ ଥର କ୍ରିକେଟ୍‌ ବିଶ୍ବକପ୍‌ ଜିତିସାରିଛି କିନ୍ତୁ ପୁରୁଷ ଦଳ ସେମିଫାଇନାଲ୍‌ ପର୍ଯ୍ୟନ୍ତ ଯାଇଥିଲେ ମଧ୍ୟ ଗୋଟିଏ ବି ବିଶ୍ବକପ୍‌ ଜିତିପାରିନାହିଁ।

ପ୍ର: ଭାରତୀୟ ଦଳଠୁ ଚଳିତ ବିଶ୍ବକପ୍‌ରେ ପ୍ରତିଯୋଗୀ ହିସାବରେ କ’ଣ ଆଶା ରଖିବେ?
ଉ: ଆମେ ଭିନ୍ନ ଧରଣର ରନ୍‌ ଓ ସ୍ଥିତି ଦେଖି ଆସୁଛେ। ତେଣୁ ବିଶ୍ବକପ୍‌ ଟୁର୍ଣ୍ଣାମେଣ୍ଟ୍‌ ଭିନ୍ନ ବୋଲି କହିବି। ଭାରତ ମଧ୍ୟ ଏକ ଦକ୍ଷ, ଅସାମାନ୍ୟ ଓ ଭଲ ଦଳ। ଭାରତ ପାଖରେ ଦିନିକିଆ ଅନ୍ତର୍ଜାତୀୟ ଶ୍ରେଷ୍ଠ ବୋଲର ଯଶପ୍ରିତ ବୁମ୍‌ରା ଏବଂ ଦକ୍ଷ ସ୍ପିନର ରୂପରେ ୟୁଜବେନ୍ଦ୍ର ଚହଲ ରହିଛନ୍ତି। ଏହି ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଇଂଲଣ୍ଡ ଶ୍ରେଷ୍ଠ ଦଳ ଥିବା ବେଳେ ଏହା ପଛକୁ ଭାରତ ରହିଥିଲା। ତେଣୁ ଜୁଲାଇ ୧୪ରେ ଭାରତ-ଇଂଲଣ୍ଡ ମଧ୍ୟରେ ଫାଇନାଲ୍‌ ହେଲେ ଏହା ଏକ ଖୁସିର କଥା ହେବ।

ପ୍ର: ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ଭାରତ-ୟୁକେ ମଧ୍ୟରେ ସହଭାଗିତା ସମ୍ପର୍କରେ କ’ଣ ମତ ରଖିବେ?
ଉ: ଏଠାରୁ ବହୁ ଅସାଧାରଣ ଓ ଦକ୍ଷ ପିଲା ବାହାରୁଛନ୍ତି ଏବଂ ସେମାନେ ବିଦେଶର ବିଭିନ୍ନ କୋଣକୁ ଯାଉଛନ୍ତି। ଇଂରାଜୀ ଭାଷା ଶିଖିବା ଏ କ୍ଷେତ୍ରରେ ଅନେକାଂଶରେ ଉପଯୋଗୀ ହେଉଛି। ଏହାକୁ ପାଥେୟ କରି ଓଡ଼ିଶାରେ ବିଦ୍ୟାଳୟମାନଙ୍କରେ ଇଂରାଜୀ ଭାଷା ଶିକ୍ଷାକୁ ନେଇ ଗତବର୍ଷ ବ୍ରିଟିସ୍‌ କାଉନ୍‌ସିଲ୍‌ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇସାରିଛି।

ପ୍ର: ଭାରତରୁ ୟୁକେକୁ ‘ଷ୍ଟୁଡେଣ୍ଟ୍‌ ଭିସା’ ଏବଂ ଛାତ୍ରଙ୍କ ପାଇଁ ବୃତ୍ତି ବ୍ୟବସ୍ଥା ସମ୍ପର୍କରେ କ’ଣ ସୁଯୋଗ ରହିଛି?
ଉ: ବ୍ରିଟିସ୍‌ କାଉନ୍‌ସିଲ୍‌ ପକ୍ଷରୁ ଭାରତରେ ଅନେକ କାର୍ଯ୍ୟକ୍ରମ କରାଯାଉଛି। ଏସବୁ ବ୍ରିଟିସ୍‌ କାଉନ୍‌ସିଲ୍‌ର ୱେବ୍‌ସାଇଟ୍‌ରେ ରହିଛି। ଭବିଷ୍ୟତ ନେତୃତ୍ବ ଶୀର୍ଷକ କାର୍ଯ୍ୟକ୍ରମ ପାଇଁ ପ୍ରାୟ ୪୫ ଜଣ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନର ବ୍ୟବସ୍ଥା ରହିଛି। ଚଳିତ ବର୍ଷ ଜଣେ ଓଡ଼ିଆ ମହିଳା ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ଡାକ୍ତରୀ ପାଠ୍ୟକ୍ରମରେ ସାମିଲ୍‌ ହୋଇଛନ୍ତି। ଏଥିସହ ଭାରତରେ ଦୁଇବର୍ଷର ଅଭିଜ୍ଞତା ଥିବା ଜଣେ ବ୍ୟକ୍ତିଙ୍କୁ ‌ବ୍ରିଟେନ୍‌ରେ ଜଣେ ଶିକ୍ଷକ ହେବାର ସୌଭାଗ୍ୟ ମିଳିପାରିବ। ଏହି ଯୋଜନା କିଛିଦିନ ମଧ୍ୟରେ ଆସିବାକୁ ଯାଉଛି। ଷ୍ଟୁଡେଣ୍ଟ୍‌ ଭିସା କ୍ଷେତ୍ରରେ ଆମେ ସେମାନଙ୍କ ରହିବା ସମୟ ବ୍ୟବଧାନକୁ ବୃଦ୍ଧି କରିପାରୁଛୁ। ଫଳରେ ଜଣେ ପାଠ ଶେଷ କରିବା ପରେ ସେଠାରେ ନିଜର କର୍ମ ସଂସ୍ଥାନ ଯୋଗାଡ଼ କରିବା ପାଇଁ ସମୟ ପାଇପାରୁଛି। ପୂର୍ବରୁ ଏହି ବ୍ୟବଧାନ ୪ ମାସ ବଢ଼ା ଯାଉଥିଲା। ଏବେ କିନ୍ତୁ ଅ‌କ୍ସଫୋର୍ଡ, କେମ୍ବ୍ରିଜ୍‌, ଲଣ୍ଡନ ସ୍କୁଲ୍‌ ଅଫ୍‌ ଇକୋନୋମିକ୍ସ, ଇମ୍ପେରିଆଲ୍‌ କଲେଜ୍‌ ଲଣ୍ଡନ ଫର୍‌ ଇଂଜନିୟରିଂ ଭଳି ବିଶ୍ବବିଦ୍ୟାଳୟମାନଙ୍କରୁ ଗ୍ରାଜୁଏ‌ଟ୍‌ ହେବା ପରେ ସେମାନଙ୍କର ରହିବାର ସମୟସୀମା ୬ମାସକୁ ବଢ଼ାଇ ଦିଆଯାଇଛି।

ପ୍ର: ଓଡ଼ିଶାକୁ ଭ୍ରମଣ ସମ୍ପର୍କରେ କ’ଣ କହିବେ?
ଉ: ମୁଁ ଓଡ଼ିଶାକୁ ବହୁବାର ଆସିଛି। ଏଠିକାର ଓଡ଼ିଆ ଖାଦ୍ୟ ଡାଲମା ଓ ଛେନାପୋଡ଼ ଖାଇଛି। କୋଲକାତାରେ ଥିବା ମୋର ବ୍ୟକ୍ତିଗତ ରୋଷେୟା ମଧ୍ୟ ଜଣେ ଓଡ଼ିଆ। ମୁଁ ପୁରୀରେ ଏଥର ରଥଯାତ୍ରା ଦେଖିବି।

ସମ୍ବନ୍ଧିତ ଖବର