ଓଡ଼ିଶାରେ ପ୍ରକୃତ ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷରୁ ଅଧିକ: ଡା‌. ଜୟପ୍ରକାଶ ମୁଲିଲ୍

ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଶେଷକରି ଚଳିତମାସରେ ଓଡ଼ିଶାରେ ସଂକ୍ରମଣ ବୃଦ୍ଧି ସମସ୍ତଙ୍କ ନିଦ ହଜାଇ ଦେଇଛି। ଏହାସହ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଆଗକୁ କେତେଦିନ ଏଭଳି ସଂକ୍ରମଣ ଜାରି ରହିବ ଓ କେତେ ଜଣ ଏଥିରେ ପ୍ରାଣ ହରାଇବେ ସେ ସଂପର୍କରେ ରାଜ୍ୟ ଓ ଦେଶବ୍ୟାପୀ ତର୍ଜମା ଜାରି ରହିଛି। ତେବେ ଦେଶରେ କରୋନା ସଂପର୍କରେ ଏଭଳି କିଛି ଚାଞ୍ଚଲ୍ୟକର ତଥ୍ୟ ଦେଇ ‌ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଭେଲୋରସ୍ଥିତ ଖ୍ରିଷ୍ଟିଆନ୍ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଏପିଡେମିଓଲୋଜିଷ୍ଟ ଡା.ଜୟପ୍ରକାଶ ମୁଲିଲ୍। ଗତ କିଛିମାସ ଧରି ଡା.ମୁଲିଲ୍ ଜାତୀୟ ଗଣମାଧ୍ୟମରେ କରୋନା ଭୂତାଣୁ ନେଇ ପ୍ରମୁଖ ବିଶେଷଜ୍ଞ ଭାବେ ନିଜର ଆଲୋଚନା ଜାରି ରଖିଛନ୍ତି। ସାଂପ୍ରତିକ ପରିସ୍ଥିତିରେ ଓଡ଼ିଶାରେ କରୋନା ଭୂତାଣୁ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ କେତେଦୂର ଫଳପ୍ରଦ ହେଉଛି ସେ ସଂପର୍କରେ ଡା.ମୁଲିଲ୍ ନିଜର ଖୋଲା ମତ ରଖିଛନ୍ତି। ରାଜ୍ୟରେ କରୋନା ସ୍ଥିତି ସଂପର୍କରେ ଡା.ମୁଲିଲ୍‌ଙ୍କ ସହିତ ଆଲୋଚନା କରିଛନ୍ତି ‘ସମ୍ବାଦ’ ପ୍ରତିନିଧି କ୍ଷିତୀଶ ରାୟ।

ଓଡ଼ିଶାରେ ଏବେ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨୫ହଜାର ଟପି ସାରିଲାଣି। ୧୪୦ଜଣଙ୍କ ମୃତ୍ୟୁ ହୋଇଛି। ଯାହାକି ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ କମ୍। ରାଜ୍ୟରେ ସଂକ୍ରମଣ ଓ ମୃତ୍ୟୁକୁ ଆପଣ କିଭଳି ଦେଖୁଛନ୍ତି?
ଚିହ୍ନଟ ହେଉଥିବା ରୋଗୀଙ୍କ ସଂଖ୍ୟା ପ୍ରକୃତ ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ଯଥେଷ୍ଟ କମ୍। ଦେଶବ୍ୟାପୀ ଏଭଳି ଧାରା ଦେଖିବାକୁ ମିଳିଛି। ଯେତେ‌ବେଳେ ସେରୋ ସର୍ଭେ କରାଯାଉଛି ସେ ସମୟରେ ପ୍ରକୃତ ସଂକ୍ରମିତଙ୍କ ସଂଖ୍ୟା ନଜରକୁ ଆସୁଛି। ଦିଲ୍ଲୀ ହେଉ ବା ଦେଶର ଅନ୍ୟ ସ୍ଥାନରେ ହୋଇଥିବା ସର୍ଭେରୁ ଏଭଳି ତଥ୍ୟ ମିଳୁଛି। ତେଣୁ ଓଡ଼ିଶାରେ ଯଦିଓ ଚିହ୍ନଟ ରୋଗୀଙ୍କ ସଂଖ୍ୟା ୨୫ହଜାରରୁ ଅଧିକ, ମାତ୍ର ପ୍ରକୃତରେ ଏହି ସଂଖ୍ୟା ୫ଲକ୍ଷରୁ ଅଧିକ ହୋଇପାରେ। ଅନେକ ଚିହ୍ନଟ ହୋଇପାରି ନାହାନ୍ତି। ସେହିପରି କରୋନା ମୃତ୍ୟୁହାର ମଧ୍ୟ ବିଶ୍ବର ସବୁ ସ୍ଥାନରେ ସମାନ। ଏନେଇ ଏକାଧିକ ଅନ୍ତର୍ଜାତୀୟ ପବ୍ଲିକେସନ୍‌ରେ ସମାନ କଥା କୁହାଯାଇଛି। ତେଣୁ ମୃତ୍ୟୁ ସଂଖ୍ୟା କମ୍ ରହିଛିର ଅର୍ଥ ନୁହେଁ ଯେ, କମ୍ ମୃତ୍ୟୁ ହୋଇଛି। ଅନେକ କରୋନା ଜନିତ ମୃତ୍ୟୁ ସରକାରୀ ହିସାବକୁ ଆସିପାରୁ ନାହିଁ।

ଓଡ଼ିଶାରେ କମ୍ ମୃତ୍ୟୁକୁ ଅନେକ ବିଶେଷଜ୍ଞ କରୋନା ଭୂତାଣୁ କମ୍ ଭିରୁଲେଣ୍ଟ ଥିବା କହୁଛନ୍ତି। ଯାହାଫଳରେ ରାଜ୍ୟରେ କମ୍ ମୃତ୍ୟୁ ହେଉଛି। ଏହି ଯୁକ୍ତ କେତେଦୂର ଯଥାର୍ଥ ?
ଏଭଳି ଯୁକ୍ତି ସହିତ ମୁଁ ଏକମତ ନୁହେଁ। ବିଶ୍ବବ୍ୟାପୀ ସମାନ ଭୂତାଣୁ ବୁଲୁଛି। ତେଣୁ ଓଡ଼ିଶାରେ କିଭଳି ଏହା କମ୍ ଭିରୁଲେଣ୍ଟ ହୋଇପାରିବ। ଗୋଟିଏ ସ୍ଥାନରେ ଅଧିକ ସଂଖ୍ୟାରେ ମୃତ୍ୟୁ ହେଉଛି ଓ ଅନ୍ୟ ସ୍ଥାନରେ କମ୍‌ ଏହାର କୌଣସି ଅର୍ଥ ନାହିଁ। କରୋନା ସମୟରେ ଅନେକ ଲୋକ ଭୟରେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସୁ ନାହାନ୍ତି। ଯାହାଫଳରେ ଅନେକଙ୍କ ଘରେ ହିଁ ମୃତ୍ୟୁ ହେଉଛି। ଏହି ସଂଖ୍ୟା ସରକାରୀ ହିସାବକୁ ଆସୁନାହିଁ, ତେଣୁ ଆମେ ଏହାକୁ କମ୍ ମୃତ୍ୟୁ ବୋଲି କହିପାରିବା। ୯୦ ପ୍ରତିଶତ ବୟସ୍କ କରୋନାରେ ପ୍ରାଣ ହରାଉଛନ୍ତି। ଯଦି କୌଣସି ରାଜ୍ୟରେ ଏଭଳି ତଥ୍ୟ ନାହିଁ, ତାହାଲେ ଅନେକ ମୃତ୍ୟୁ ହିସାବକୁ ଆସିପାରୁ ନାହାନ୍ତି ବୋଲି ଧରିବାକୁ ହେବ।

ରାଜ୍ୟରେ ଅନେକ ଲୋକଙ୍କ ଆଇସୋଲେସନ୍‌ ୱାର୍ଡରେ ହିଁ ମୃତ୍ୟୁ ହୋଇଯାଉଥିବା ନଜରକୁ ଆସୁଛି। ଅନେକଙ୍କ କୋଭିଡ୍‌ ପରୀକ୍ଷା ମଧ୍ୟ ହେଉ ନ ଥିବା ଅଭିଯୋଗ ଆସୁଛି। ଏଥିରେ ଆପଣଙ୍କ ମତ କ’ଣ ?
କରୋନା ଚିହ୍ନଟ ହେବା ପୂର୍ବରୁ ହିଁ ଆଇସୋଲେସନ୍‌ ୱାର୍ଡରେ ମୃତ୍ୟୁ ହୋଇଯିବା ଏକ ଦୁଃଖଦ ଘଟଣା। ପରବର୍ତୀ ସମୟରେ ଅ‌ନୁଶୀଳନ କଲେ ଅନେକ ଲୋକ କରୋନାରେ ପ୍ରାଣ ହରାଇଥିବା ଜଣାପଡ଼ିବ। ପରୀକ୍ଷା ଅଭାବରୁ ଅନେକ ଲୋକଙ୍କ କରୋନା ଚିହ୍ନଟ ହୋଇପାରୁ ନାହିଁ। ତେଣୁ ଗୋଟିଏ ସ୍ଥାନରେ କମ୍ ମୃତ୍ୟୁ ହେଉଛି ତାହାର ଅନ୍ୟ କୌଣସି ଅର୍ଥ ନାହିଁ।

ରାଜ୍ୟ ସରକାର ସଟ୍‌ଡାଉନ୍‌ ଓ ଲକ୍‌ଡାଉନ୍‌କୁ ଅଧିକ ଗୁରୁତ୍ବ ଦେଉଛନ୍ତି। ରାଜ୍ୟର ଅନେକ ଜିଲ୍ଲାରେ ଦୀର୍ଘଦିନ ଧରି ଏହା ଜାରି ରହିଛି। ମାତ୍ର ଏହା ଫଳପ୍ରଦ ହେଉ ନ ଥିବା ଜଣାପଡ଼ୁଛି। ଏହାର କାରଣ କ’ଣ ହୋଇପାରେ ?
ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଭାରତ ବର୍ଷରେ ଫଳପ୍ରଦ ହେଉନାହିଁ। ଏହାର ବିଭିନ୍ନ କାରଣ ରହିଛି। ମୁଖ୍ୟ କାରଣ ହେଉଛି ଲୋକମାନେ ଏହାକୁ ମାନୁ ନାହାନ୍ତି। ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍ ପୂର୍ବରୁ ହିଁ ଲୋକମାନେ ମେଳା ଭଳି ଜିନିଷପତ୍ର କିଣାକିଣିରେ ମାତି ଯାଆନ୍ତି। ତେଣୁ କିଛିଘଣ୍ଟା ପାଇଁ ଦୋକାନପତ୍ର ଖୋଲିବା ପରିବର୍ତେ ଦିନସାରା ଖୋଲିବାରେ କୌଣସି ଅସୁବିଧା ନାହିଁ। ଭୂତାଣୁ ଭିଡ଼କୁ ପସନ୍ଦ କରିଥାଏ। ଏସବୁ ସ୍ଥାନରେ ସଂକ୍ରମଣ ବୃଦ୍ଧି ପାଇଥାଏ। ତେଣୁ ଲୋକମାନେ ଭିଡ଼କୁ ଦୂରେଇ ରହିବା ସହିତ ମାସ୍କ ଓ ସାମାଜିକ ଦୂରତ୍ବ ବଜାୟ ରଖିବା ଦରକାର। ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ର ଘୋଷଣା ପରିବର୍ତେ ଲୋକମାନଙ୍କୁ ମାସ୍କ ଓ ସାମାଜିକ ଦୂରତ୍ବର ଅଭ୍ୟାସରେ ପକାଇବାକୁ ହେବ। ସରକାରଙ୍କ ଏଭଳି କାର୍ଯ୍ୟ ଲୋକମାନଙ୍କ ଅଧିକାରକୁ ଏକପ୍ରକାର କ୍ଷୁର୍ଣ୍ଣ କରୁଛି।

ସାଢ଼େ ୪ କୋଟି ଜନସଂଖ୍ୟା ବିଶିଷ୍ଟ ରାଜ୍ୟରେ ଦିନକୁ କେତେ ପରୀକ୍ଷା ହେବା ଆବଶ୍ୟକ?
ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ପରୀକ୍ଷା ସଂଖ୍ୟାକୁ ଗୁରୁତ୍ବ ଦିଆଯାଇ ପାରିବନି। ଏପରିକି କୋଭିଡ୍‌ ପରୀକ୍ଷାରେ ସମସ୍ତଙ୍କୁ ଚିହ୍ନଟ କରାଯାଇ ପାରିବ ନାହିଁ। ଯାହାବି କଲେ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ହେବ। ଯେଉଁମାନେ ଚିହ୍ନଟ ନ ହେଉଛନ୍ତି ସେମାନେ ଅନ୍ୟମାନଙ୍କୁ ସଂକ୍ରମିତ କରୁଛନ୍ତି। ଏଥିପାଇଁ ଚିନ୍ତା କରିବାର ବିଶେଷ କାରଣ ନାହିଁ। ଧୀରେ ଧୀରେ ଆମେ ଗୋଷ୍ଠୀ ପ୍ରତିରୋଧକ ଶକ୍ତି ବା ହର୍ଡ ଇମ୍ୟୁନିଟି ଆଡ଼କୁ ମୁହାଁଇବା। ତାହାଲେ ଯାଇ ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଏବେର ପରିସ୍ଥିତିରେ ବିଶେଷକରି ବୟସ୍କ ବ୍ୟକ୍ତି ଓ ରୋଗୀମାନଙ୍କ ଅଧିକ ସଂଖ୍ୟାରେ କୋଭିଡ୍‌ ପରୀକ୍ଷା କରାଯିବା ଜରୁରୀ। ଆମକୁ ବୟସ୍କ ବ୍ୟକ୍ତିମାନଙ୍କୁ ବଞ୍ଚାଇବାକୁ ହେବ। ତେଣୁ ଅନ୍ୟମାନଙ୍କୁ ପରୀକ୍ଷା କରି ସେମାନଙ୍କୁ ସଙ୍ଗରୋଧ କରିବାର କୌଣସି ଯଥାର୍ଥତା ନାହିଁ। ଦେଶର ଅନେକ ରାଜ୍ୟରେ‌ ଗୋଟିଏ ଜିଲ୍ଲାରୁ ଅନ୍ୟ ଗୋଟିଏ ଜିଲ୍ଲାକୁ ଗଲେ ସଙ୍ଗରୋଧରେ ରହିବା ପାଇଁ କୁହାଯାଉଛି। ଏଭଳି ଅଭ୍ୟାସର କୌଣସି ଅର୍ଥ ନାହିଁ।

ଗୋଷ୍ଠୀ ସଂକ୍ରମଣକୁ ରାଜ୍ୟ ସରକାର ଗ୍ରହଣ ନ କରିବା ପଛରେ କ’ଣ କାରଣ ହୋଇପାରେ?
କେବଳ ଓଡ଼ିଶା ନୁହେଁ, ସବୁ ରାଜ୍ୟ ସରକାର ଗୋଷ୍ଠୀ ସଂକ୍ରମଣ ଗ୍ରହଣ କରିବାକୁ ଆଗ୍ରହ ଦେଖାଉ ନାହାନ୍ତି। ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇ ସାରିଛି। କେବଳ କେରଳ ଓ ଦିଲ୍ଲୀ ସରକାର ଏହାକୁ ମାନିଛନ୍ତି। ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ ତାହା ମାନିବା ସରକାରଙ୍କ ଉପରେ ନିର୍ଭର କରୁଛି।

ସମ୍ବନ୍ଧିତ ଖବର