ମେଧା ପାଟକର। ଆଦିବାସୀ, ଦଳିତ, ଚାଷୀ, ଶ୍ରମିକ ଓ ମହିଳାଙ୍କ ପାଇଁ ସେ ସବୁବେଳେ ସମର୍ପିତ। ସେମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ଲଢ଼େଇ କରି ନ୍ୟାୟ ପ୍ରଦାନ କରିବାରେ ତାଙ୍କର ଭୂମିକା ଅତୁଳନୀୟ। ୩୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସେ ନର୍ମଦା ବଞ୍ଚାଅ ଆନ୍ଦୋଳନ ଜାରି ରଖିଛନ୍ତି। ପ୍ରକୃତି ମା’ର ସୁରକ୍ଷା, ସାମାଜିକ, ରାଜନୈତିକ ଓ ଆର୍ଥିକ ବିକାଶ ପାଇଁ ସେ କାର୍ଯ୍ୟ କରି ଚାଲିଛନ୍ତି। ଜଣେ ଜାତୀୟସ୍ତରର ସାମାଜିକ କର୍ମୀ ଭାବେ ତାଙ୍କର ସୁଖ୍ୟାତି ରହିଛି। ବାଲେଶ୍ବର ଗସ୍ତରେ ଆସି ଏକ କାର୍ଯ୍ୟକ୍ରମ ଯୋଗ ଦେବା ଅବସରରେ ତାଙ୍କ ସହ କଥାବାର୍ତ୍ତା କରିଥିଲେ ଆମ ବାଲେଶ୍ବର ସହର ପ୍ରତିନିଧି କବିତା ପାତ୍ର।
ବହୁ ବର୍ଷ ପରେ ବାଲେଶ୍ବର ଆସିଛନ୍ତି। ବାଲେଶ୍ବରକୁ ନେଇ ଆପଣଙ୍କର ଧାରଣା?
ମେଧା: ବାଲେଶ୍ବର ସହିତ ବହୁ ବର୍ଷ ତଳୁ ସଂପର୍କ ଯୋଡ଼ିଛି। କିଛିବର୍ଷ ତଳେ ଏକ କାର୍ଯ୍ୟକ୍ରମକୁ ଆସି ବାଲେଶ୍ବର ବିଷୟରେ ବହୁତ କିଛି ଜାଣିବାକୁ ପାଇଥିଲି। ସ୍ବାଧୀନତା ଆନ୍ଦୋଳନରେ ବାଲେଶ୍ବରର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। ଏଠାକାର ବହୁ ସଂଗଠନ ଓ ବ୍ୟକ୍ତିବିଶେଷ ସାମୂହିକ ସ୍ବାର୍ଥ ପାଇଁ ସବୁବେଳେ ଲଢ଼େଇ କରିଥାନ୍ତି। ଆଉ ଏହା ମୋତେ ଅନୁପ୍ରେରିତ କରେ।
ଗଣମାଧ୍ୟମରେ ଦଳିତଙ୍କ ଦୁର୍ଦ୍ଦଶା ନେଇ ପ୍ରତିଦିନ ଖବର ଆସୁଛି। ସେମାନେ ସମାଜର ମୁଖ୍ୟସ୍ରୋତକୁ କାହିଁକି ଆସିପାରୁନାହାନ୍ତି?
ମେଧା: ଦେଶରେ ଦଳିତମାନଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ବି ସମାଜରେ ଏମାନଙ୍କୁ ଏକପ୍ରକାର ଅଣଦେଖା କରାଯାଉଛି। ଯେଉଁ ସମ୍ମାନ ସେମାନଙ୍କୁ ଦିଆଯବା କଥା ତାହା ଦିଆ ଯାଉନାହିଁ। ଅନେକ ଗଣମାଧ୍ୟମ ଦଳିତଙ୍କ ପ୍ରସଙ୍ଗକୁ ଯେତିକି ଗୁରୁତ୍ବ ଦେବା କଥା ତାହା ଦେଉନାହାନ୍ତି।
ନର୍ମଦା ବଞ୍ଚାଅ ଆନ୍ଦୋଳନ ୩୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଛି। ଏ ସଂଗ୍ରାମର ଅନ୍ତ କେବେ?
ମେଧା: ନର୍ମଦା ବଞ୍ଚାଅ ଆନ୍ଦୋଳନରେ ଆଜି ବି ଲୋକଙ୍କୁ ନ୍ୟାୟ ମିଳିନାହିଁ। ୨୪୫ ଗାଁ ସହିତ ଲୋକଙ୍କ ଘର ଓ କ୍ଷେତ ଉଜୁଡ଼ି ଯାଇଛି। ମୁଁ ବିକାଶକୁ ବିରୋଧ କରୁନାହିଁ। ଲୋକଙ୍କୁ ଥଇଥାନ କରି ବିକାଶ କରାଯାଉ, ଏହା ମୋର ଦାବି। ଯେ ପର୍ଯ୍ୟନ୍ତ ସେମାନଙ୍କୁ ନ୍ୟାୟ ମିଳିନାହିଁ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।
ଦେଖାଯାଉଛି ଏବେ ଅଧିକାଂଶ ଡ୍ୟାମ୍ ଶୁଖିଲା ପଡ଼ୁଛି। ଚାଷୀଙ୍କ ଜମି ଜଳସେଚିତ ହୋଇ ପାରୁନାହିଁ। ଏଥିପାଇଁ ଆପଣଙ୍କ ବିଚାରରେ ଦାୟୀ କିଏ?
ମେଧା: ଆମେ ସମସ୍ତେ ଦାୟୀ। ସରକାର ବଡ଼ ବଡ଼ ପଦକ୍ଷେପ ନେଉଥିବା କହୁଛନ୍ତି। ହେଲେ ଏଥିରେ ଚାଷୀ ଉପକୃତ ହେଉନାହାନ୍ତି। କାରଣ ଯୋଜନା ଠିକଣା ଢଙ୍ଗରେ ରୂପାୟନ ହେଉନାହିଁ। ସବୁଥିରେ ଦୁର୍ନୀତି। ଶିଳ୍ପପତିଙ୍କ ସ୍ବାର୍ଥକୁ ଅଗ୍ରାଧିକାର ଦିଆଯାଉଛି। ନଦୀବନ୍ଧ ନିର୍ମାଣ ହେଉଛି, ହେଲେ ନଦୀ ପାଣି ପ୍ରଦୂଷିତ ହେଉଛି। ଖାଲି ନର୍ମଦା ନୁହେଁ, ଓଡ଼ିଶାର ମହାନଦୀ ବି କେମିତି ବଞ୍ଚିବ, ସେ ଦିଗରେ ସରକାର ଗୁରୁତ୍ବ ଦେବା ଜରୁରୀ।
ଲୋକମାନେ କାହାକୁ ଅଧିକ ଜାଣନ୍ତି; ମେଧା ପାଟକର ନା ମେଧା ତାଇଙ୍କୁ?
ମେଧା: ମେଧା ପାଟକର, ତାଇ କି ଦିଦି ଏସବୁ ମୋ ପାଇଁ କିଛି ଗୁରୁତ୍ବ ରଖେନାହିଁ। କାରଣ ନାଁରେ କିଛି ନଥାଏ, କାମରେ ମୁଁ ବିଶ୍ବାସ ରଖେ।
ଆପଣ ଲୋକଙ୍କ ପାଇଁ ସମର୍ପିତ ହୋଇ କାମ କରି ଚାଲିଛନ୍ତି। ବ୍ୟକ୍ତିଗତ ଜୀବନକୁ ନେଇ କିଛି ଅବସୋସ ରହିଛି କି?
ମେଧା: ଲୋକଙ୍କ ସହିତ ରହିବା ଏବଂ ସେମାନଙ୍କ ସମସ୍ୟା ବୁଝିବା ମୋର ବ୍ରତ ପାଲଟିଯାଇଛି। ମୃତ୍ୟୁ ଯାଏ ଏମିତି ଲୋକଙ୍କ ସମସ୍ୟା ସହିତ ରହିଥିବି। ଜୀବନ ଥିବା ଯାଏ ଲୋକଙ୍କ ଅଧିକାର ପାଇଁ ଲଢ଼େଇ କରିବି। ଜୀବନର ସେମିତି କିଛି ଅବସୋସ ନାହିଁ। ଲୋକଙ୍କୁ ନ୍ୟାୟ ମିଳିଲେ ସେଇଟା ହିଁ ମୋ ପାଇଁ ସବୁଠୁ ବଡ଼ ଆନନ୍ଦର କଥା।