କାର୍ତ୍ତିକ୍ ପାଣିଗ୍ରାହୀ ୟୁପିଏସସି ପରୀକ୍ଷାରେ ସର୍ବଭାରତୀୟସ୍ତରରେ ୬୩ ରାଙ୍କ ପାଇ ଓଡ଼ିଶା ଟପ୍ପର ହୋଇଛନ୍ତି । କାର୍ତ୍ତିକଙ୍କ ବାପା ଶିବଶଙ୍କର ଦିଲ୍ଲୀ ଏୟାରପୋର୍ଟର ଡିଜିଏମ ଥିବାବେଳେ ମା’ ଗୀତା ଗୃହିଣୀ । ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶାର ଟପ୍ପର ହେବାରେ କାର୍ତ୍ତିକ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ । ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ଇତିହାସରେ ସ୍ନାତ୍ତୋକତ୍ତର କଲା ପରେ ସେଠାରେ ଏମଫିଲ କରୁଛନ୍ତି। କାର୍ତ୍ତିକଙ୍କ ସହ ‘ସମ୍ବାଦ’ର ସ୍ବତନ୍ତ୍ର ସାକ୍ଷାତକାର।
ସମ୍ବାଦ : ୟୁପିଏସସି ପରୀକ୍ଷାରେ ସଫଳତା ପାଇ କେମିତି ଲାଗୁଛି ?
କାର୍ତ୍ତିକ: ସଫଳତା ପାଇବି ବୋଲି ଆଶା ରଖିଥିଲି କିନ୍ତୁ ୬୩ ରାଙ୍କ ପାଇବି ବୋଲି ଭାବି ନଥିଲି । ଭଗବାନଙ୍କ କରୁଣାରୁ ଭଲ ରାଙ୍କ ମିଳିଥିବାରୁ ବହୁତ ଖୁସି ଲାଗୁଛି ।
ସମ୍ବାଦ : ଏହି ସଫଳତାର ଶ୍ରେୟ କାହାକୁ ଦେବେ?
କାର୍ତ୍ତିକ: ସଫଳତାର ଶ୍ରେୟ ବାପା, ମା, ଦୁଇ ଆଈ ଓ ଭଗବାନଙ୍କୁ ଦେବି ।
ସମ୍ବାଦ : ଦିନକୁ କେତେ ଘଣ୍ଟା ପରିଶ୍ରମ କରୁଥିଲେ? ସିଭିଲ ସର୍ଭିସ ପାଇଁ କୋଚିଂ ନେବା ଜରୁରୀ କି?
କାର୍ତ୍ତିକ: ଦିନକୁ ୮ରୁ ୧୦ ଘଣ୍ଟା ପରିଶ୍ରମ କରୁଥିଲି । ଦିଲ୍ଲୀରେ କୋଚିଂ ବି ନେଉଥିଲି। କିନ୍ତୁ ପରିଶ୍ରମ ହିଁ ସଫଳତାର ଚାବିକାଠି। ମୁଁ କହିବି କୋଚିଂ ଜରୁରୀ ନୁହେଁ ।
ସମ୍ବାଦ : ନିଯୁକ୍ତି ପାଇଲା ପରେ କେଉଁ କ୍ଷେତ୍ରକୁ ଗୁରୁତ୍ବ ଦେବେ?
କାର୍ତ୍ତିକ: ନିଯୁକ୍ତି ପାଇଲା ପରେ ପାଣିପାଗ ପରିବର୍ତ୍ତନ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଉପରେ କାମ କରିବାର ଆଶା ରଖିଛି ।
ସମ୍ବାଦ : ସୁଯୋଗ ମିଳିଲେ ସୁବର୍ଣ୍ଣପୁର ଜିଲ୍ଲା ପାଇଁ କ’ଣ କରିବେ?
କାର୍ତ୍ତିକ: ସୁଯୋଗ ମିଳିଲେ ସୁବର୍ଣ୍ଣପୁର ଜିଲ୍ଲାର ସାମୁହିକ ବିକାଶ ପାଇଁ ଧ୍ୟାନ ଦେବି । ବିଶେଷ କରି ସୁବର୍ଣ୍ଣପୁରର ବୟନଶିଳ୍ପକୁ ବିଶ୍ବ ଦରବାରର ପହଞ୍ଚାଇବା ପାଇଁ ଉଦ୍ୟମ କରିବି । ସେହିପରି ରେଳପଥ ସଂଯୋଗୀକରଣ ଏବଂ ଜିଲ୍ଲାର ଐିତିହ୍ୟ, ସଂସ୍କୃତିର ବିକାଶ ପାଇଁ କାର୍ଯ୍ୟ କରିବି ।