ନବରଙ୍ଗପୁର/ରାଇଘର/ଜୟପୁର: ଏକତରଫା ପ୍ରେମରୁ ତୁମୁଳକାଣ୍ଡ। ବିଫଳ ପ୍ରେମିକ ଯୁବତୀଙ୍କୁ ମାଡ଼ ମାରିବା ସହ ଅନ୍ତରଙ୍ଗ ଭିଡିଓ ଭାଇରାଲ୍ କରିବା ପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ନର୍ସିଂ ଛାତ୍ରୀ। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ରାଇଘର ପୁଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ଅଭିଯୁକ୍ତ ସତ୍ୟଜିତ ସରକାରକୁ ନୟାଗଡ଼ ଦଶପଲ୍ଲା ଅଞ୍ଚଳରୁ ଗିରଫ କରିଛି। ଅନ୍ୟପକ୍ଷରେ ସତ୍ୟଜିତ ଭାଇରାଲ୍ କରିଥିବା ଅନ୍ତରଙ୍ଗ ଭିଡିଓରେ ଯୁବତୀ ସହ ଥିବା ତାଙ୍କର ପୁରୁଷ ବନ୍ଧୁ ଉଦ୍ଧବ ଗଡ଼ନାୟକକୁ ପୁଲିସ ଅଟକ ରଖିଛି। ଉଦ୍ଧବ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟରତ। ସୂଚନାଯୋଗ୍ୟ, ଭାଇରାଲ୍ ହୋଇଥିବା ଭିଡିଓରେ ଉଦ୍ଧବ ପୀଡ଼ିତା ନର୍ସିଂ ଛାତ୍ରୀଙ୍କୁ ସିନ୍ଦୂର ପିନ୍ଧାଉଥିବାର ଦୃଶ୍ୟ ରହିଛି। ଜୟପୁରର ଏକ ନର୍ସିଂ କଲେଜରେ ପୀଡ଼ିତା ବିଏସ୍ସି ଦ୍ବିତୀୟ ବର୍ଷର ଛାତ୍ରୀ।
ସଙ୍କଟାପନ୍ନ ଅବସ୍ଥାରେ ଏମ୍ସ ସ୍ଥାନାନ୍ତର
ପୀଡ଼ିତାଙ୍କୁ ନିର୍ଧୁମ୍ ପିଟିଥିଲେ ଅଭିଯୁକ୍ତ
ଦଶପଲ୍ଲାରୁ ଅଭିଯୁକ୍ତ ଗିରଫ, ପୁରୁଷ ବନ୍ଧୁ ଅଟକ
ରାଇଘର ଥାନା ଗୁରୁସିଂଘା ଗ୍ରାମର ସତ୍ୟଜିତ କୃଷି ବିଜ୍ଞାନ ଛାତ୍ର ଭାବେ ଭୁବନେଶ୍ୱରରେ ପଢ଼ୁଛନ୍ତି। ଯୁବତୀଙ୍କୁ ସତ୍ୟଜିତ ଏକତରଫା ଭାବେ ଭଲ ପାଇବା ସହ ତାଙ୍କୁ ବାରମ୍ବାର ହଇରାଣ କରୁଥିଲା। ଜୁଲାଇ ୧୩ରେ ପୀଡ଼ିତା କିଛି ଜିନିଷ କିଣିବା ପାଇଁ ବଜାରକୁ ଆସିଥିବାବେଳେ ଅଭିଯୁକ୍ତ ସତ୍ୟଜିତ ତାଙ୍କ ପୁରୁଷବନ୍ଧୁଙ୍କ ସମ୍ପର୍କରେ ପଚାରି ବିଚ୍ ବଜାରରେ ମାରପିଟ୍ କରିଥିଲା। ସତ୍ୟଜିତ୍ଙ୍କ ମାଡ଼ରେ ଯୁବତୀଙ୍କ ଆଖି ଓ ନାକରେ ଗୁରୁତର ଆଘାତ ଲାଗିଥିଲା। ଯୁବତୀଙ୍କ ବାପା ଜୟପୁର ଟାଉନ୍ ଥାନାରେ ଏତଲା ଦେବା ପରେ ପୁଲିସ ସତ୍ୟଜିତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ପୁଲିସ ମାମଲାକୁ କୋହଳ ଭାବେ ନେଇଥିବାରୁ ଅଭିଯୁକ୍ତ ସତ୍ୟଜିତ ଗିରଫର ଦିନକ ପରେ ଜାମିନରେ ମୁକୁଳି ଆସିଥିଲା ଏବଂ ପ୍ରତିଶୋଧପରାୟଣ ହୋଇ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ୍ କରିଥିଲା। ଫଳରେ ଲୋକଲଜ୍ଜା ଭୟରେ ଯୁବତୀ ଜୁଲାଇ ୧୭ରେ ଘରେ ଥିବା ଘାସମରା କୀଟନାଶକ (ବିଷ) ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ ଉମରକୋଟ ଡାକ୍ତରଖାନାକୁ ନେବା ପରେ ଅବସ୍ଥା ଗୁରୁତର ଥିବାରୁ କୋଣ୍ଡାଗାଁ ଓ ପରେ ରାୟପୁର ନେଇଥିଲେ। ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ଆସିବାରୁ ଜୁଲାଇ ୨୧ରେ ଘର ଲୋକ ପୀଡ଼ିତାଙ୍କୁ ଘରକୁ ନେଇ ଆସିଥିଲେ। ଘରେ ପୀଡ଼ିତା ଜୀବନମରଣ ସହ ସଂଗ୍ରାମ କରୁଥିବା ବେଳେ ଜୁଲାଇ ୨୨ରେ ରାଇଘର ଥାନାରେ ପୀଡ଼ିତାଙ୍କ ଦାଦା ଲିଖିତ ଅଭିଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/24/sfhfshxxbvxbv-2025-07-24-03-16-45.jpg)