ଝାରସୁଗୁଡ଼ା : ଝାରସୁଗୁଡ଼ା ମଙ୍ଗଲବଜାରରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ମାନସ ରଞ୍ଜନ କାନ୍ଧାର ଶନିବାର କାର୍‌ ଚଳାଇ ସିରିଜ୍‌ ଦୁର୍ଘଟଣା ଘଟାଇଥିବା ବେଳେ ଏଥିରେ ୨ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଡା. କାନ୍ଧାର ନିଶାସକ୍ତ ଅବସ୍ଥାରେ ରୋଗୀ ଦେଖୁଥିବା ନେଇ ବହୁ ଦିନରୁ ଅଭିଯୋଗ ହୋଇ ଆସୁଛି। ତେବେ, ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ସେ ନିଜ କାର୍‌ (ଓଡି ୦୫ଡବ୍ଲୁ-୨୫୫୧)ରେ ଦ୍ରୁତ ଗତିରେ ଅନିୟନ୍ତ୍ରିତ ଭାବେ ଚଳାଇ ଯାଉଥିଲେ। ଏହି ମସୟରେ ସ୍ଥାନୀୟ ସଂସ୍କୃତି ଭବନ ନିକଟରେ କାମ ସାରି ସାଇକଲରେ ଫେରୁଥିବା ଜଣେ ଶ୍ରମିକ ଓଏମ୍‌ପିର ଲଳିନ୍ଦ୍ର ମାଝୀ (୪୮)ଙ୍କୁ ଡା. କାନ୍ଧାର ଧକ୍କା ଦେବାରୁ ସେ ଛିଟିକି ରାସ୍ତା କଡ଼ରେ ପଡ଼ିଥଲେ। ତାଙ୍କ ମୁଣ୍ଡ ଓ କାନରୁ ପ୍ରଚୁର ରକ୍ତସ୍ରାବ ହେଉଥିବା ବେଳେ ଅବସ୍ଥା ସଂକଟାପନ୍ନ ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ସେଠାରୁ କିଛି ଦୂର ଯିବା ପରେ ଡା. କାନ୍ଧାର ପୁଣି ବେହେରାମାଲର ନରେଶ ରଜକଙ୍କୁ ଧକ୍କା ଦେଇଥିଲେ। ଫଳରେ ତାଙ୍କ ମୁଣ୍ଡ, ନାକ, କପା‌ଳରେ ଗଭୀର ଆଘାତ ଲାଗିଥିବାରୁ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଏହା ପୂର୍ବରୁ ସେ ବେହେରାମାଲ ଛକରେ ମଧ୍ୟ ଏକ ବାଇକ୍‌କୁ ଧକ୍କା ଦେଇ ଆସିଥିଲେ। ତେବେ ଏତେ ଦ୍ରୁତ ଗତିରେ ଡା. କାନ୍ଧାର ବାଟୋଇମାନଙ୍କୁ ଧକ୍କା ଦେବାରେ ତାଙ୍କ ଆଗ ଚକ ଫାଟି ଯାଇ ଗାଡ଼ି ବିପରୀତ ଦିଗକୁ ବୁଲି ଯାଇଥିଲା। ସିରିଜ୍‌ ଦୁର୍ଘଟଣାକୁ ନେଇ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। ମାତ୍ର ଦୁର୍ଘଟଣା ଘଟାଇବା ପରେ ବି ଡା. କାନ୍ଧାର ହସୁଥିବାରୁ ଉତ୍ତ୍ୟକ୍ତ ଲୋକେ ଉତ୍ତମ ମଧ୍ୟମ ଦେଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତାଙ୍କୁ ଥାନାକୁ ନେଇଥିବା ବେଳେ ଦମକଳ ବାହିନୀ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସଂପୃକ୍ତ ଡାକ୍ତରଙ୍କ ନାମରେ ବହୁ ଦିନରୁ ଏଭଳି ଅଭିଯୋଗ ହେଉଥିଲେ ମଧ୍ୟ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ନିରବଦ୍ରଷ୍ଟା ସାଜିଛି। କରୋନା ସମୟରେ ତାଙ୍କର ପଜିଟିଭ୍‌ ରିପୋର୍ଟ ବାହାରିଥିଲେ ମଧ୍ୟ ସେ କୋଭିଡ୍ ନିୟମ ନ ମାନି ବଜାରରେ ଖୋଲାଖୋଲି ବୁଲାବୁଲି କରିବା ଓ ପରେ ତାଙ୍କ ଗାଁ’ ଜଗତସିଂପୁର ପଳାଇଥିବା ନେଇ ସେତେବେଳେ ଅଭିଯୋଗ ହୋଇଥିଲେ। କିନ୍ତୁ ପରିତାପର ବିଷୟ ସେ ସମୟରେ ସିଡିଏମ୍ଓ କେବଳ ଏକ ସ୍ପଷ୍ଟୀକରଣ ମାଗି ଚୁପ୍‌ ରହିଥିଲେ।